ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ଉପସ୍ଥିତ ରହିବେ ବିଜେଡିିର ଦୁଇ ମନ୍ତ୍ରୀ, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ନୂଆଦିଲ୍ଲୀରେ ବିଜେଡିର ଦୁଇ ମନ୍ତ୍ରୀ ଉପସ୍ଥିତ ରହିବେ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟ୍ବିଟରରେ ସୂଚନା ଦେଇଛନ୍ତି। ଏଥିସହ ସେମାନେ ଶ୍ରୀମତୀ ମୁର୍ମୁଙ୍କ ନାମାଙ୍କନ ପତ୍ରରେ ପ୍ରସ୍ତାବକ ଭାବେ ସ୍ବାକ୍ଷର କରିବେ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି।  ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲ କରିବେ। ସେ ଆଜି ସକାଳେ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି।

ନିଜ ଟ୍ବିଟରରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତ, ବିଜେପି ସଭାପତି ଜେ ପି ନଡ୍ଡାଜୀ ମୋତେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଜୀଙ୍କର ନାମାଙ୍କନପତ୍ର ଦାଖଲ ବିଷୟରେ କହିଥିଲେ। ମୋର କ୍ୟାବିନେଟ୍ ସହକର୍ମୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଆଜି ନାମାଙ୍କନ ପତ୍ରରେ ଦସ୍ତଖତ କରିବେ। ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡିର ଦୁଇ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଉପସ୍ଥିତ ରହିବେ। ଏହି ଦୁଇ ମନ୍ତ୍ରୀ ଶ୍ରୀମତୀ ମୁର୍ମୁଙ୍କ ସହ ଦିଲ୍ଲୀ ଯାତ୍ରା କରିଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଗତକାଲି ଖୋଲା ସମର୍ଥନ ଘୋଷଣା କରିଛନ୍ତି। କେବଳ ନିଜ ଦଳର ସମର୍ଥନ ଦେଇନାହାନ୍ତି, ବରଂ ଓଡ଼ିଶା ବିଧାନସଭାରେ ସବୁ ଦଳର ସଭ୍ୟମାନେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟକୁ ଯିବା ପାଇଁ ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ନିବେଦନ କରିଛନ୍ତି। ଇଟାଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଗତକାଲି ଅପରାହ୍ନରେ ଟ୍ବିଟ୍ କରି ଏହି ନିବେଦନ କରିଛନ୍ତି।

ଗତକାଲି ନବୀନଙ୍କ ଟ୍ବିଟରୁ ବିଜେଡିର ସମର୍ଥନର ସ୍ପଷ୍ଟ ସଙ୍କେତ ମିଳିଥିଲା। ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଗଲା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତୁରନ୍ତ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାବାସୀଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଥିଲେ। ଆଉ ପାଦେ ଆଗେଇ ଯାଇ ଏକଥା ବି ପରୋକ୍ଷରେ ଜଣାଇ ଦେଇଥିଲେ ଯେ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ। ବିଜେଡିର ସମର୍ଥନ ମିଳିବା ସ୍ପଷ୍ଟ ହୋଇଯାଇଥିବାରୁ ଆଉ ଶ୍ରୀମତୀ ମୁର୍ମୁଙ୍କୁ ରାଇସିନା ହିଲରେ ପହଞ୍ଚିବା ପାଇଁ କୌଣସି ପ୍ରତିବନ୍ଧକ ରହିବ ନାହିଁ।

ସମର୍ଥନ ନେଇ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ୍‌ ପରେ ଧନ୍ୟବାଦ ଜଣାଇଛନ୍ତି ଶ୍ରୀମତୀ ମୁର୍ମୁ। ଟ୍ବିଟ୍‌ କରି ସେ କହିଛନ୍ତି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଶା ବିଧାନସଭାର ସମସ୍ତ ବିଧାୟକଙ୍କୁ ଦଳ ଅପେକ୍ଷା ଓଡ଼ିଶା ମାଟିର ଝିଅଙ୍କୁ ପ୍ରଥମ କରି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିସର୍ତ୍ତ ସମର୍ଥନ କରିବାକୁ ଆହ୍ବାନ କରିଥିବାରୁ ଅଶେଷ ଧନ୍ୟବାଦ। ଏହା ତାଙ୍କର ଓଡ଼ିଶା ମାଟି ତଥା ଓଡ଼ିଶାବାସୀଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ନିଷ୍ପାପ ଭଲ ପାଇବାକୁ ପ୍ରତିଫଳନ କରୁଛି।

ସମ୍ବନ୍ଧିତ ଖବର