ବ୍ରହ୍ମପୁର ସମେତ ୧୧ ପୌରାଞ୍ଚଳରେ ବିଜେଡି

ବ୍ରହ୍ମପୁର : ପୌର ଭୋଟ୍‌ ଫଳାଫଳ ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲାର ମୋଟ ୧୮ଟି ସହରାଞ୍ଚଳ ମଧ୍ୟରୁ ବ୍ରହ୍ମପୁର ମହାନଗର ନିଗମ ମେୟର୍‌ ପଦବି ବିଜେଡି ଦଖଲ କରିଛି। ଜିଲ୍ଲାର ୧୭ଟି ପୌରାଞ୍ଚଳ ମଧ୍ୟରୁ ୧୧ଟି ଅଧ୍ୟକ୍ଷ ଆସନ ବିଜେଡି ଦଖଲ କରିଥିବା ବେଳେ ବିଜେପି ୩ଟି ଓ ଗୋଟିଏ ଆସନ କଂଗ୍ରେସ ଖାତାରେ ପଡ଼ିଛି। କିନ୍ତୁ ଜିଲ୍ଲାର ଦୁଇଟି ପୌରାଧ୍ୟକ୍ଷ ପଦବିରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ପୌରାଧ୍ୟକ୍ଷ ପାଇଁ ଏଥର ପ୍ରତ୍ୟକ୍ଷ ନିର୍ବାଚନ ହୋଇଥିଲା। ପୌରାଧ୍ୟକ୍ଷଙ୍କୁ ଭୋଟର୍‌ ଭୋଟ୍‌ ଦେଇ ବାଛିଛନ୍ତି। ଏଣୁ ଗଞ୍ଜାମ ଜିଲ୍ଲାରେ ଏକ ନୂଆ ଚିତ୍ର ସାମ୍ନାକୁ ଆସିଛି। ବ୍ରହ୍ମପୁର ମହାନଗରରେ ବିଜେଡି ପ୍ରାର୍ଥୀ ମେୟର୍‌ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଜିଲ୍ଲା ଏକମାତ୍ର ପୌରପାଳିକା ହିଂଜିଳିକାଟୁରେ ମଧ୍ୟ ବିଜେଡି ପ୍ରାର୍ଥୀ ପୌରାଧ୍ୟକ୍ଷ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଂଜିଳିକାଟୁରେ ବିଜେଡି ପ୍ରାର୍ଥୀ ୬ହଜାର ୮୨୦ ଭୋଟ୍‌ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବି ବିଜେପି ପ୍ରାର୍ଥୀ ୫ହଜାର ୧୮୬ ଭୋଟ୍‌ ପାଇଛନ୍ତି। ସେହିପରି ଆସିକା, ବେଲଗୁଣ୍ଠା, ଭଞ୍ଜନଗର, ବୁଗୁଡ଼ା, ଗୋପାଳପୁର, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ପୋଲସରା, ରମ୍ଭା, ସୋରଡ଼ା ଏନ୍‌ଏସିରେରେ ବିଜେଡି ଅଧ୍ୟକ୍ଷ ଆସନ ହାତେଇଛି।

କିନ୍ତୁ ଛତ୍ରପୁର ନିର୍ବାଚନମଣ୍ଡଳୀର ୩ଟି ଏନ୍ଏସି ବିଜେଡି ହାତରୁ ଚାଲିଯାଇଛି। ଛତ୍ରପୁର ଓ ରମ୍ଭା ଏନ୍‌ଏସି ବିଜେପି ଦଖଲ କରିଥିବା ବେଳେ ଗଞ୍ଜାମ ଏନ୍‌ଏସିରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଗଞ୍ଜାମ ଏନ୍‌ଏସିରେ ବିଜେଡି ଓ ସ୍ବାଧୀନ ପ୍ରାର୍ଥୀ ମଧ୍ୟରେ କଡ଼ା ଟକ୍କର୍‌ ହୋଇଛି। ବିଜେଡି ପ୍ରାର୍ଥୀଙ୍କ ଠାରୁ ମାତ୍ର ୫୧ଟି ଭୋଟ୍‌ ବ୍ୟବଧାନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେହିପରି ଛତ୍ରପୁରରେ ବିଜେଡି ପ୍ରାର୍ଥୀଙ୍କ ଠାରୁ ୮୧୮ ଭୋଟ୍‌ ବ୍ୟବଧାନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ରମ୍ଭା ଏନ୍ଏସିରେ ବିଜେଡି ପ୍ରାର୍ଥୀଙ୍କ ଠାରୁ ୯୯୪ ଭୋଟ୍‌ ବ୍ୟବଧାନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଅନ୍ୟପଟେ ପୁରୁଷୋତ୍ତମପୁର ଏନ୍ଏସିରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀଙ୍କ ଠାରୁ ମାତ୍ର ୧୩୧ ଭୋଟ୍‌ ବ୍ୟବଧାନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେହିପରି ଦିଗପହଣ୍ଡି ଏନ୍ଏସି କଂଗ୍ରେସ କବ୍‌ଜାରେ ରହିଛି। କଂଗ୍ରେସ ପ୍ରାର୍ଥୀ ୩ହଜାର ୭୬୭ ଭୋଟ୍‌ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ୨ହଜାର ୩୫୫ ଭୋଟ୍‌ ପାଇଛନ୍ତି। ଅନ୍ୟପଟେ କୋଦଳା ଏନ୍‌ଏସି ବିଜେପି ଦଖଲରେ ରହିଛି। ବିଜେପି ପ୍ରାର୍ଥୀ ୪ହଜାର ୫୩୬ ଭୋଟ୍‌ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ୧ହଜାର ୯୬୪ ଭୋଟ୍‌ ପାଇଛନ୍ତି।

ସେଭଳି କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପୌରାଧ୍ୟକ୍ଷା ଆସନଟିକୁ ବିଜେପି ହାତେଇ ନେଇଛି। ବିଜେପି ପ୍ରାର୍ଥୀ ସ୍ମିତାରାଣୀ ମହାନ୍ତି ୬,୧୭୫ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡି ପ୍ରାର୍ଥୀ ପୁନମ୍‌ କହଁର ୫,୩୯୬ ଖଣ୍ଡ ଭୋଟ୍‌ ପାଇ ପରାଜିତ ହୋଇଛନ୍ତି। ଫୁଲବାଣୀ ପୌରପାଳିକାରେ ଅଧ୍ୟକ୍ଷା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସବିତା ମହାନ୍ତି ୪,୦୫୨ ଖଣ୍ଡ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ସେଭଳି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଓ କାଶୀନଗର ଦୁଇ ପୌରଞ୍ଚଳକୁ ବିଜୁ ଜନତା ଦଳ ପୁଣି ଦଖଲ କରିଛି।

ସମ୍ବନ୍ଧିତ ଖବର