ଭୁବନେଶ୍ବର: ଲୋକସଭାରେ ବିଜେଡିର ପ୍ରତିନିଧିତ୍ବ ଶୂନ ହୋଇଯାଇଛି। ଏବେ ଜାତୀୟ ରାଜନୀତିରେ କେବଳ ରାଜ୍ୟସଭାର ସଂଖ୍ୟାକୁ ନେଇ ବିଜେଡି ନିଜ ଉପସ୍ଥିତି ଜାହିର କରିପାରିବ। ଓଡ଼ିଶାର ୧୦ଟି ରାଜ୍ୟସଭା ସଦସ୍ୟ ପଦରୁ ୯ଟି ବିଜେଡି ହାତରେ। ରାଜ୍ୟସଭାରେ ଦଳ ଯେମିତି ପ୍ରଭାବୀ ଢଙ୍ଗରେ ପ୍ରଦର୍ଶନ କରିବ, ସେଥିପାଇଁ ନବୀନ ନିବାସରେ ରଣନୀତି ପ୍ରସ୍ତୁତ କରାଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୯ ଜଣ ଯାକ ସାଂସଦ ଯୋଗ ଦେଇଥିଲେ। ରାଜ୍ୟସଭାରେ ବିଜେଡି କଠୋର ଆଭିମୁଖ୍ୟ ଗ୍ରହଣ କରିବ। ରାଜ୍ୟର ବିକାଶ ଓ ରାଜ୍ୟବାସୀଙ୍କ ସ୍ବାର୍ଥ ସମ୍ବଳିତ ସମସ୍ତ ପ୍ରସଙ୍ଗକୁ ରାଜ୍ୟସଭାରେ ଜୋର୍ଦାର ଉଠାଯିବ। ଏଥିପାଇଁ ସାଂସଦମାନେ ପ୍ରସ୍ତୁତ ରହିବାକୁ ସଭାପତି ପରାମର୍ଶ ଦେଇଥିଲେ।
ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଓଡିଶାକୁ ସ୍ୱତନ୍ତ୍ର କାଟାଗୋରି ରାଜ୍ୟ ମାନ୍ୟତା ପାଇଁ ହେଉଥିବା ଦୀର୍ଘ ଦିନର ଦାବିକୁ ବିଜେଡି ସଂସଦରେ ଉଠାଇବ। ଯେହେତୁ ରାଜ୍ୟ ବାରମ୍ବାର ପ୍ରାକୃତିକ ଦୁର୍ବିପାକର ସାମ୍ନା କରୁଛି, ତେଣୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନିହାତି ଆବଶ୍ୟକ। ୨୦୧୪ରେ ଓଡ଼ିଶା ବିଜେପିର ନିର୍ବାଚନୀ ଇସ୍ତାହାରରେ ଏହି ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ତାହାକୁ ପାଳନ କରାଯାଇ ନାହିଁ। ସେହିଭଳି ଓଡ଼ିଶାରେ ଜାତୀୟ ରାଜପଥ ସ୍ଥିତି ବହୁତ ଖରାପ। ପ୍ରକଳ୍ପ କାର୍ଯ୍ୟକାରିତା ଅତ୍ୟନ୍ତ ମନ୍ଥର ହୋଇଥିବା ବେଳେ ମରାମତି କାର୍ଯ୍ୟ ବି ଠିକ୍ ହେଉନାହିଁ। କଟକ-ସମ୍ବଲପୁର ନିର୍ମାଣାଧୀନ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ସେହିଭଳି ୧୦ ବର୍ଷ ହେଲା ଉପକୂଳ ରାଜପଥ କାମ ଆରମ୍ଭ ହୋଇପାରୁନି। ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଇବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି। ଗତ ୧୦ ବର୍ଷ ଧରି ୧୫ ଲକ୍ଷରୁ ଅଧିକ ଘର ବ୍ଲକ୍ କରିଦିଆଯାଇଛି। ପ୍ରଥମ ଦଫାରେ ଅନ୍ତତଃ ପକ୍ଷେ ୨୦ ଲକ୍ଷ ଘର ଯୋଗାଇଦେବାକୁ ବିଜେଡି ଦାବି କରୁଛି। ପ୍ରତି ବ୍ଲକ୍ରେ କେନ୍ଦ୍ରୀୟ ବିଦ୍ୟାଳୟ, ଏକଲବ୍ୟ ବିଦ୍ୟାଳୟ, ସମ୍ବଲପୁର, କୋରାପୁଟ ଓ ବାଲେଶ୍ୱରରେ ଏମ୍ସ ହସ୍ପିଟାଲ୍, ଯୁବବର୍ଗଙ୍କ ପାଇଁ ଆଇଟି ପାର୍କ, ସେମି କଣ୍ଡକ୍ଟର ପାର୍କ, ଏମ୍ଏସ୍ଏମ୍ଇ ପାର୍କ, ଇଣ୍ଡଷ୍ଟ୍ରିଆଲ୍ କରିଡର ସ୍ଥାପନ ପାଇଁ ବିଜେଡି ଦାବି କରିବ। ଆଦିବାସୀଙ୍କ ବିକାଶ ପାଇଁ ଏସ୍ଟି ତାଲିକାରେ ୧୬୨ ସମ୍ପ୍ରଦାୟଙ୍କୁ ଅନ୍ତର୍ଭୁକ୍ତ କରିବା, କେନ୍ଦୁପତ୍ର ଉପରୁ ଜିଏସ୍ଟି ପ୍ରତ୍ୟାହାର କରିବା, ଚାଷୀମାନଙ୍କୁ ଉପଯୁକ୍ତ ସମୟରେ ଫସଲ ବୀମା ପ୍ରଦାନ, ସ୍ୱାମୀନାଥନ୍ କମିସନ କମିଟି ରିପୋର୍ଟ ଆଧାରରେ କ୍ୱିଣ୍ଟାଲ୍ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିବା, ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ଯୋଗାଇବା, ଗ୍ରାମାଞ୍ଚଳରେ ବ୍ୟାଙ୍କ ସୁବିଧା, ୧୦୦ ପ୍ରତିଶତ ମୋବାଇଲ୍ ଓ ଡିଜିଟାଲ୍ ସେବା ପ୍ରଦାନ ପାଇଁ ଦାବି ଉପସ୍ଥାପନ କରାଯିବ। ଓଡ଼ିଶାର ଦୀର୍ଘ ଦିନର ଦାବି କୋଇଲା ରୟାଲିଟି ବୃଦ୍ଧି, ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦ ଯୋଡ଼ିବା ଏବଂ ସଂସଦ ଓ ବିଧାନସଭାରେ ୩୩% ମହିଳା ସଂରକ୍ଷଣ ପାଇଁ ବିଜେଡି ଲଢ଼େଇ ଜାରି ରଖିବ ବୋଲି ନିଷ୍ପତ୍ତି ହୋଇଛି।
ବୈଠକରେ ସାଂସଦମାନେ ସଭାପତି ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ, ଦୂରଦୃଷ୍ଟି ଏବଂ ଓଡ଼ିଶାବାସୀଙ୍କ ପାଇଁ ସେବା ମନୋବୃତ୍ତି ଓ ପ୍ରତିବଦ୍ଧତା ନିମନ୍ତେ କୃତଜ୍ଞତା ଜଣାଇଥିଲେ। ତାଙ୍କ ନେତୃତ୍ୱରେ ଓଡ଼ିଶାର ସ୍ୱାର୍ଥ ପାଇଁ ନିରବଚ୍ଛିନ୍ନ ଲଢ଼େଇ ଜାରି ରଖିବାକୁ ସେମାନେ ଶପଥ ନେଇଥିଲେ। ଅନ୍ୟପକ୍ଷରେ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ସେବା ଓ ରାଜ୍ୟର ସାମଗ୍ରିକ ବିକାଶ ପାଇଁ କାମ ଜାରି ରଖିବାକୁ ନବୀନ ପରାମର୍ଶ ଦେଇଥିଲେ।