ବିଜେଡିକୁ ୯୬,୯୭୨, ବିଜେପିକୁ ୭୬,୦୫୬ ଭୋଟ୍‌
କଂଗ୍ରେସ ସମେତ ୮ ପ୍ରାର୍ଥୀ ହରାଇଲେ ଅମାନତ

Advertisment

ପୁରୀ : ପିପିଲି ନିର୍ବାଚନମଣ୍ଡଳୀରେ ପୁଣିଥରେ ଶଙ୍ଖ ବାଜିଛି। ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ବିଜେପିକୁ ୨୦ହଜାର ୯୨୬ ଭୋଟରେ ପରାସ୍ତ କରିଛନ୍ତି। ପ୍ରଦୀପ ମହାରଥୀଙ୍କ ପରଲୋକ ‌ପରେ ଖାଲି ହୋଇଥିବା ଏହି ଆସନରେ ତାଙ୍କ ପୁଅ ରୁଦ୍ରପ୍ରତାପ ବିଜେଡି ପ୍ରାର୍ଥୀ ହୋଇଥିଲେ। ଗତ ନିର୍ବାଚନ ତୁଳନାରେ ବାପା ସ୍ବର୍ଗତ ପ୍ରଦୀପ ମହାରଥୀଙ୍କଠାରୁ ପ୍ରାୟ ୮ ହଜାର ଅଧିକ ‌ଭୋଟ୍ ପାଇଛନ୍ତି ରୁଦ୍ର। ୨୦୧୯ ନିର୍ବାଚନ ତୁଳନାରେ ବିଜେଡି ଓ ବିଜେପି ଦଳ ଭିତରେ ଭୋଟ୍‌ ବ୍ୟବଧାନ ବି ବଢ଼ିଛି। ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ୯୬ହଜାର ୯୭୨ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୭୬ହଜାର ୦୫୬ ଭୋଟ୍‌ ପାଇଛନ୍ତି। କିନ୍ତୁ ଜାତୀୟ ଦଳ କଂଗ୍ରେସ ଅମାନତ ହରାଇଛି। ମାତ୍ର ୪ହଜାର ୨୬୨ ଭୋଟ୍‌ରେ କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ରଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ବର୍ଷେ ଧରି ପିପିଲି ଆସନ ଖାଲି ପଡ଼ିଥିଲା। ଏ ଭିତରେ ଦୁଇଦୁଇ ଥର ଉପନିର୍ବାଚନ ନେଇ ନିର୍ବାଚନ କମିସନ ବିଜ୍ଞପ୍ତି ପ୍ରକାଶ କରିଥିଲେ ବି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ଓ କୋଭିଡ୍‌ଜନିତ କଟକଣାକୁ ନେଇ ଦୁଇଥର ଏହାକୁ ବାତିଲ୍‌ କରାଯାଇଥିଲା। କୋଭିଡ୍‌ କଟକଣା କୋହଳ ହେବାପରେ ସେପ୍ଟେମ୍ବର ୪ରେ ତୃତୀୟ ଥର ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଗତ ୩୦ ତାରିଖରେ ମତଦାନ ଅନୁଷ୍ଠିତ ହୋଇଥିଲା। ପିପିଲି ଓ ଡେଲାଙ୍ଗ ବ୍ଲକ୍‌ର ୨ଲକ୍ଷ ୨୯ହଜାର ୯୯୮ଜଣ ଭୋଟରଙ୍କ ମଧ୍ୟରୁ ୧ଲକ୍ଷ ୮୦ହଜାର ୯୯୯ ଭୋଟର ମତଦାନ ସାବ୍ୟସ୍ତ କରିଥିଲେ।

ମତଦାନ ପରେ ଚଳିତ ଥର ବିଜେଡି ପ୍ରାୟ ୨୫ହଜାର ଭୋଟରେ ଆଗରେ ରହିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲା। ବିଜେପି ବି ଏଥିରେ ପଛରେ ନଥିଲା। ପ୍ରାୟ ୫ହଜାର ଭୋଟରେ ଆଗରେ ରହିବ ବୋଲି ଯୁକ୍ତି ବାଢ଼ୁଥିଲା। କିନ୍ତୁ ବିଜେଡିର ଗଣନା ସତ ହୋଇଛି। ୨୦୧୯ ନିର୍ବାଚନ ତୁଳନାରେ ଉପନିର୍ବାଚନରେ ପ୍ରାୟ ୧୧ ହଜାର ଭୋଟ୍‌ ଅଧିକ ପାଇଛି ବିଜେଡି।

publive-image ପିପିଲି ଉପନିର୍ବାଚନ ଜିତିବା ପରେ ରାଜ୍ୟ ବିଜେଡି କାର୍ଯ୍ୟାଳୟ ସମ୍ମୁଖ‌େର ଉତ୍ସାହୀ ବିଜେଡି କର୍ମୀଙ୍କ ବିଜୟ ଉତ୍ସବ ପାଳନ

୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ବର୍ଗତ ପ୍ରଦୀପ ମହାରଥୀ ୮୮ହଜାର ୫୧୮ ଭୋଟ୍‌ ପାଇଥିଲେ। ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ବିଜେପିର ଆଶ୍ରିତ ପଟ୍ଟନାୟକ ୭୨ ହଜାର ୭୩୧ ଭୋଟ୍‌ ପାଇଥିଲେ। ଭୋଟ ବ୍ୟବଧାନ ରହିଥିଲା ପ୍ରାୟ ୧୬ ହଜାର। କିନ୍ତୁ ଉପନିର୍ବାଚନରେ ରୁଦ୍ର ୯୬ହଜାର ୯୭୨ ଭୋଟ୍‌ ପାଇଛନ୍ତି। ବାପାଙ୍କଠାରୁ ୮ହଜାର ୪୫୪ ଭୋଟ୍‌ ଅଧିକ ପାଇଥିବାବେଳେ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀଙ୍କଠାରୁ ୨୦ହଜାର ୯୨୬ ଭୋଟ୍‌ ଆଗରେ ରହିଛନ୍ତି। ୨୦୧୯ ନିର୍ବାଚନରେ ତୁଳନାରେ ପ୍ରାୟ ୪ହଜାର ଭୋଟ୍‌ ଅଧିକ ପାଇଥିଲେ ବି ବିଜେପି ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ ପରାଜିତ ହୋଇଛନ୍ତି। ୨୦୧୯ ତୁଳନାରେ ଉଭୟ ବିଜେଡି ଓ ବିଜେପିର ଭୋଟ୍‌ ପ୍ରତିଶତ ବି ବୃଦ୍ଧି ପାଇଛି। ୨୦୧୯ ନିର୍ବାଚନରେ ବିଜେଡି ୫୦.୬୬ ପ୍ରତିଶତ ଓ ବିଜେପି ୪୧.୬୨ ପ୍ରତିଶତ ଭୋଟ୍‌ ପାଇଥିଲା। କଂଗ୍ରେସ ୫.୬୩ ପ୍ରତିଶତ ଭୋଟ୍‌ ପାଇଥିଲା। ଉପନିର୍ବାଚନରେ ବିଜେଡି ୫୩.୬ ପ୍ରତିଶତ ଓ ବିଜେପି ୪୨.୦୪ ପ୍ରତିଶତ‌ ଭୋଟ୍‌ ପାଇଛନ୍ତି। କିନ୍ତୁ କଂଗ୍ରେସର ଭୋଟ୍‌ ପ୍ରତିଶତ କମିଛି। ୨୦୧୯ ନିର୍ବାଚନରେ କଂଗ୍ରେସ ୯୮୩୦ ଭୋଟ୍‌ ପାଇଥିବାବେଳେ ଉପନିର୍ବାଚନରେ ଅଧାରୁ କମ୍‌ ଭୋଟ୍‌ ପାଇଛି। ମାତ୍ର ୨.୩୬ ପ୍ରତିଶତ ଭୋଟ୍‌ରେ ଦଳକୁ ସନ୍ତୁଷ୍ଟ ହେବାକୁ ପଡ଼ିଛି। ମତଦାନ ପରିମାଣ ବଢ଼ିବା ଯୋଗୁ ବିଜେଡି ଓ ବିଜେପିର ଭୋଟ୍‌ ସଂଖ୍ୟା ମଧ୍ୟ ବଢ଼ିଥିବା କୁହାଯାଉଛି।

ପିପିଲି ଉପନିର୍ବାଚନରେ ହୋଇଥିବା ପୋଷ୍ଟାଲ୍‌ ବାଲଟ୍‌ରେ ବି ବିଜେଡି ଆଗରେ ରହିଛି। ଦିବ୍ୟାଙ୍ଗ ଓ ୮୦ ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କ ପାଇଁ ପୋଷ୍ଟାଲ୍‌ ବାଲଟ୍‌ର ବ୍ୟବସ୍ଥା କରାଯାଇଥିଲା। ପୋଲିଂ ଅଧିକାରୀମାନେ ଘରକୁ ଯାଇ ପୋଷ୍ଟାଲ୍‌ ବାଲଟ୍‌ ଜରିଆରେ ମତଦାନ ସଂଗ୍ରହ କରିଥିଲେ। ପୋଷ୍ଟାଲ୍‌ ବାଲଟ୍‌ ଜରିଆରେ ୧ହଜାର ୦୭୭ଜଣ ମତଦାନ କରିବାର ଥିବାବେଳେ ୯୨୪ଜଣ ମତଦାନ କରିଥିଲେ। ଏଥିରୁ ୫୭୨ ଖଣ୍ଡ ଭୋଟ୍‌ବିଜେଡିକୁ ଯାଇଛି। ସେହିଭଳି ବିଜେପିକୁ ୨୭୧ ଓ କଂଗ୍ରେସକୁ ୨୪ ଖଣ୍ଡ ଭୋଟ୍‌ ଯାଇଛି।

ଉପନିର୍ବାଚନରେ ତିନି ପ୍ରମୁଖ ଦଳ ବାଦ୍ ସିପିଆଇ(ଏମ୍‌ଏଲ୍‌) ପ୍ରାର୍ଥୀ ଅଶୋକ ପ୍ରଧାନ ୮୯୮, ଅଖିଳ ଭାରତ ହିନ୍ଦୁ ମହାସଭା ପ୍ରାର୍ଥୀ ଜୟପ୍ରକାଶ ସେଠୀ ୪୫୫, କଳିଙ୍ଗ ସେନା ପ୍ରାର୍ଥୀ ପିଙ୍କଲିନ୍‌ ମହାନ୍ତି ୧୫୬, ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ଡିଆ ପ୍ରାର୍ଥୀ ମହମ୍ମଦ ଇମାମୁଦିନ୍‌ ୨୪୪, ସ୍ବାଧୀନ ପ୍ରାର୍ଥୀ ନଗେନ୍ଦ୍ରନାଥ ମିଶ୍ର ୪୧୪, ସୁଲୋଚନା ସାହୁ ୨୬୬ ଓ ସ୍ବପ୍ନେଶ୍ବର ନାୟକ ୩୭୭ ଭୋଟ୍‌ ପାଇଛନ୍ତି। ସମୁଦାୟ ଭୋଟରୁ ନୋଟାରେ ୮୩୧ ଭୋଟ୍‌ ପଡ଼ିଥିବା ବେଳେ ୧୩୬ଟି ଭୋଟ୍‌ ନାକଚ କରି ଦିଆଯାଇଛି।