ସଂସଦରେ ବିଜେଡି ଖେଳିବ ଚାଷୀ କାର୍ଡ

୧୩ ପ୍ରମୁଖ ପ୍ରସଙ୍ଗ ଏକାଠି କଲା ଦଳ, ନବୀନ ନେଲେ ସାଂସଦମାନଙ୍କ ବୈଠକ

ଭୁବନେଶ୍ବର : ଚାଷୀ ପ୍ରସଙ୍ଗକୁ ନେଇ ଆଗକୁ ବଢ଼ିବା ଲାଗି ବିଜେଡି ନିଷ୍ପତ୍ତି ନେଇଛି। ସୋମବାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂସଦୀୟ ଦଳ ବୈଠକରେ ସ୍ଥିର ହୋଇଛି ଯେ ଚାଷୀଙ୍କ ପାଇଁ ଦଳ ସଂସଦରେ ଲଢେଇ କରିବ। ଏଥିସହିତ ମୋଟ ୧୩ଟି ପ୍ରସଙ୍ଗ ଉଠାଯିବ ବଜେଟ୍ ଅଧିବେଶନରେ। ୧ ତାରିଖରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେଉଛି।

ଭର୍ଚୁଆଲ ବୈଠକରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଦେଇଥିଲେ ଯେ ଚାଷୀ ପ୍ରସଙ୍ଗରେ ଦଳ ପଛକୁ ଯିବାର ପ୍ରଶ୍ନ ଉଠୁନାହିଁ। ଧାନର ସର୍ବନିମ୍ନ ମୂଲ୍ୟ ବୃଦ୍ଧି ପ୍ରସଙ୍ଗକୁ ଅଧିକ ଗୁରୁତ୍ବ ଦିଆଯାଉଛି। ଏହାସହିତ ସ୍ବାମୀନାଥନ୍ ରିପୋର୍ଟ କାର୍ଯ୍ୟାନ୍ବୟନ ରିପୋର୍ଟରେ ସାଂସଦମାନଙ୍କୁ ଜୋରଦାର ମତ ଉପସ୍ଥାପନ କରିବାକୁ ହେବ। ଉଭୟ ପ୍ରସଙ୍ଗରେ ରାଜ୍ୟ କ୍ୟାବିନେଟ୍‌ରେ ସଂକଳ୍ପ ପାରିତ ହୋଇସାରିଛି। ଗୋଟିଏ ପଟେ ନୂଆଦିଲ୍ଲୀରେ ଚାଷୀ ଆନ୍ଦୋଳନ ଜୋରଦାର ଚାଲିଥିବା ବେଳେ ଏପଟେ ଧାନ କିଣା ପ୍ରସଙ୍ଗରେ ସରକାରଙ୍କୁ ବିଜେପି ଘେରୁଛି। ବିଜେଡି ଯଦିଓ ନୂଆଦିଲ୍ଲୀ ଆନ୍ଦୋଳନକୁ ସମର୍ଥନ କରି ଏଯାଏ ଆନ୍ଦୋଳନରେ ଯୋଗଦାନ କରିନି, କିନ୍ତୁ ଚାଷୀ କାର୍ଡ ଖେଳୁଛି। ଆଜିର ବୈଠକ ପରେ ଆହୁରି ସ୍ପଷ୍ଟ ହୋଇଯାଇଛି ଯେ ବିଜେଡି ତା’ଢଙ୍ଗରେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବ। ହେଲେ ଏ କ୍ଷେତ୍ରରେ ଯେଉଁ ମୌଳିକ ପ୍ରଶ୍ନଟି ରହିଛି ତାହା ହେଲା, ଯେତେବେଳେ ବିରୋଧୀ ଦଳ ଚାଷୀ ଆଇନକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିବେ, ସେବେ ବିଜେଡି କି ଆଭିମୁଖ୍ୟ ନେବ? ଏ କ୍ଷେତ୍ରରେ କିନ୍ତୁ କୌଣସି ସ୍ପଷ୍ଟ ସଙ୍କେତ ମୁଖିଆ ଦେଇନାହାନ୍ତି।

ବୈଠକର ନିଷ୍ପତ୍ତି ସଂପର୍କରେ ସାଂସଦ ସସ୍ମିତ୍ ପାତ୍ର ଗଣମାଧ୍ୟମକୁ କହିଥିଲେ ଯେ କୋଇଲା ରୟାଲ୍‌ଟି ବୃଦ୍ଧି, ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ, ବିଧାନ ପରିଷଦ ଗଠନ ପ୍ରସଙ୍ଗ ଦଳ ଉଠାଇବ।

ପୁରୀରେ ଅନ୍ତର୍ଜାତିକ ବିମାନବନ୍ଦର, ରେଳବାଇ ୩୦୦ଟି ଯାତ୍ରୀ ରହଣୀସ୍ଥଳ ପ୍ରତ୍ୟାହାର କରିବା, ମାଗଣା ଜମି ଓ ପ୍ରକଳ୍ପର ୫୦ ପ୍ରତିଶତ ଖର୍ଚ୍ଚ ଦେବା ପରେ ବି ଖୋର୍ଧା ବଲାଙ୍ଗୀର ରେଳପଥ ଆଗେଇ ନ ପାରିବା, ଅନୁଗୁଳ-ସୁକିନ୍ଦା ଏବଂ କେନ୍ଦ୍ରାପଡାକୁ ପାସେଞ୍ଜର ଟ୍ରେନ୍ ଚଳାଚଳ, ଶୀତଳପାଲି ଵାଗନ୍ ଫ୍ୟାକ୍ଟ୍ରି ଏବଂ କଳାହାଣ୍ଡିରେ ଲୋକମୋଟିଭ୍ ମେଣ୍ଟେନାନ୍ସ ଵାର୍କସପ୍ ପ୍ରକଳ୍ପ ଅଗ୍ରଗତି ନ ହେବା ପ୍ରସଙ୍ଗରେ ବି ସାଂସଦମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ।

ଏହାଛଡ଼ା, କୋଶଳୀ ଓ ହୋ ଏବଂ ସମ୍ବଲପୁରୀ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା, କେନ୍ଦୁପତ୍ର ଉପରୁ ଜିଏସ୍‌ଟି ହ୍ରାସ, ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ସମ୍ବିଧାନ ମୁଖବନ୍ଧରେ ଅହିଂସା ଶଦ୍ଦକୁ ସ୍ଥାନୀତ କରିବା ଆଦି ପ୍ରସଙ୍ଗ ଉଠାଇବାକୁ ନବୀନ ସାଂସଦମାନଙ୍କୁ ନିର୍ଦେଶ ଦେଇଛନ୍ତି। ଆଜିର ବୈଠକରେ ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର