ମାଲକାନଗିରିରେ ବିଜେଡିର ବାଜିମାତ: ମନୋଜ ହେଲେ ପୌରାଧ୍ୟକ୍ଷ

୧୯ ଵାର୍ଡରୁ ୧୪ ବିଜେଡି,୫ କଂଗ୍ରେସ

ମାଲକାନଗିରି: ମାଲକାନଗିରି ପୌର ନିର୍ବାଚନରେ ବିଜେଡିର ବାଜିମାତ ହୋଇଛି। ୧୯ ୱାର୍ଡରୁ ୧୪ଟିରେ ବିଜେଡି ଜିତିଥିବାବେଳେ କଂଗ୍ରେସକୁ ୫ଟି ଆସନ ମିଳିଛି। ବିଜେଡିର ମନୋଜ ବାରିକଙ୍କୁ ଅଧ୍ୟକ୍ଷ ପଦ ମିଳିଛି।

ଗଣତି ସକାଳ ୮ଟାରୁ ଆରମ୍ଭ ହୋଇ ପୂର୍ବାହ୍ନ୧୧ଟା ବେଳକୁ ସମାପ୍ତ ହୋଇଥିଲା। ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବିଜେଡିର ମନୋଜ ବାରିକ ୭୩୮୭ ଭୋଟ ପାଇଥିବା ବେଳେ ତାଂକ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ଜି.ଶ୍ରୀନିବାସ ରାଓ ୬୨୧୧ ଭୋଟ ପାଇଛନ୍ତି। ମନୋଜ ୧୨୭୬ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି। ବିଜେପିର ଶ୍ୟାମଲ ସୁନାନୀ ୧୭୫୧ ଭୋଟ ପାଇ ତୃତୀୟ ସ୍ଥାନରେ ଥିବାବେଳେ ଚତୁର୍ଥ ସ୍ଥାନରେ ନୋଟା ରହିଛି। ନୋଟାରେ ମୋଟ ୧୯୯ ଭୋଟ ପଡିଛି। ପଞ୍ଚମ ସ୍ଥାନରେ ସ୍ବାଧୀନ ପ୍ରାର୍ଥୀ କେଶବ ନାୟକ ୧୭୯ ଭୋଟ ପାଇଛନ୍ତି। ଷଷ୍ଠ ସ୍ଥାନରେ ମନୋଜ କୁମାର ସାହୁ ୧୩୬ ଭୋଟ ପାଇଛନ୍ତି। ସେହିପରି ବହୁଜନ ସମାଜ ପାର୍ଟିର ଶିବ ପ୍ରସାଦ ମିଶାଲ ୮୨ ଭୋଟ ପାଇ ସପ୍ତମ ସ୍ଥାନରେ ରହିଛନ୍ତି। ପରେ ମନୋଜ ପାଢୀ ୭୪ ଏବଂ ବାବୁଲି ମାଢି ମାତ୍ର ୪୯ଟି ଭୋଟ ପାଇଛନ୍ତି।

ଏକ ନମ୍ବର ଵାର୍ଡରେ ବିଜେଡିର ପେଣ୍ଡ୍ରା ପଣ୍ଡା, ୨ ନମ୍ବର ଵାର୍ଡରେ ବିଜେଡିର ପଦ୍ମିନୀ ନାୟକ,୩ ନମ୍ବର ଵାର୍ଡରେ ବିଜେଡିର ପିତାମ୍ବର ସେଠୀ,୪ ନମ୍ବର ଵାର୍ଡରେ କଂଗ୍ରେସର ଦୀପ୍ତିମୟୀ ବେହେରା,୫ ନମ୍ବର ଵାର୍ଡରେ ବିଜେଡିର ଦୀପିକାରାଣୀ ପୂଜାରୀ,୬ ନମ୍ବର ଵାର୍ଡରେ ବିଜେଡିର ସଂଯୁକ୍ତା ଦାସ,୭ ନମ୍ବର ଵାର୍ଡରେ କଂଗ୍ରେସର ଘାସିରାମ ଭାଇନିସା,୮ ନମ୍ବର ଵାର୍ଡରେ କଂଗ୍ରେସର ଜ୍ୟୋତ୍ସ୍ନାରାଣୀ ପୋଲେଇ,୯ ନମ୍ବର ଵାର୍ଡରେ ବିଜେଡିର ବତି ଜାନୀ,୧୦ ନମ୍ବର ଵାର୍ଡରେ କଂଗ୍ରେସର ମଇନା କମାର,୧୧ ନମ୍ବର ଵାର୍ଡରେ ବିଜେଡିର କବିତା ମହୁନ୍ତ,୧୨ ନମ୍ବର ଵାର୍ଡରେ ବିଜେଡିର ତ୍ରିମାଲା ନାୟକ,୧୩ ନମ୍ବର ଵାର୍ଡରେ ବିଜେଡିର ଗଣେଶ ସା,୧୪ ନମ୍ବର ଵାର୍ଡରେ ବିଜେଡିର ପ୍ରଭାତି ନାୟକ,୧୫ ନମ୍ବର ଵାର୍ଡରେ ବିଜେଡିର ବିକାଶ ଦାସ,୧୬ ନମ୍ବର ଵାର୍ଡରେ ବିଜେଡିର ରାଜିଆ ଆଲୁୟାଲା,୧୭ ନମ୍ବର ଵାର୍ଡରେ ବିଜେଡିର ରାଜୀବ ଲୋଚନ ଶିଶା,୧୮ ନମ୍ବର ଵାର୍ଡରେ କଂଗ୍ରେସର ରୁଚି ଅନ୍ତିଆ ଏବଂ ୧୯ ନମ୍ବର ଵାର୍ଡରେ ବିଜେଡିର ସୁବ୍ରତ ମଜୁମଦାର ବିଜୟୀ ହୋଇଛନ୍ତି।

ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ବିପୁଳ ସଂଖ୍ୟାରେ ବିଜୟୀ ହୋଇଥିବା ବେଳେ ଏହି ବିଜୟ ଧାରା ଚଳିତ ନିର୍ବାଚନରେ ବ ଜାରି ରହିଛି। ବିଜୟୀ ପରେ ମନୋଜ ଏକ ଶୋଭାଯାତ୍ରାରେ ଅଞ୍ଚଳ ବୁଲି ଲୋକଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ମାଲକାନଗିରି ପୌରାଞ୍ଚଳରେ ବିକାଶକୁ ଆଗକୁ ନେବାକୁ ସେ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଥିଲେ। ଲୋକଙ୍କର ସମର୍ଥନକୁ ସେ ସେମାନଙ୍କର ବିଜୟ ବୋଲି କହିବା ସହ ବିଜେଡି ସରକାର ରାଜ୍ୟରେ ଯେପରି ବିକାଶକୁ ଆଗେଇ ନେଉଛନ୍ତି ମାଲକାନଗିରି ମଧ୍ୟ ସେହିଭଳି ଆଗେଇବ ବୋଲି କହିଥିଲେ।ତେବେ ବିଜେଡି ବିଜୟୀ ହେବା ପଛରେ ବରିଷ୍ଠ ସାଧାରଣ ସଂପାଦକ ପ୍ରଦୀପ ମାଝିଙ୍କର ଶେଷ ଦୁଇ ଦିନ ଜୋରସୋର ପ୍ରଚାର ଯୋଗୁଁ ବିଜେଡିର ବିଜୟ ହୋଇଥିବା କୁହାଯାଉଛି। ସେହିପରି ପୂର୍ବତନ ବିଧାୟକ ମାନସ ମାଡକାମୀ,ବରିଷ୍ଠ ନେତା ରାଜେନ୍ଦ୍ର ପଣ୍ଡା ପ୍ରମୁଖଙ୍କ ଗୋଟି ଚାଳନା ମଧ୍ୟ ସଫଳତା ପଛରେ କାମ ଦେଇଛି। ବିଭିନ୍ନ ମହଲରୁ ମନୋଜଙ୍କୁ ଶୁଭେଚ୍ଛା ବାର୍ତ୍ତା ମିଳିଛି।

ସମ୍ବନ୍ଧିତ ଖବର