ଜାତୀୟ ଶିକ୍ଷା ନୀତି ଉପରେ ଆଲୋଚନା କରିବ ବିଜେଡି

୮ ଓ ୧୬ରେ ୱେବିନାର

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଜାତୀୟ ଶିକ୍ଷାନୀତି-୨୦୨୦ ସମ୍ପର୍କରେ ବିଜୁ ଜନତା ଦଳର କଳା, ସଂସ୍କୃତି ଓ ମାନବ ସମ୍ବଳ ବିଭାଗ ବ୍ୟାପକ ଆଲୋଚନା ଓ ପର୍ଯ୍ୟାଲୋଚନା କରିବ। ଘୋଷିତ ଶିକ୍ଷା ନୀତି ଓଡ଼ିଶାର ସ୍ବାର୍ଥ ଦୃଷ୍ଟିରୁ କେତେ ଫଳପ୍ରଦ ହେବ ସେନେଇ ୱେବିନାର ମାଧ୍ୟମରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରାଯିବ। ଓଡ଼ିଶାର ଭୌଗୋଳିକ ସ୍ଥିତି, ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆବର୍ଗର ଛାତ୍ରଛାତ୍ରୀଙ୍କ ଅନୁପାତକୁ ଦୃଷ୍ଟିରେ ରଖି ସବୁ ବର୍ଗର ସତ୍ତ୍ବାଧିକାରୀଙ୍କ ସହ ପରାମର୍ଶ ଓ ଆଲୋଚନା କରିବା ଲାଗି ଅଗଷ୍ଟ ୮ ଓ ୧୬ ତାରିଖରେ ୪ଟି କର୍ମଶାଳାର ଆୟୋଜନ କରିବାକୁ ଆଜି ଅନଲାଇନ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏହି କର୍ମଶାଳାରେ ଓଡ଼ିଶାର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା, ଶିକ୍ଷକ ସଙ୍ଗଠନ, ଶିକ୍ଷାବିତ୍‌, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଆମନ୍ତ୍ରଣ କରାଯାଇ ନୂତନ ଶିକ୍ଷାନୀତି ସମ୍ପର୍କରେ ଆଲୋଚନା ହେବ। ଅଗଷ୍ଟ ୮ ଓ ୧୬ରେ ଦୁଇଟି ଲେଖାଏ କର୍ମଶାଳା ହେବ। ପ୍ରଥମ କର୍ମଶାଳା ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଓ ଦ୍ବିତୀୟଟି ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଉକ୍ତ ୱେବିନାରଗୁଡ଼ିକୁ ବିଜୁ ଜନତା ଦଳର ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ, ବରିଷ୍ଠ ସାଧାରଣ ସମ୍ପାଦକ ଅରୁଣ କୁମାର ସାହୁ, ସାଧାରଣ ସମ୍ପାଦକ ରୋହିତ ପୂଜାରୀ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଜନ୍ମେଜୟ ଲେଙ୍କା, ସତ୍ୟବ୍ରତ ପାତ୍ର ଓ ସାରଦା ପ୍ରସାଦ ଜେନା ପ୍ରମୁଖ ସଂଯୋଜନା କରିବେ। କରୋନା କଟକଣାକୁ ଦୃଷ୍ଟିରେ ରଖି ଏହି ପରାମର୍ଶ ଓ ଆଲୋଚନା ସଭା ୱେବିନାର ମାଧ୍ୟମରେ କରାଯାଉଛି ବୋଲି ଦଳର ସାଧାରଣ ସମ୍ପାଦକ ଜନ୍ମେଜୟ ଲେଙ୍କା ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର