‘ଉଜ୍ଜଳା’ କୁ ନେଇ ଆପତ୍ତି ଉଠାଇଲା ବିଜେଡ଼ି : ଆଜି ଆଓସିଏଲ୍ ଅଫିସ୍ ସାମ୍ନାରେ ବିକ୍ଷୋଭ

ଭୁବନେଶ୍ୱର : ଉଜ୍ଜଳା ଯୋଜନାକୁ ନେଇ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିବାକୁ ଅଣ୍ଟା ଭିଡ଼ିଛି ବିଜେଡି। ଆଜି ଦଳର ମହିଳା ଶାଖା ପକ୍ଷରୁ ଉଜ୍ଜଳା ଯୋଜନାରେ ମହାଦୁର୍ନୀତି ହୋଇଥିବାର ଅଭିଯୋଗ ଅଣାଯାଇଛି। ଏହି ଯୋଜନା ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏହି ବିଫଳତାରୁ ଫାଇଦା ଲୁଟୁଛନ୍ତି ଦୁର୍ନୀତିଗ୍ରସ୍ତ ଦଲାଲମାନେ। ଓଡ଼ିଶାର ମହିଳାଙ୍କ ପ୍ରତି ଏଥିରେ ବିଶ୍ୱାସଘାତକତା କରାଯାଇଛି ବୋଲି ବିଜେଡି ଆରୋପ ଲଗାଇଛି।

ଆଜି ବିଜୁ ମହିଳା ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, କେନ୍ଦ୍ର ମନ୍ତ୍ରୀ ଉଜ୍ଜଳା ଯୋଜନା କଥା କହି ଯେତେ‌ ବାହାବା ନେବାକୁ ଚେଷ୍ଟା କଲେ ମଧ୍ୟ ତାହା ତାଙ୍କ ପାଇଁ ବୁମରାଂ ହୋଇଛି। ଏହି ଯୋଜନାର ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଓଲଟା। ରନ୍ଧନ ଗ୍ୟାସ୍‌ର ଦର ଦିନକୁ ଦିନ ବଢ଼ିଚାଲିଛି। ଯାହା ଫଳରେ ଲୋକମାନେ ଗ୍ୟାସ୍ କିଣିବାକୁ ସମର୍ଥ ହେଉ ନାହାନ୍ତି। ନିଜେ କେନ୍ଦ୍ର ମନ୍ତ୍ରୀ ସଂସଦରେ ସ୍ୱୀକାର କରିଛନ୍ତି ଯେ ସରକାର ଯୋଗାଇ ଦେଇଥିବା ସିଲିଣ୍ଡର୍‌ର ବହୁ ନଗଣ୍ୟ ଶତାଂଶ ପୁନର୍ବାର ଭରଣା ପାଇଁ ଆସୁଛି। ଜୁଲାଇ ୩୦ ତାରିଖ ସୁଦ୍ଧା ଓଡ଼ିଶାରେ ୩୦ ଲକ୍ଷ ୪୮ ହଜାର ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇଛନ୍ତି। ପରିସଂଖ୍ୟାନ ଅନୁଯାୟୀ ଓଡ଼ିଶାରେ ୨୪ ଲକ୍ଷ ସିଲିଣ୍ଡର୍ ରିଫିଲିଂ ନ ହେଉଥିବା ବେଳେ ଏହି ସିଲିଣ୍ଡର୍‌ଗୁଡ଼ିକ କଳାବଜାରୀ ‌ହେଉଛି ନା ଅନ୍ୟ ରାଜ୍ୟକୁ ଚାଲାଣ ହେଉଛି, ସେ ବିଷୟରେ କେନ୍ଦ୍ର ମନ୍ତ୍ରୀ ସମ୍ପୂର୍ଣ୍ଣ ନିରବ। ସେହିପରି ଉଜ୍ଜଳା ଯୋଜନାରେ ସବ୍‌ସିଡି ଅର୍ଥ ଠିକ୍ ରୂପେ ହିତାଧିକାରୀଙ୍କ ଖାତାକୁ ଆସୁ ନାହିଁ। ହିତାଧିକାରୀ ଚୟନକୁ ନେଇ ମଧ୍ୟ ବିଜେଡି ଆପତ୍ତି ଉଠାଇଛି। ବିଜେପି ନେତାମାନେ ଏହି ହିତାଧିକାରୀ ଚୟନ କରିଥିଲେ ଓ ଆଇଓସିଏଲ୍‌ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସେହି ନେତାମାନେ ସିଲିଣ୍ଡର୍ ବାଣ୍ଟିଲେ। ତେଣୁ ଯୋଜନାଟି ସଫଳ ହେବା ପାଇଁ କେନ୍ଦ୍ର ସରକାର ଯେପରି ଆନୁଷଙ୍ଗିକ ପଦକ୍ଷେପ ନେବା କଥ‌ା, ତାହା ନେଇ ନାହାନ୍ତି। ‌ତେଣୁ କେନ୍ଦ୍ର ମନ୍ତ୍ରୀ ଉଜ୍ଜଳା ଯୋଜନା ସମ୍ପର୍କରେ ଓଡ଼ିଶାବାସୀଙ୍କ ନିକଟରେ ସ୍ପଷ୍ଟୀକରଣ ରଖିବାକୁ ଦଳ ଦାବି କରିଛି। ଉଜ୍ଜଳା ଯୋଜନାର ମହାଦୁର୍ନୀତି ବିରୋଧରେ ଆଇଓସିଏଲ୍ ଅଫିସ୍ ସାମ୍ନାରେ ଆସନ୍ତାକାଲି ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ମହିଳା ବିଜେଡି ସଭାନେତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସୁଲୋଚନା ଦାସ, ମହିଳା ବିଜେଡି ଉପସଭାନେତ୍ରୀ ଗୀତାଞ୍ଜଳି ବସ୍ତିଆ ଓ ଭୁବନେଶ୍ୱର ଜିଲ୍ଲା ସଭାନେତ୍ରୀ ଭାରତୀ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର