ସହିଦ ଅଜିତଙ୍କ ପାର୍ଥିବ ଶରୀରରେ ବିଜେଡି ପତାକାକୁ ନେଇ ବିବାଦ : ତିନି ଜଣଙ୍କୁ ନିଲମ୍ବନ କଲା ବିଜେଡି

ବିଭିନ୍ନ ମହଲରେ ପ୍ରତିକ୍ରିୟା, ବିଜେଡିକୁ ଘେରିଲା ବିଜେପି

କାମାକ୍ଷାନଗର/ଭୁବନେଶ୍ବର : କାମାକ୍ଷାନଗର ବ୍ଲକ୍‌ ବଡ଼ସୁଆଁଳ ଗାଁର ବୀର ସହିଦ ଅଜିତ ସାହୁଙ୍କ ପାର୍ଥିବ ଶରୀରରେ ବିଜେଡି ପତାକା ଘୋଡ଼ା ହେବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବାବେଳେ ବିଜେଡି ମଧ୍ୟ ଘଟଣାକୁ ଗୁରୁତ୍ବର ସହିତ ଗ୍ରହଣ କରିଛି। ଏହି କାର୍ଯ୍ୟରେ ସମ୍ପୃକ୍ତ କଟକ ଜିଲ୍ଲାର ୩ ଜଣଙ୍କୁ ଦଳୀୟ କର୍ମୀଙ୍କୁ ନିଲମ୍ବନ କରିଛି।

ଗାଁ ଶ୍ମଶାନରେ ଗତକାଲି ସହିଦଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଗତକାଲି ସକାଳେ ତାଙ୍କ ପାର୍ଥିବ ଶରୀର ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ‌େର ଭୁବନେଶ୍ବରରୁ ଗାଁକୁ ଆସିଥିଲା। ତାଙ୍କ ଶବାଧାର ଉପରେ ବିଜେଡି ପତାକା ପଡ଼ିଥିବାର ଏକ ‌ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା।

ଏଥିନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ସହିଦଙ୍କ ପ୍ରତି ଘୋର ଅସମ୍ମାନ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚା ଚାଲିଛି। ସହିଦ ଅଜିତଙ୍କ ପାର୍ଥିବ ଶରୀର ସହିତ ତାଙ୍କ ସଂପର୍କୀୟ ଭାଇ ପରମେଶ୍ବର ସାହୁ ଭୁବନେଶ୍ବରରୁ ବଡ଼ସୁଆଁଳ ଆସିଥିଲେ। ସେ ଏ ସଂପର୍କରେ କହିଛନ୍ତି ‘ବାଟରେ ବିଭିନ୍ନ ସ୍ଥାନରେ ଜନସାଧାରଣ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପ୍ରାୟତଃ ଖୁଣ୍ଟୁଣି ନିକଟରେ କେହି ଫୁଲ ସହିତ ବିଜେଡି ପତାକା ଶବାଧାର ଉପରେ ପକାଇଥିଲେ। ଏହା ଦେଖିବା ପରେ ମୁଁ ସଙ୍ଗେ ସଙ୍ଗେ ପତାକା କାଢ଼ି ଦେଇଥିଲି।’ ବର୍ତମାନ ସହିଦଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛି। ଏ ପରିସ୍ଥିତିରେ ଏହି ଘଟଣାର ରାଜନୀତିକରଣ କରାନଯିବାକୁ ପରମେଶ୍ବର ଅନୁରୋଧ କରିଛନ୍ତି।

ବିଜେଡିର ଢେଙ୍କାନାଳ ସାଂସଦ ମହେଶ ଚନ୍ଦ୍ର ସାହୁ ଘଟଣାର ନିନ୍ଦା କରିବା ସହିତ ଏହା ଅତ୍ୟନ୍ତ ଅଶୋଭନୀୟ ବୋଲି କହିଛନ୍ତି। ସେହିଭଳି କାମାକ୍ଷାନଗରର କଂଗ୍ରେସ ନେତା ଭବାନୀ ଶଙ୍କର ମହାପାତ୍ର କହିଛନ୍ତି ‘ଶବାଧାରରେ ବିଜେଡି ପତାକା ପକାଇ ସହିଦ ଓ ଜାତୀୟ ପତାକା ପ୍ରତି ଅସମ୍ମାନ କରାଯାଇଛି।

କେବଳ ଢେଙ୍କାନାଳ କି କାମାକ୍ଷାନଗର ଅଞ୍ଚଳରେ ଏହି ଘଟଣା ମଧ୍ୟ ରାଜ୍ୟ ରାଜନୀତିକୁ ଛୁଇଁଥିଲା। ଭୁବନେଶ୍ବରଠାରେ ଭାରତୀୟ ଜନତା ପାର୍ଟି ସାମ୍ବାଦିକ ସମ୍ମିଳନୀ କରି ଏହାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବି କରିଥିଲା।

ଶୁକ୍ରବାର ବିଜେପିର ରାଜ୍ୟ ସଂଯୋଜକ କର୍ଣ୍ଣେଲ ବୀରେନ୍ଦ୍ର କୁମାର ବସ୍ତିଆ ଅଭିଯୋଗ କରି କହିଥିଲେ ଗୁରୁବାର ସହିଦ ଅଜିତ ସାହୁଙ୍କ ମରଶରୀର ଭୁବନେଶ୍ବରରୁ ଢେଙ୍କାନାଳର କାମାକ୍ଷନଗର ନିଆଯାଉଥିବାବେଳେ ରାସ୍ତାର ବିଭିନ୍ନ ସ୍ଥାନରେ ସାଧାରଣ ଜନତା, ବିଭିନ୍ନ ରାଜନୈତିକ ଦଳ, ସାମାଜିକ ଅନୁଷ୍ଠାନ ପକ୍ଷରୁ ପାର୍ଥିବ ଶରୀରକୁ ସମ୍ମାନିତ କରାଯାଇଥିଲା। ପାର୍ଥିବ ଶରୀର ଉପରେ ଜାତୀୟ ପତାକା ତ୍ରିରଙ୍ଗା ରଖାଯାଇ ସମ୍ମାନିତ କରାଯାଇଥିବାବେଳେ କଟକରେ ବିଜୁ ଜନତା ଦଳର କେତେଜଣ କର୍ମୀ ବିଜେଡିର ଦଳୀୟ ପତାକାକୁ ମରଶରୀର ଉପରେ ଘୋଡ଼ାଇ ଦେଇଥିଲେ। ଯାହା ଅତ୍ୟନ୍ତ ଲଜ୍ଜାଜନକ। ବିଜୁ ଜନତା ଦଳ ଏଭଳି ଘୃଣ୍ୟ ଆଚରଣ କରିଥିବା କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ବିଜେଡି ସଭାପତି କ୍ଷମା ମାଗନ୍ତୁ ବୋଲି ଶ୍ରୀ ବସ୍ତିଆ ଦାବି କରିଥିଲେ।

ପରେ ବିଜେଡି ପକ୍ଷରୁ ଏହି ଘଟଣାର ତର୍ଜମା କରାଯାଇ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲାର ୩ ଜଣ କର୍ମୀଙ୍କୁ ତୁରନ୍ତ ଦଳରୁ ନିଲମ୍ବନ କରାଯାଇଛି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଥିଲେ। ନିଲମ୍ବିତ ବିଜେଡିର କର୍ମୀମାନେ ‌େହଲେ, କଟକ ଜିଲ୍ଲାର ବିନୋଦ କୁମାର ମାଝୀ, ସନ୍ତୋଷ କୁମାର ସାହୁ ଓ ଗୋବର୍ଦ୍ଧନ ଦାସ।

ସମ୍ବନ୍ଧିତ ଖବର