ସୋନପୁର : ବିଜୟ ଶୋଭାଯାତ୍ରାରେ ବନ୍ଧୁକରୁ ଗୁଳି ଫୁଟାଇ ବିବାଦରେ ପଡ଼ିଛନ୍ତି ସୋନପୁର ୯ ନମ୍ବର ୱାର୍ଡର ନବନିର୍ବାଚିତ ବିଜେଡି କାଉନସିଲର କଇରୁ ସ୍ବାଇଁ। ସୋନପୁର ପୌର ପରିଷଦ ୯ନମ୍ବର ୱାର୍ଡରୁ ଶ୍ରୀ ସ୍ବାଇଁ ଶନିବାର ବିଜୟୀ ଘୋଷିତ ହେବା ପରେ ୱାର୍ଡରେ ତାଙ୍କ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ବାହାରିଥିଲେ। ଏହି ସମୟରେ ସେ ସର୍ବସାଧାରଣ ସ୍ଥାନରେ ସେ ବନ୍ଧୁକରୁ ଗୁଳି ଫୁଟାଇ ବିଜୟ ଉତ୍ସବ ପାଳନ କରିଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ସେ ବିଜେଡିର ଜଣେ ବରିଷ୍ଠ ନେତା। ପୂର୍ବରୁ ସେ ସୋନପୁର ପୌର ପରିଷଦର ଅଧ୍ୟକ୍ଷ ମଧ୍ୟ ରହି ସାରିଛନ୍ତି। ତାଙ୍କର ଏଭଳି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏହି ଘଟଣାରେ ପୁଲିସ ନବନିର୍ବାଚିତ କାଉନ୍ସିଲର ଶ୍ରୀ ସ୍ବାଇଁ ଓ ତାଙ୍କ ସମୁଦି ସୋନପୁର ପେଲେସ ଗାର୍ଡେନର ରାମବାହାଦୁର ସିଂହ(୬୦ବର୍ଷ)ଙ୍କୁ ସୋନପୁର ଥାନାରେ ଅଟକ ରଖିଛି। ସେହିପରି ଏହି ଘଟଣାକୁ ନେଇ ସୋନପୁର ଆଇଆଇସିଙ୍କୁ କୈଫିୟତ ତଲବ କରାଯିବ ବୋଲି ଏସ୍ପି ଅମରେଶ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏସ୍ପିଙ୍କ ସୂଚନା ଅନୁସାରେ, ଶ୍ରୀ ସ୍ବାଇଁ ଶନିବାର ଦିନ ପ୍ରାୟ ୧ଟା ସମୟରେ ବିଜୟ ଶୋଭାଯାତ୍ରା ସମୟରେ ଏକ ଡବଲ ବ୍ୟାରେଲ ବନ୍ଧୁକରେ ଉପରକୁ ଗୋଟିଏ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ। ଉକ୍ତ ବନ୍ଧୁକଟି ଏକ ଲାଇସେନ୍ସ ବନ୍ଧୁକ ଓ ଏହା ଶ୍ରୀ ସ୍ବାଇଁଙ୍କ ସମୁଦି ରାମବାହାଦୁର ସିଂହଙ୍କ ନାମରେ ରହିଛି। ଏହି ଗୁଳିଚାଳନା କାହାରିକୁ ଡରାଇବା କିଂବା ଧମକାଇବା ଉଦ୍ଦେଶ୍ୟରେ କରାଯାଇ ନାହିଁ। ଏହି ଘଟଣାରେ ପୁଲିସ ନିଜ ପଟରୁ ଥାନା କେସ ନମ୍ବର ୬୭/୨୧ ଅସ୍ତ୍ରଶସ୍ତ୍ର ଆଇନ ଧାରା ୨୫(୧)(ଏ), ୨୭(୧) ଅନୁଯାୟୀ ଏକ ମାମଲା ରୁଜୁ କରି ଉଭୟଙ୍କୁ ଅଟକ ରଖିଛି। ଏଥିସହ ବ୍ୟବହୃତ ବନ୍ଧୁକକୁ ଜବତ କରାଯାଇଛି। ବନ୍ଧୁକ ଲାଇସେନ୍ସ ରଦ୍ଦ କରିବାକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଲେଖାଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି। ନିର୍ବାଚନ ସମୟରେ ନିୟମାନୁଯାୟୀ ବନ୍ଧୁକ ଥାନାରେ ଦାଖଲ ହେବା କଥା ଏବଂ ଏଥିପାଇଁ ଆବଶ୍ୟକ ନୋଟିସ ବନ୍ଧୁକଧାରୀ ପାଖକୁ ଯିବା କଥା। ପୌର ନିର୍ବାଚନ ସମୟରେ ବନ୍ଧୁକ ଜଣେ ବ୍ୟକ୍ତିଙ୍କ ପାଖରେ ରହିଲା କିପରି ବୋଲି ଗଣମାଧ୍ୟମ ପ୍ରତିନିଧି ଏସ୍ପିଙ୍କୁ ପଚାରିବାରୁ ଏ ସମ୍ପର୍କରେ ସୋନପୁର ଆଇଆଇସିଙ୍କୁ କୈଫିୟିତ ତଲବ ହେବ ବୋଲି ସେ ସୂଚନା ଦେଇଥିଲେ। ଏ ସମ୍ପର୍କରେ ଶ୍ରୀ ସ୍ବାଇଁଙ୍କୁ ଯୋଗଯୋଗ କରାଯିବାରୁ କାହାରିକୁ ଭୟଭୀତ କରିବା ତାଙ୍କ ଉଦ୍ଦେଶ୍ୟ ନଥିଲା, ଏଥିପାଇଁ ସେ ବ୍ୟକ୍ତିଗତ ଭାବରେ ଦୁଃଖ ପ୍ରକାଶ କରୁଛନ୍ତି ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/nua.jpg)