ଉପରାଷ୍ଟ୍ରପତି ନିର୍ବାଚନ: ଧନଖଡ଼ଙ୍କୁ ସମର୍ଥନ ଦେବ ବିଜେଡି, ନାମାଙ୍କନ ସମୟରେ ଉପସ୍ଥିତ ରହିବେ ଦଳୀୟ ସାଂସଦ

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ବ ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ବିଜୁ ଜନତା ଦଳ (ବିଜେଡି) ସମର୍ଥନ କରିବ। ଆସନ୍ତା ୧୯ ତାରିଖରେ ହେବାକୁ ଥିବା ନାମାଙ୍କନ ଦାଖଲ ସମୟରେ ବିଜେଡି ସାଂସଦ ଉପସ୍ଥିତ ରହିବେ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥା ହୋଇଛନ୍ତି। ସୂଚନାଯୋଗ୍ୟ ଜଗଦୀପ ଧନଖଡ଼ଙ୍କ ବିରୋଧରେ ବିରୋଧୀ ଦଳ ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ ଆଲଭାଙ୍କୁ ପ୍ରାର୍ଥୀ କରିଛି।

ସୂଚନାଯୋଗ୍ୟ, ଆସନ୍ତାକାଲି ଦେଶର ସର୍ବୋଚ୍ଚ ପଦବି ‘ରାଷ୍ଟପ୍ରତି’ ପାଇଁ ନିର୍ବାଚନ ହେବ। ଏହି ପଦବି ପାଇଁ ଏନ୍‌ଡିଏର ପ୍ରାର୍ଥୀ ଓଡ଼ିଶାର ଝିଅ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ନିର୍ବାଚନ ପଡ଼ିଆରେ ଅବତୀର୍ଣ୍ଣ ହୋଇଛନ୍ତି। ଦ୍ରୌପଦୀଙ୍କ ବିରୋଧରେ ବିପକ୍ଷ ଦଳ ପକ୍ଷରୁ ଯଶୋବନ୍ତ ସିଂହ୍ନା ପ୍ରାର୍ଥୀ ହୋଇଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ବିଜେଡି ଏନ୍‌ଡିଏର ପ୍ରାର୍ଥୀ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ଜଣାଇଛି। ଏଥି ସହିତ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ରାଜ୍ୟର ଅନ୍ୟ ରାଜନୈତିକ ଦଳକୁ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇବା ପାଇଁ ଅପିଲ କରିଛନ୍ତି।

ସମ୍ବନ୍ଧିତ ଖବର