ଭୁବନେଶ୍ବର: ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ କିଏ ଉତ୍ତରାଧିକାରୀ ହେବ ତାହାକୁ ନେଇ ଦୀର୍ଘଦିନ ଚର୍ଚ୍ଚା ଲାଗି ରହିଛି। ହେଲେ ଏ ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି ନିଜେ ନବୀନ। ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇକୁ ଦେଇଥିବା ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭି.କେ. ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି। ଉତ୍ତରାଧିକାରୀ କିଏ ହେବ ତାହା ରାଜ୍ୟବାସୀ ନିଷ୍ପତ୍ତି ନେବେ। ଏକଥା ମୁଁ ବହୁ ପୂର୍ବରୁ କହିସାରିଛି। କାହିଁକି ଏଭଳି ଅପପ୍ରଚାର କରାଯାଉଛି ତାହା ବୁଝିପାରୁନି। ପାଣ୍ଡିଆନ ନିର୍ବାଚନ ମଧ୍ୟ ଲଢ଼ୁ ନାହାନ୍ତି। ଏହାକୁ ଅତିରଞ୍ଜିତ କରି ଚିତ୍ରଣ କରାଯାଉଛି। ଆଇଏଏସ୍‌ରୁ ଇସ୍ତଫା ଦେବା ପରେ ପାଣ୍ଡିଆନ ରାଜନୀତିରେ ଯୋଗ ଦେଇଛନ୍ତି। ମୁଁ ସବୁ କ୍ୟାବିନେଟ୍‌ ବୈଠକରେ ଅଧ୍ୟକ୍ଷତା କରେ। କୌଣସି କ୍ୟାବିନେଟ ବୈଠକ ହୋଇନାହିଁ ଯେଉଁ ବୈଠକରେ ମୁଁ ଅଧକ୍ଷତା କରିନାହିଁ। ସେହିପରି ବିଗତ ୨୭ବର୍ଷ ହେବ ମୁଁ ରାଜନୀତିରେ ଅଛି। ବିଜେଡି ଓଡ଼ିଶା ଲୋକଙ୍କ ସେବା ପାଇଁ ଗଠନ ହୋଇଥିଲା, ଆଉ ଏହି କାମ କରି ଚାଲିଛୁ। ମୋ ପରେ ବି ବିଜେଡି ଲୋକଙ୍କ ପାଇଁ କାମ କରିବ। ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଜଳସେଚନ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା, ମହିଳାଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି ଓ ଏହା ଜାରି ରହିବ। ମୁଁ ଲୋକଙ୍କ ସହ ଭଲରେ ମିଶିଥାଏ। ଗତ ମାସେ ହେବ ରାଜ୍ୟବ୍ୟାପୀ ବିଭିନ୍ନ ଲୋକଙ୍କ ସହ ମିଶୁଛି।

Advertisment

ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବିଜେଡି
ଭଲ ବନ୍ଧୁ ହିସାବରେ ମତେ ଫୋନ୍ କରିପାରିଥା’ନ୍ତେ ପ୍ରଧାନମନ୍ତ୍ରୀ
ଲୋକଙ୍କ ସହ ମୁଁ ଭଲରେ ମିଶିଥାଏ

ବିଜେଡି ନେତାଙ୍କ ବଦଳରେ ଶ୍ରୀ ପାଣ୍ଡିଆନଙ୍କ ଦଳରେ ଅଧିକ ପ୍ରଭାବ ରହିଥିବା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜେଡି ନେତାମାନେ ବଡ଼ ପଦପଦବିରେ ରହିଛନ୍ତି। ସେମାନଙ୍କୁ ମଧ୍ୟରୁ ଅନେକ ମନ୍ତ୍ରୀ ହୋଇଛନ୍ତି। ଗଣତନ୍ତ୍ରରେ ଲୋକ ପ୍ରତିନିଧି ଭାବେ ସେମାନଙ୍କର ଯେଉଁ କ୍ଷମତା ରହିବା କଥା ତାହା ରହିଛି। ଚଳିତ ନିର୍ବାଚନରେ ବିଜେଡି ବେଶ୍ ଭଲ ପ୍ରଦର୍ଶନ କରିବ। ପୁନର୍ବାର କ୍ଷମତାକୁ ଫେରିବୁ ଓ ‌ଲୋକସଭାରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ। ମୁଖ୍ୟ ଆସନ୍ତା ୫ ବର୍ଷ ପାଇଁ ପୁଣି ମୁଖ୍ୟମନ୍ତ୍ରୀ ହେବି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଚଳିତ ନିର୍ବାଚନରେ ଏକ ପ୍ରମୁଖ ପ୍ରସଙ୍ଗ ରହିଥିଲା। ପ୍ରଧାନମନ୍ତ୍ରୀ ମଧ୍ୟ ଏକ ସଭାରେ ଏହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଏହି ପ୍ରଶ୍ନ ଉପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଯଦି ମୋ ସ୍ବାସ୍ଥ୍ୟକୁ ନେଇ ଏତେ ଚିନ୍ତିତ ତାହାଲେ ମତେ ଫୋନ୍ କରି ସ୍ବାସ୍ଥ୍ୟ ବିଷୟରେ ପଚାରି ପାରିଥା’ନ୍ତେ।

ଏକ ଜନସଭାରେ ପ୍ରଧାନମନ୍ତ୍ରୀ, ମୁଁ ତାଙ୍କର ଜଣେ ଭଲ ବନ୍ଧୁ ବୋଲି କହିଥିଲେ। ତେଣୁ ମୋତେ ଫୋନ୍ କରିବା‌ରେ କୌଣସି ସମସ୍ୟା ନ ଥିଲା। ଏପରି ନ କରି ରାଜନୈତିକ କାର୍ଯ୍ୟକ୍ରମରେ ଭୋଟ୍‌ ହାତେଇବା ଉଦ୍ଦେଶ୍ୟରେ ଏଭଳି ମନ୍ତବ୍ୟ ଦେଇଛନ୍ତି। ମୁଁ ସୁସ୍ଥ ଅଛି ଓ ଗତ ୧ମାସ ହେବ ଭୀଷଣ ଗରମରେ ନିର୍ବାଚନ ପ୍ରଚାର କରୁଛି। ଗତ ୧୦ବର୍ଷ ହେବ କେନ୍ଦ୍ରର ବିଜେପି ନେତା ଏଭଳି ଅପପ୍ରଚାର ଚଳାଇଛନ୍ତି। ବିରୋଧୀ ହତାଶ ହୋଇ ପଡ଼ିଛନ୍ତି। କାରଣ ସେମାନଙ୍କ ଲୋକପ୍ରିୟତା ଦିନକୁ ଦିନ କମିବାରେ ଲାଗିଛି। ରାଜନୈତିକ କାର୍ଯ୍ୟକ୍ରମରେ ବ୍ୟକ୍ତିଗତ ଆକ୍ରମଣ ହେଉଥିବା ବେଳେ ଦେଶର ଅନ୍ୟ କୌଣସି ରାଜନୈତିକ ଦଳ ଆପଣଙ୍କୁ କାହିଁକି ସମର୍ଥନ ଜଣାଇଲେନି ବୋଲି ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାଧାରଣ ନିର୍ବାଚନ ଚାଲୁଥିବା ବେଳେ ସମସ୍ତେ ନିଜ ନିଜ ଏଜେଣ୍ଡାକୁ ନେଇ ବ୍ୟସ୍ତ।