ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଓ ହଡପ କରିବା ଅଭିଯୋଗରେ ଆସନ୍ତା ୨୩ ତାରିଖରେ ବିଧାନସଭା ଘେରାଉ କରିବ ବିଜେଡି। ଏଥିରେ ସରପଞ୍ଚ, ୱାର୍ଡମେମ୍ବର, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଗ୍ରାମର ମୁଖିଆ ତଥା ଅନ୍ୟ ଜନ ପ୍ରତିନିଧି ସାମିଲ ହେବେ। ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛି ବିଜେଡି। ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବିଧାୟକ ଅରୁଣ ସାହୁ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଉପସ୍ଥିତ ରହି ବିଜେପିକୁ ଟାର୍ଗେଟ କରିଛନ୍ତି।

Advertisment

ସାମ୍ବାଦିକ ସମ୍ମିଳନୀରେ ଗଣତନ୍ତ୍ରକୁ ହତ୍ୟା କରି କର୍ମୀ ପୋଷିବା ଯୋଜନା ବନ୍ଦ କରିବାକୁ ଚେତାବନୀ ଦେଇଛି ବିଜେଡି। ୧୪ ମାସର ସରକାରରେ ପଂଚାୟତକୁ ୨୮ ସରକୁଳାର ଜାରି ହୋଇଥିବା ଅଭିଯୋଗ। କର୍ମୀଙ୍କୁ ସୁହାଇଲା ଭଳି ସରକାର ଜାରି କରିଛନ୍ତି ସରକୁଳାର। ଯେମିତି କର୍ମୀମାନେ ଗୁଣ୍ଡାରାଜ, ଦାଦାବଟି ଓ ପିସି ଆଦାୟ କରିବେ ସେଥିପାଇଁ ବ୍ୟବସ୍ଥା କରୁଛନ୍ତି ସରକାର ବୋଲି ବଡ଼ ଅଭିଯୋଗ ଆଣିଛି ବିଜେଡି।

ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଗାଁରେ ରହୁଥିବା ଲୋକଙ୍କ ଅଧିକାରକୁ ଚଳିତ ସରକାର ଧ୍ୱସ୍ତ କରୁଛନ୍ତି। ବିଧି ବ୍ୟବସ୍ଥାକୁ ହନନ କରୁଛନ୍ତି। ଲୋକଙ୍କ ସରକାର ବୋଲି ଯେଉଁ ଡିଣ୍ଡିମ ପିଟାଯାଉଛି ସେଥିରେ ଉଚ୍ଚାରଣ ଆଚରଣ ଅଲଗା। ପଞ୍ଚାୟତିରାଜ ବଜେଟକୁ ହ୍ରାସ କରାଯାଇଛି। ପିଏମ ଆବାସ ଯୋଜନା ୪୩୧୦ କୋଟିରୁ ୮୨୫ କୋଟି ହୋଇଛି। ୩୭ ଲକ୍ଷ ଘର ସର୍ଭେ କରାଗଲା ଏ ଯାଏ କିଛି କରାଗଲା ନାହିଁ। ଅନ୍ତଦୟ ଆବାସ ଯୋଜନା ଆରମ୍ଭ କଲେ। ଏଥିପାଇଁ ୨୪ କୋଟି ଖର୍ଚ୍ଚ ହୋଇଥିଲେ ବି ଏଯାଏ କୋଅର୍ଡିନେଟରଙ୍କ ଦରମା ବି ମିଳିନି। ନରେଗାରେ ମଜୁରୀ ମିଳୁନି। ଆମ ଓଡ଼ିଶା ନବୀନ ଓଡିଶାରେ ୪୨୦୦ କୋଟି ବଜେଟ ଥିଲା ନବୀନ ସରକାରରେ। କିନ୍ତୁ ଯୋଜନା ନାଁ ବଦଳାଇ 'ବିକଶିତ ଗାଁ ବିକଶିତ ଓଡ଼ିଶା' ଯୋଜନା କରି ଅର୍ଥ ବରାଦ କମାଇ ଦିଆଯାଇଛି। 

ସମ୍ମିଳନୀରେ ଆହୁରି କୁହାଯାଇଛି ଯେ, "ବିକଶିତ ଓଡ଼ିଶା ନାଁରେ ଆଉ ଏକ ପ୍ରକଳ୍ପ କରି ତାକୁ ବି ଦିଆଯାଉ ନାହିଁ। ତଳ ସ୍ତରରେ ଚାପ ସୃଷ୍ଟି କରାଯାଇ ପଂଚାୟତ ସ୍ତରର ନେତାଙ୍କୁ ବିଲ ଦିଆଗଲା ନାହିଁ । ପଞ୍ଚାୟତିରାଜ ବ୍ୟବସ୍ଥାକୁ ଧ୍ୱଂସ କରାଯାଉଛି। ବିଜେଡି ନିରବ ଦ୍ରଷ୍ଟା ହୋଇ ରହିବ ନାହିଁ। ବିଧାନସଭା ଭିତରେ ଓ ବାହାରେ ଆନ୍ଦୋଳନ କରିବ। ଜିଲ୍ଲା ପରିଷଦଙ୍କୁ ଅବହେଳା କରାଯାଉଛି, ବ୍ଲକ ଅଧ୍ୟକ୍ଷଙ୍କ କ୍ଷମତାକୁ ସଙ୍କୁଚିତ କରାଯାଇଛି। ଏବେ ଅଧ୍ୟକ୍ଷ ହେବେ ରବର ଷ୍ଟାମ୍ପ। ୮୫୪ ଜିଲ୍ଲା ପରିଷଦ ସଭ୍ୟ ମଧ୍ୟରୁ ବିଜେଡିର ୭୦୦ ରୁ ଅଧିକ ସଦସ୍ୟ ଜିତିଥିଲେ। ୨୭୦ରୁ ଅଧିକ ବ୍ଲକରେ ବିଜେଡି ସମର୍ଥିତ ଅଧ୍ୟକ୍ଷ। ସେହିଭଳି ୮୦ ଭାଗରୁ ଅଧିକ ବିଜେଡି ସମର୍ଥିତ ସମିତି ସଭ୍ୟ ଓ ଅନ୍ୟ ପଂଚାୟତ ପ୍ରତିନିଧି ରହିଛନ୍ତି। ଏବେ ୧୦ ଲକ୍ଷ ଯାଏ ବିଲ୍ ବ୍ଲକ ଅଧ୍ୟକ୍ଷ ଅନୁମୋଦନ କରିପାରିବେ ନାହିଁ। ବିଡ଼ିଓ କରିବେ। ଓଡିଶା ପଂଚାୟତ ସମିତି ଆକ୍ଟ କହୁଛି ଯେ, ବିଡ଼ିଓ ଏକଜେକ୍ୟୁଟିଭ ଅଫିସର। ଅଧ୍ୟକ୍ଷ ହେଉଛନ୍ତି ଏକଜେକ୍ୟୁଟିଭ ଅଥରିଟି। ଅଫିସର ଏବେ ଉପରେ ରହିବେ। ବାବୁ ଶାସନ ଆରମ୍ଭ କରିଦେଲେ ସରକାର। ଅଧ୍ୟକ୍ଷ ଏବେ ପଙ୍ଗୁ। ପ୍ରକଳ୍ପ ଗ୍ରାମସଭାରୁ ପାସ ହୋଇ ଆସିବ ବୋଲି ସରକୁଳାର ଦେଲେ। ଆମ ଓଡ଼ିଶା ନବୀନ ଓଡ଼ିଶାରେ ତଲରୁ ଉପର ଯାଏ ଆସୁଥିଲା। କିନ୍ତୁ ବିଜେପି ଜିଲା ପରିଷଦକୁ କାଟିଦେଲେ। ସରପଞ୍ଚ, ୱାର୍ଡ ମେମ୍ବର ଓ ଜିଲ୍ଲା ପରିଷଦ କ୍ଷମତା ଅପହରଣ କରି ଜିଲ୍ଲାପାଳ ଓ ଶାସକ ଦଳର ବିଧାୟକଙ୍କୁ କ୍ଷମତା ଦିଆଗଲା। ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତାକୁ ହତ୍ୟା କଲେ।"

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, "ପଂଚାୟତକୁ ୫୦ ଲକ୍ଷ ଯାଉଥିଲା 'ଆମ ଓଡ଼ିଶା ନବିନ ଓଡ଼ିଶାରେ'। ଏବେ ବିକଶିତ ଓଡ଼ିଶାରେ ୭ରୁ ୮ଲକ୍ଷ ଦିଆଯାଉଛି। କିନ୍ତୁ କାମ ହେଉ ନାହିଁ। ଏତେ ତଳସ୍ତରକୁ ସରକାର ଚାଲିଗଲା ଯେ, କାମ ସବୁ ଏବେ ଠପ। ବିଡ଼ିଓମାନେ ଏବେ ଅଣନିଶ୍ୱାସୀ। ୨୩ ତାରିଖରେ ସରପଞ୍ଚ, ସମିତି ସଭ୍ୟ, ଜିଲା ପରିଷଦ ସଦସ୍ୟ ଓ ଅଧ୍ୟକ୍ଷମାନେ ଗଣତନ୍ତ୍ରକୁ ରକ୍ଷା ପାଇଁ ବିଧାନସଭା ଘେରାଉ କରିବେ। ବିଜୁ ବାବୁଙ୍କ ସମୟରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ଦିଆଗଲା। ସୁଭଦ୍ରା ଯୋଜନା କଥା କହୁଛନ୍ତି କିନ୍ତୁ ପଞ୍ଚାୟତିରାଜ ବ୍ୟବସ୍ଥାରେ ଲୋକଙ୍କୁ ଅପମାନ ଦେଉଛନ୍ତି। ସରକାରକୁ ମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ କି ମୁଖ୍ୟ ଶାସନ ସଚିବ ଚଳାଉ ନାହାନ୍ତି। ଵଟକରା ପାନଖିଆ ସରକାର ଚଳାଉଛନ୍ତି। କର୍ମୀଙ୍କୁ ସନ୍ତୁଷ୍ଟ କରିବା ଓ ପିସି ଆଦାୟ ପାଇଁ ଏହି ବ୍ୟବସ୍ଥା ହୋଇଛି। ନବୀନ ପଟ୍ଟନାୟକ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ। ଏବେ କିନ୍ତୁ କର୍ମୀଙ୍କୁ କ୍ଷମତା ମିଳିଛି। ସବୁ ବ୍ୟବସ୍ଥାକୁ ଅଚଳ କରାଯାଇଛି। ବିଧାନସଭା ନିର୍ବାଚନରେ ମେସିନ ଗଫଲତି କରି ଯେମିତି ଜିତିଲେ ସେମିତି ପଂଚାୟତ ସମିତିରେ ଲୋକଙ୍କୁ ଡ଼ରାଇ ଜିତିବାକୁ ଯୋଜନା କରୁଛନ୍ତି। କର୍ମୀଙ୍କ ଉତ୍ପୀଡନରେ ଲୋକେ ତ୍ରାହି ତ୍ରାହି ଡାକିଲେଣି। ସାଧାରଣ ଲୋକଙ୍କ ସରକାର କହୁଛନ୍ତି କିନ୍ତୁ ଲୋକଙ୍କ ସ୍ୱର ଶୁଣିପାରୁ ନାହାନ୍ତି। କର୍ମୀଙ୍କୁ ପୋଷିବା ପାଇଁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଧ୍ୱଂସ କରୁଛନ୍ତି। ଏହାକୁ ବିରୋଧ କରି ଆସନ୍ତା ୨୩ ତାରିଖ ବିକ୍ଷୋଭ ପ୍ରଦର୍ଶନ ହେବ।"