୫୧୮ ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ

ଭୁବନେଶ୍ବର: ଦ୍ବିତୀୟ ଦିନ ଗଣତିର ସଦ୍ୟତମ ରିପୋର୍ଟ ଅନୁଯାୟୀ, ୨୭୦ଟି ମଧ୍ୟରୁ ବିଜେଡି ୨୩୬, ବିଜେପି ୧୬, କଂଗ୍ରେସ ୧୫ ଓ ଅନ୍ୟମାନେ ୨ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛି। ପ୍ରଥମ ଦିନର ୨୮୨ଟି ଆସନକୁ ମିଶାଇ ବିଜେଡି ପ୍ରାର୍ଥୀମାନେ ଏଯାବତ୍ ୫୧୮ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛନ୍ତି।

ଉପକୂଳରୁ ପଶ୍ଚିମ, ଦକ୍ଷିଣରୁ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ସବୁଠି ଖାଲି ବିଜେଡି ଆଉ ବିଜେଡି। କୋରାପୁଟ, ରାୟଗଡ଼ାରେ ବିଜେଡିକୁ କଂଗ୍ରେସ କିଛି ମାତ୍ରାରେ ଟକ୍କର ଦେଉଥିବା ବେଳେ ବରଗଡ଼, ବଲାଙ୍ଗୀର, ସମ୍ବଲପୁର ଓ ଖୋର୍ଦ୍ଧାରେ ବିଜେପି ନିଜ ସମ୍ମାନ ରକ୍ଷା କରିବାକୁ ଲଢ଼େଇ କରୁଛି। ସ୍ଥିତି ଏପରି ହୋଇଛି ‌ଯେ ବିଜେଡି ୮୯% ସିଟ୍ ଦଖଲ କରିସାରିଲାଣି। ବାକି ୧୧% ବିଜେପି, କଂଗ୍ରେସ, ସ୍ବାଧୀନ ଏବଂ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ପାଇଛନ୍ତି।

ଶନିବାର ପ୍ରଥମ ଦିନର ଗଣତି ହୋଇଥିବା ବେଳେ ଏଥିରେ ୩୧୫ଟି ସିଟ୍‌ରୁ ବିଜେଡି ୮୯% ଅର୍ଥାତ୍ ୨୮୨ଟି ସିଟ୍‌ରେ ବିଜୟ ହାସଲ କରିଛି। ସେହିପରି କଂଗ୍ରେସ ୪% ଅର୍ଥାତ୍ ୧୪ଟି, ବିଜେପି ୫% ସିଟ୍‌ ଅର୍ଥାତ୍ ୧୫ଟି ସିଟ୍‌ରେ ବିଜୟ ହାସଲ କରିଛନ୍ତି। ବାକି ୨% ସିଟ୍ ସ୍ବାଧୀନ ଓ ଅନ୍ୟାନ୍ୟ ଦଳ ବାଣ୍ଟି ‌ନେଇଛନ୍ତି।

ରବିବାର ରାତି ୧୦ଟା ସୁଦ୍ଧା ୮୫୩ଟି ଜୋନ୍‌ର ମୋଟ୍ ୯୧୯୧୩ଟି ବୁଥ୍‌ରୁ ୫୯୬୯୫ଟିରେ ଗଣତି ଶେଷ ହୋଇଥିବା ବେଳେ ବିଜେଡି ୫୫୩ଟିରେ, ବିଜେପି ୩୦ଟିରେ, କଂଗ୍ରେସ ୩୦ଟିରେ, ସ୍ବାଧୀନ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ୪ଟିରେ ବିଜୟ ହାସଲ କରିଥିବା ବେଳେ ୩ଟିରେ ଆଗୁଆ ଥିଲେ।

ଅପରପକ୍ଷେ ଆଜି ୨୨୯ଟି ଜିଲ୍ଲା ପରିଷଦ ଜୋନ୍‌ର ଗଣତି ହେବ। ୨୯ତାରିଖ ପୂର୍ବରୁ ସମସ୍ତ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ।

ସମ୍ବନ୍ଧିତ ଖବର