ଭୁବନେଶ୍ବର: ଲୋକସଭା ନିର୍ବାଚନମଣ୍ଡଳୀ ଆସନ ସଂଖ୍ୟା ସ୍ଥିର କରିବା ବେଳେ କେବଳ ରାଜ୍ୟର ଜନସଂଖ୍ୟାକୁ ଏକମାତ୍ର ମାନଦଣ୍ଡ ଭାବେ ଧରାନଯାଉ। ଦ୍ବିତୀୟରେ କେନ୍ଦ୍ର ସରକାର ଦେଶର ସମସ୍ତ ରାଜନୈତିକ ଦଳ ସହ ବୈଠକ କରନ୍ତୁ ଏବଂ ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଥିବା ସେମାନଙ୍କର ଦ୍ବନ୍ଦ୍ବକୁ ଦୂର କରନ୍ତୁ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି। ନବୀନଙ୍କ ଆଜିର ଭୂମିକା ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ଦେଶର ସବୁ ପ୍ରମୁଖ ଦଳର ନେତା ଯେବେ ସମର୍ଥନ ମାଗୁଥିଲେ, ସେବେ ଦୁଆର ମୁହଁରୁ ଫେରାଇ ଦେଇଥିଲେ ନବୀନ। ଆଜି କିନ୍ତୁ ପ୍ରତିପକ୍ଷ ଶିବିର ବୈଠକରେ ଭାଗନେଇ ବିଜେଡିର ପରିବର୍ତ୍ତିତ ସମୀକରଣ ସଂପର୍କରେ ଶ୍ରୀ ପଟ୍ଟନାୟକ ସଙ୍କେତ ଦେଇଛନ୍ତି। ଆହୁରି ଗୁରୁତ୍ବପୂର୍ଣ୍ଣ ହେଉଛି, ଆଜିର ବୈଠକରେ କଂଗ୍ରେସ ଯୋଗଦେଇଥିଲା। ଅତଏବ, ବିଜେଡି-କଂଗ୍ରେସ ମଧ୍ୟରେ ଦୂରତା ଯେ ଧୀରେ ଧୀରେ କମୁଛି, ଏ ଚର୍ଚ୍ଚାକୁ ସମ୍ପୂର୍ଣ୍ଣ ଟାଳିଦିଆଯାଇ ପାରିବ ନାହିଁ।
ଉଲ୍ଲେଖଯୋଗ୍ୟ, ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣକୁ ବିରୋଧ କରି ଆଜି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନଙ୍କ ଅଧ୍ୟକ୍ଷତାରେ ଚେନ୍ନାଇରେ ପ୍ରଥମ ଯୁଗ୍ମ କ୍ରିୟାନୁଷ୍ଠାନ କମିଟି ବୈଠକ ବସିଥିଲା। ଏଥିରେ ନବୀନ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ବହୁ ବର୍ଷ ହେଲା କେନ୍ଦ୍ର ସରକାର ଜନସଂଖ୍ୟା ନିୟନ୍ତ୍ରଣକୁ ଗୁରୁତ୍ବ ଦେଇଆସୁଛନ୍ତି। କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ପଞ୍ଜାବ, ଓଡ଼ିଶା ଭଳି ରାଜ୍ୟଗୁଡ଼ିକ ମଧ୍ୟ ନିଜସ୍ବ ଉଦ୍ୟମରେ ଏହି ଜାତୀୟ ଏଜେଣ୍ଡାକୁ ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି। ଯଦି ଏହି ରାଜ୍ୟଗୁଡ଼ିକ ତାଙ୍କ ଉଦ୍ୟମରେ ସଫଳ ହୋଇ ନଥାନ୍ତେ ତେବେ ଆଜି ଆମ ଦେଶର ଜନସଂଖ୍ୟା ବୃଦ୍ଧି ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଥାନ୍ତା ଏବଂ ଦେଶ ବିକାଶ ପଥରୁ ବିଚ୍ୟୁତ ହୋଇଯାଇଥାନ୍ତା। ସଶକ୍ତ ଭାରତ ଗଠନ କରିବାରେ ଏହି ରାଜ୍ୟଗୁଡ଼ିକ ଜାତୀୟ ଏଜେଣ୍ଡାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ଯଦି ଜନସଂଖ୍ୟା ଆଧାରରେ ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ କରାଯିବ, ତେବେ ଯେଉଁ ରାଜ୍ୟ ଗୁଡ଼ିକ ଜାତୀୟ ଏଜେଣ୍ଡାକୁ କାର୍ଯ୍ୟକାରୀ କରିବାକୁ ଜନସଂଖ୍ୟା ବୃଦ୍ଧି ହାର କମାଇଛନ୍ତି ସେମାନଙ୍କ ପାଇଁ ଏହା ଅନ୍ୟାୟ ହେବ।
ଓଡ଼ିଶା ସଫଳତାର ସହ ଜନସଂଖ୍ୟା ଅଭିବୃଦ୍ଧି ହାରକୁ କମାଇଛି। ଯଦି ୨୦୨୬ ମସିହାର ସମ୍ଭାବ୍ୟ ଜନସଂଖ୍ୟାକୁ ଧରାଯାଏ ତେବେ ଆମେ ଉଭୟ ଲୋକସଭା ଓ ବିଧାନସଭାରେ ଆସନ ହରାଇବୁ। ଓଡ଼ିଶା ଭଳି ଯେଉଁ ରାଜ୍ୟଗୁଡ଼ିକ ନିରନ୍ତର ଉଦ୍ୟମ କରି ଜନସଂଖ୍ୟା ବୃଦ୍ଧି ହାରକୁ କମାଇଛନ୍ତି ସେମାନଙ୍କୁ ନିରୁତ୍ସାହିତ କରା ନଯାଉ। ବିଶେଷକରି ସେମାନେ ଜାତୀୟ ସ୍ବାର୍ଥକୁ ନଜରରେ ରଖି ଏଭଳି ପଦକ୍ଷେପ ନେଇଛନ୍ତି। ଆଗାମୀ ଦିନରେ ଓଡ଼ିଶାବାସୀଙ୍କ ସ୍ବାର୍ଥ ରକ୍ଷା ପାଇଁ ଯାହା ଆବଶ୍ୟକ ପଡ଼ିବ ବିଜେଡି ତାହା କରିବ। ଏହି ବୈଠକରେ ଯୋଗଦେଇ ବିଜେଡିର କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ସଞ୍ଜୟ କୁମାର ଦାସବର୍ମା କହିଛନ୍ତି, ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ଓଡ଼ିଶା ନିଷ୍ଠାର ସହ କାର୍ଯ୍ୟକାରୀ କରିଛି। ଦେଶର ବିକାଶରେ ଓଡ଼ିଶାର ଅବଦାନ ଅତୁଳନୀୟ। ଆମର ଖଣିଜ ସମ୍ପଦକୁ ନେଇ ଦେଶ ବିକଶିତ ହୋଇଛି। ଓଡ଼ିଶା ଦେଶର ତୃତୀୟ କୃଷି ଉତ୍ପାଦନକାରୀ ରାଜ୍ୟ। ଗଣତନ୍ତ୍ରରେ ଓଡ଼ିଶାର ପ୍ରତିନିଧିତ୍ବ କେବଳ ଏକ ରାଜନୈତିକ ଆବଶ୍ୟକତା ନୁହେଁ ଏହା ଆମର ସାମ୍ବିଧାନିକ ଅଧିକାର। ଏଥିପାଇଁ ଆବଶ୍ୟକ ପଡ଼ିଲେ ଆମେ ପ୍ରତ୍ୟେକ ସ୍ତରରେ ସଂଗ୍ରାମ କରିବୁ।