ଅନୁକମ୍ପା କାମ କଲାନି, ବିଜେପି ହରାଇଲା ବାଲେଶ୍ୱର ଆସନ
ତିର୍ତ୍ତୋଲରେ ବିଜେଡିର ବିଜୟ ବ୍ୟବଧାନ ବଢ଼ିଲା
ତିନି ନମ୍ବରରେ କଂଗ୍ରେସ, ବାଲେଶ୍ୱରରେ ଅମାନତ ଉଡ଼ିଲା
ବିଧାନସଭାରେ ବିଜେଡି ସଂଖ୍ୟା ୧୧୩, ବିଜେପି ୨୨କୁ ଖସିଲା
ଭୁବନେଶ୍ୱର : ବାଲେଶ୍ୱର ସଦର ଆସନରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୧୩ ହଜାର ୩୫୧ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ହରାଇଛନ୍ତି। ଏପଟେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲରେ ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରାଙ୍କୁ ୪୧ହଜାର ୭୦୩ ଭୋଟରେ ହରାଇ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ବିଜୟ ଲାଭ କରିଛନ୍ତି। ବାଲେଶ୍ୱର ସଦର ଆସନ ବିଜେପି ହାତରୁ ଖସି ବିଜେଡିକୁ ଯାଇଛି ଏବଂ ତିର୍ତ୍ତୋଲ ଆସନରେ ବିଜେଡି ନିଜ ସ୍ଥିତି ବଜାୟ ରଖିଛି। ଏହି ଦୁଇଟି ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ସହିତ ଆଜି ଓଡ଼ିଶା ବିଧାନସଭାର ସଂଖ୍ୟା ଗଣିତ ବି ବଦଳିଯାଇଛି। ବିଧାନସଭାରେ ବିଜେଡି ବିଧାୟକଙ୍କ ସଂଖ୍ୟା ୧୧୩ ଛୁଇଁଛି ଓ ବିଜେପି ୨୩ରୁ ୨୨କୁ ଖସିଆସିଛି।
କରୋନା ମହାମାରୀକୁ ନେଇ ସମଗ୍ର ଦେଶରେ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କଟକଣା ଭିତରେ ହୋଇଥିବା ଏହି ଉପନିର୍ବାଚନ ପୁଣି ଥରେ ପ୍ରମାଣିତ କରିଛି ଯେ ସାଧାରଣ ନିର୍ବାଚନର ଦେଢ ବର୍ଷ ପରେ ବି ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଥିବା ସରକାରର ଲୋକପ୍ରିୟତା, ବିଜେଡିର ସଂଗଠନ ଏବଂ ନିର୍ବାଚନ ପରିଚାଳନା ପୂର୍ବବତ୍ ଅକ୍ଷତ ରହିଛି। ୨୦୧୯ରେ ଦଳ ହରାଇଥିବା ବାଲେଶ୍ବର ଆସନଟି ପୁଣି ଥରେ ନିଜ ପକ୍ଷକୁ ଆଣିବାରେ ଦଳ ସମର୍ଥ ହୋଇଛି।
ଅନ୍ୟପକ୍ଷରେ ବିଜେପି ଉଭୟ ତିର୍ତ୍ତୋଲ ଓ ବାଲେଶ୍ବରରେ ପୂର୍ବ ତୁଳନାରେ ଖରାପ ପ୍ରଦର୍ଶନ କରିଥିବା ବେଳେ କଂଗ୍ରେସର ଫଳାଫଳ ମିଶ୍ର ରହିଛି। କଂଗ୍ରେସ ବାଲେଶ୍ବର ଆସନରେ ଅମାନତ ହରାଇଛି। ତିର୍ତ୍ତୋଲରେ କିନ୍ତୁ ଭୋଟ ହାର ସାଧାରଣ ନିର୍ବାଚନ ତୁଳନାରେ ବୃଦ୍ଧି ପାଇଛି।
ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଏହି ଗୁରୁତ୍ବପୂର୍ଣ୍ଣ ଉପନିର୍ବାଚନ ଫଳାଫଳକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗଡ଼ରେ ବିଜେପି ଫେଲ୍ ମାରିଛି, ଏପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗତମାନେ ତିର୍ତ୍ତୋଲରେ ଜିତି ତ ପାରିଲେ ନାହିଁ, ଭୋଟ ବ୍ୟବଧାନ ମଧ୍ୟ ବଢାଇପାରିନାହାନ୍ତି। କେବଳ ସେତିକି ନୁହେଁ, ୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଯେଉଁ ଚାରିଟି ନିର୍ବାଚନ ହୋଇଛି, ସେସବୁଥିରେ ବିଜେଡି ବିଜୟ ଲାଭ କରିଛି। ପୂର୍ବରୁ ପାଟକୁରାରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଵାଲ ବିଜେପିର ବିଜୟ ମହାପାତ୍ରଙ୍କୁ ହରାଇଥିଲେ। ବିଜେପୁରରେ ରୀତା ସାହୁଙ୍କ ବିଜୟ ବ୍ୟବଧାନ ବିଧାନସଭା ଇତିହାସରେ ରେକର୍ଡ ସୃଷ୍ଟି କରିଥିଲା। କେଉଁଠି ନା େକଉଁଠି ଏହି ଗଣିତ ସୂଚାଇ ଦେଉଛି ଯେ ରାଜ୍ୟ ବିଜେପିର ସ୍ବାସ୍ଥ୍ୟ ଠିକ୍ ନାହିଁ। କଂଗ୍ରେସ ସ୍ଥିତି ତା ଚାହିଁ ଗମ୍ଭୀର।
ବାଲେଶ୍ୱର ଉପନିର୍ବାଚନରେ ସମସ୍ତଙ୍କୁ ଚକ୍ମା ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଜଣେ ନବାଗତ ସ୍ବରୂପ ଦାସଙ୍କୁ ପ୍ରାର୍ଥୀ କରିଥିଲେ। ଏହାକୁ ନେଇ ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନାଙ୍କ କ୍ୟାମ୍ପରେ କମ୍ପନ ସୃଷ୍ଟି େହାଇଥିଲା। ପରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡି ସୁପ୍ରିମୋ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କୁ ଦଳରୁ ନିଲମ୍ବିତ କରିଥିଲେ। ଏହା ସତ୍ତ୍ବେ ସ୍ବରୂପ ୮୪ ହଜାର ୦୯୭ଖଣ୍ଡ (୫୧.୮%) ଭୋଟ ପାଇଛନ୍ତି। ୨୦୧୯ ତୁଳନାରେ ବିଜେଡିକୁ ଏଠାରେ ୧୩.୦୧% ଅଧିକ ଭୋଟ ମିଳିଛି। ୨୦୧୯ରେ ବିଜେଡ଼ି ପ୍ରାର୍ଥୀ ଜୀବନ ପ୍ରଦୀପ ଦାସଙ୍କ ସପକ୍ଷରେ ପଡ଼ିଥିଲା ୬୧,୪୦୯(୩୮.୭୯%) ଭୋଟ। ବାଲେଶ୍ବରେ ଦିବଂଗତ ବିଧାୟକ ମଦନମୋହନ ଦତ୍ତଙ୍କର ଲୋକପ୍ରିୟତା କିଛି କମ୍ ନଥିଲା। ଏହାକୁ ପାଥେୟ କରି ବିଜେପି ଅନୁକମ୍ପା କାର୍ଡ ଖେଳି ତାଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିଥିଲା।। ହେଲେ ଦିବଂଗତ ପ୍ରାର୍ଥୀଙ୍କ କ୍ଷେତ୍ରରେ ହେଉଥିବା ଉପନିର୍ବାଚନରେ ଅନୁକମ୍ପା େଭାଟ ବିଜେଡି ସପକ୍ଷରେ ଯାଉଥିବା ବେଳେ ଏଠାରେ କିନ୍ତୁ ବିଜେପି ଏହି ସ୍ରୋତକୁ ନିଜ ଆଡକୁ ଟାଣିବାରେ ବିଫଳ ହୋଇଥିଲା। ମାନସଙ୍କୁ ୭୦ ହଜାର ୭୪୬ (୪୩.୫୮%) ଖଣ୍ଡ ଭୋଟ ମିଳିଛି, ଯାହା ସାଧାରଣ ନିର୍ବାଚନ ତୁଳନାରେ ୩.୬୮% କମ୍। ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତ ୭୪, ୮୧୫ (୪୭.୨୬%) ଭୋଟ ପାଇଥିଲେ ଓ ୧୩,୪୦୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।
କଂଗ୍ରେସ ପ୍ରାର୍ଥୀ ବଦଳାଇଥିଲା। ଏଠାରେ ମହିଳା କାର୍ଡ ଖେଳି ଦଳ ଜଣେ ଉଚ୍ଚଶିକ୍ଷିତା ମମତା କୁଣ୍ଡୁଙ୍କୁ ପ୍ରାର୍ଥୀ କରିଥିଲା। ପରିଣାମ ଅତ୍ୟନ୍ତ ଭୟାବହ ହୋଇଛି। ମମତାଙ୍କୁ ୪୯୮୩ (୩.୬୮%) ଖଣ୍ଡ ଭୋଟ ମିଳିଛି। ସାଧାରଣ ନିର୍ବାଚନ ତୁଳନାରେ ଦଳ ୧୨.୪୩% ଭୋଟରଙ୍କ ସମର୍ଥନ ହରାଇଛି। କଂଗ୍ରେସର ମାନସ ରଂଜନ ଦାସପଟ୍ଟନାୟକ ୨୦୧୯ରେ ୧୯,୭୦୪ (୮.୭୭%) ଭୋଟ ପାଇଥିଲେ। ଏଠାରେ ଚର୍ଚ୍ଚାରେ ଥିବା ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କୁ ୧୨୫୫ (୦.୭୭%) ଭୋଟ ମିଳିଛି।
ଏପଟେ ତିର୍ତ୍ତୋଲରେ ଦିବଂଗତ ବିଧାୟକ ବିଷ୍ଣୁ ଦାସଙ୍କ ଅବର୍ତମାନରେ ବିଜେଡି ତାଙ୍କ ପୁଅକୁ ପ୍ରାର୍ଥୀ କରି ସଫଳ ହୋଇଛି। ବିଜୟ ଶଙ୍କରଙ୍କୁ ୮୮ ହଜାର ୩୧୦ (୫୨.୯୧%) ଭୋଟ ମିଳିଛି, ଯାହା ୨୦୧୯ ତୁଳନାରେ ୧.୨୭% କମ୍। ତିର୍ତ୍ତୋଲରେ ବିଜେଡ଼ି ପ୍ରାର୍ଥୀ ବିଷ୍ଣୁଚରଣ ଦାସ ୯୩,୯୬୭ (୫୪.୧୮%) ଭୋଟ ପାଇଥିଲେ। ବିଜେପି ପୂର୍ବତନ କଂଗ୍ରେସ ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ଆଣି ଦଳରେ ମିଶାଇ ପ୍ରାର୍ଥୀ କରିଥିଲା। ଆଶା କରିଥିଲା, କଂଗ୍ରେସ ଭୋଟ ବିଜେପିର ଶକ୍ତି ବଢାଇବ। ଓଲଟା ହେଲା, ଦଳର ଗତ ନିର୍ବାଚନ ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ ଦଳ ଛାଡି ବିଜେଡିରେ ମିଶିଲେ। ଭୋଟ ଉପରେ ବି ଏହାର ପ୍ରଭାବ ପଡ଼ିଛି। ବିଜେପି ପ୍ରାର୍ଥୀ ରାଜକିଶୋରଙ୍କୁ ୪୬ ହଜାର ୬୦୭ (୨୭.୯୨%) ଭୋଟ ମିଳିଛି, ଯାହା ଗତଥର ତୁଳନାରେ ୨.୯୮% କମ୍। ୨୦୧୯ରେ ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇ ୫୩,୫୮୧(୩୦.୯%) ଭୋଟ ପାଇଥିଲେ।
ତିର୍ତ୍ତୋଲରେ କିନ୍ତୁ କଂଗ୍ରେସ ନିଜ ଶକ୍ତିରେ ଟିକିଏ ଉନ୍ନତି ଆଣିଛି। ଦଳ ଏଠାରେ ଜଣେ ନୂଆ ପ୍ରାର୍ଥୀ ହିମାଂଶୁ ମଲ୍ଲିକଙ୍କୁ ନିର୍ବାଚନ ଲଢ଼ାଇଥିଲା। ସେ ୨୮ ହଜାର ୭୭୮ (୧୭.୨୪%) ଖଣ୍ଡ ଭୋଟ ପାଇଛନ୍ତି। ୨୦୧୯ ତୁଳନାରେ ଦଳର ଭୋଟ ୩.୫୧% ବଢ଼ିଛି। କଂଗ୍ରେସର ଦେବୀ ପ୍ରସାଦ ମଲ୍ଲିକଙ୍କୁ ସେବେ ୨୩,୮୦୯(୧୩.୭୩%) ଭୋଟ ମିଳିଥିଲା।
ଏଠାରେ ଉଲ୍ଲେଖଥାଉକି, ତିର୍ତ୍ତୋଲରେ ୯ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିଲେ ଓ ଏଠାରେ ନୋଟାରେ ୭୮୬ ଖଣ୍ଡ ଭୋଟ ପଡିଛି। ସେହିଭଳି ବାଲେଶ୍ବରରେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ୬ଜଣ ପ୍ରାର୍ଥୀଙ୍କୁ ୭୦୦ ଜଣ ପ୍ରତ୍ୟାଖ୍ୟାନ (ନୋଟାରେ) କରିଛନ୍ତି।