ଦଳ ଭିତରୁ ବିଜେଡି ଉତ୍ତରାଧିକାରୀ: ନବୀନ

ନିର୍ବାଚନରେ ବିଜେପି ପ୍ରଦର୍ଶନ ପ୍ରଶଂସନୀୟ, କଂଗ୍ରେସ ଆହୁରି କଠିନ ପରିଶ୍ରମ କରିବା ଉଚିତ୍, ନିଜ ସ୍ବାର୍ଥ ପୂରଣ ନହେବାରୁ ପୁରୁଖା ବିଜେଡି ଛାଡ଼ିଲେ

ଭୁବନେଶ୍ବର : ବିକାଶ ହିଁ ବିଜେଡିର ମୂଳମନ୍ତ୍ର। ଥରେ ନୁହେଁ କି ଦୁଇଥର। ଲଗାତାର ପଞ୍ଚମ ଥର ପାଇଁ ବିଜୁ ଜନତା ଦଳ ଉପରେ ଓଡ଼ିଶାର ଜନସାଧାରଣ ଆସ୍ଥା ପ୍ରକଟ କରିଛନ୍ତି। ସେଥିପାଇଁ ରାଜ୍ୟବାସୀଙ୍କ ପାଖରେ ଦଳ କୃତଜ୍ଞ। ଆଜି ଏକ ଜାତୀୟସ୍ତରରେ ଟେଲିଭିଜନ ଚାନେଲରେ ଏପରି ଭାବେ ମନର କଥା କହିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଆହୁରି ସ୍ପଷ୍ଟ କରିଦେଇଛନ୍ତି େଯ ‘ଆଗାମୀ ଦିନରେ ବିଜେଡି ହିଁ ତାର ଉତ୍ତରାଧିକାରୀ ଚୟନ କରିବ’। ଷଷ୍ଠ ଥର ପାଇଁ ଯଦି ଲୋକଙ୍କ ସେବା କରିବାକୁ ସୁଯୋଗ ମିଳିବା ତା ହେଲେ ସେଥିପାଇଁ ସେ ପ୍ରସ୍ତୁତ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସୋମବାର ଜାତୀୟ ଟେଲିଭିଜନ ଚାନେଲ ‘ଇଣ୍ଡିଆ ଟୁଡେ’ରେ ନବୀନ କହିଥିଲେ, ସାରା ଦେଶରେ ମୋଦୀ ଓ ଶାହଙ୍କ ମ୍ୟାଜିକ କାମ କରିଥିଲେ ବି ଓଡ଼ିଶାରେ କାମ ନକରିବାର ଅସଲ କଥା ହେଲା, ରାଜ୍ୟରେ ଚାରି ଚାରି ଥର ସରକାରରେ ଥିବା ବିଜେଡି ସରକାର ଲୋକଙ୍କ ବିକାଶ ପାଇଁ ଯୋଜନା କରିଆସିଛି। ସମାଜର ସବୁ ବର୍ଗର ଲୋକଙ୍କ ସୁଖ ଦୁଃଖରେ ରହିଛି। ଲୋକଙ୍କ କଲ୍ୟାଣମୂଳକ କାମରେ ଦଳର କର୍ମୀ ଓ ନେତା ଅହରହ ଉଦ୍ୟମ କରିଛନ୍ତି। ସେଥିପାଇଁ ପଞ୍ଚମ ଥର ପାଇଁ ଓଡ଼ିଶାର ଲୋକେ ବିଜୁ ଜନତା ଦଳକୁ ସରକାର ଗଠନ ପାଇଁ ନିର୍ବାଚିତ କରିଛନ୍ତି। ଏହା ହିଁ ବିଜେଡିର କ୍ରମାଗତ ବିଜୟୀ ହେବାର ଚାବିକାଠି। ଏଥରକ ନିର୍ବାଚନରେ ବିଜେଡି ଲୋକସଭା ଆସନରେ ସେଭଳିଆ ଭଲ ପ୍ରଦର୍ଶନ କରିନଥିଲେ ବି ଦଳର ଭୋଟଅଂଶ ୨ ପ୍ରତିଶତ ବୃଦ୍ଧି ପାଇଛି। ସେଥିପାଇଁ ଉଦାରହୃଦୟ ସମ୍ପନ୍ନ ଓଡ଼ିଶାବାସୀ ଓ ଦଳର ନେତା ତଥା କର୍ମୀଙ୍କୁ ନବୀନ ଧନ୍ୟବାଦ ଜଣାଇଛନ୍ତି।

ସାଧାରଣ ନିର୍ବାଚନରେ ବିଜେପିର ସଫଳତାକୁ ପ୍ରଶଂସା କରିଛନ୍ତି ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ। କଂଗ୍ରେସ ଆହୁରି କଠିନ ପରିଶ୍ରମ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ‘ଫନି’ ବାତ୍ୟା ପରେ କ୍ଷୟକ୍ଷତି ବୁଲି ଦେଖିବାକୁ ଆସିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ବନ୍ଧୁତ୍ବପୂର୍ଣ୍ଣ ମୂହୁର୍ତ୍ତ କିଛିଟା ଏନଡିଏର ନିକଟତର ଦର୍ଶାଉଥିବା ନେଇ ପ୍ରଶ୍ନରେ ନବୀନ କହିଥିଲେ, ବିଜେଡି ସରକାର ଗଠନମୂଳକ ସଂଘୀୟ ବ୍ୟବସ୍ଥାରେ ବିଶ୍ବାସ ରଖେ। ଆଗାମୀ ଦିନରେ କେନ୍ଦ୍ର ଏନଡିଏ ସରକାର ଓଡ଼ିଶାର ସ୍ବାର୍ଥ ସମ୍ବଳିତ ଦାବିଗୁଡ଼ିକ ପୂରଣ କରିବେ ବୋଲି ଆଶା କରାଯାଉଛି। ଯେହେତୁ ବିଜେଡିର ବହୁ ପୁରୁଖା ତଥା ତୁଙ୍ଗ ନେତା ଦଳ ଛାଡ଼ିଛନ୍ତି, ଏବେ ସେମାନଙ୍କ ବିନା ଆଗାମୀ ୫ ବର୍ଷ ସରକାର ଚଳାଇବାରେ କିଛି ଅସୁବିଧା ହେବ କି ବୋଲି ପ୍ରଶ୍ନର ଉତ୍ତରେ ନବୀନ କହିଛନ୍ତି, ସେ ରାଜ୍ୟର ବିକାଶମୂଳକ କାର୍ଯ୍ୟରେ ସବୁବେଳେ ନିଜକୁ ନିୟୋଜିତ କରିଥାନ୍ତି। କିଛି ବରିଷ୍ଠ ନେତା ଟିକେଟରୁ ବଞ୍ଚିତ ହେବା ପରେ ଦଳ ଛାଡ଼ିଛନ୍ତି ଆଉ କେତେକ ନିଲମ୍ବିତ ହେବା ପରେ ବିଜେଡି ଛାଡ଼ିଛନ୍ତି। ସେମାନଙ୍କ ଅନୁପସ୍ଥିତି କିଛି ବି ପ୍ରଭାବ ପକାଇବ ନାହିଁ। ପଞ୍ଚମ ପାଳିରେ ରାଜ୍ୟବାସୀଙ୍କ ବିକାଶ ପାଇଁ ଉଦ୍ୟମ ଆହୁରି ଜୋରଦାର ହେବ ବୋଲି ସେ କହିଛନ୍ତି।

ବିଜେଡିର ଉତ୍ତରାଧିକାରୀ କିଏ ହେବ ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଭବିଷ୍ୟତରେ ବିଜେଡିର ମଙ୍ଗ କିଏ ସମ୍ଭାଳିବ ସେ ନେଇ କିଛି ବି ଚିନ୍ତା କରାଯାଇନି। କିନ୍ତୁ ବିଜେଡି ନିରନ୍ତର ଭାବେ ରାଜ୍ୟବାସୀଙ୍କ ସେବା କରିଚାଲିଥିବ। ଆଉ ଦଳ ଭିତରୁ ହିଁ ବିଜେଡିର ସର୍ବମାନ୍ୟ ନେତା ବାହାରିବେ। ଲୋକଙ୍କ ବିକାଶ ପାଇଁ ଉତ୍ସର୍ଗୀକୃତ ଭାବେ ଯିଏ କାମ କରିବ ତାକୁ ହିଁ ଲୋକେ ନେତା ରୂପରେ ବାଛିବେ। ‘ଫନି’ ବାତ୍ୟାର ବିଭୀଷିକାରେ ଏବେ ବି ରାଜ୍ୟବାସୀ ଜର୍ଜରିତ। ସେଥିପାଇଁ ୨୦୧୯ ନିର୍ବାଚନରେ ବିଜେଡି ରାଜ୍ୟରେ ସରକାର ଗଠନ ପାଇଁ ଏକକ ସଂଖ୍ୟା ଗରିଷ୍ଠତା ପାଇଥିଲେ ବି ଆନନ୍ଦ ଉଲ୍ଲାସ ପାଇଁ କୌଣସି ଆଡ଼ମ୍ବର କରାଯିବନାହିଁ ବୋଲି ନବୀନ କହିଥିଲେ।

ସମ୍ବନ୍ଧିତ ଖବର