ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ବିଜୟୀ

ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ବିପୁଳ ବିଜୟ ହାସଲ କରିଛି। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ପ୍ରାୟ ୬୬ ହଜାର୨୨୫ ଭୋଟରେ ପରାଜିତ କରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ୯୩,୭୯୦ଟି ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ମିଳିଛି ୨୭,୫୬୫ ଖଣ୍ଡ ଭୋଟ୍। ଅପରପକ୍ଷରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ୨୨,୩୧୬ ଖଣ୍ଡ ଭୋଟ୍ ପାଇଛନ୍ତି।
ତେବେ ବିଜୟ ନେଇ ଏଯାଏଁ ନିର୍ବାଚନ କମିସନ ଘୋଷଣା କରିନାହାନ୍ତି।

ଉଲ୍ଲେଖଯୋଗ୍ୟ, ଅଳକା ମହାନ୍ତି ହେଉଛନ୍ତି ବ୍ରଜରାଜନଗରର ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଅଳକାଙ୍କୁ  ପ୍ରାର୍ଥୀ ଭାବେ ମନୋନୟନ କରିଛନ୍ତି। ପ୍ରାର୍ଥୀ ଚୟନ ହେବାପରେ ଅଳକା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ତାଙ୍କ ସ୍ବାମୀଙ୍କ ଅଧୁରା କାର୍ଯ୍ୟକୁ ସମ୍ପନ୍ନ କରିବେ ବୋଲି ପ୍ରତିକ୍ରିୟାରେ କହିଥିଲେ। ଏହାର କିଛି ଘଣ୍ଟା ପରେ କଂଗ୍ରେସ ପ୍ରାର୍ଥୀ ଭାବେ କିଶୋର ପଟେଲଙ୍କ ନାମ ଘୋଷଣା ହୋଇଥିଲା। କିଶୋର କଂଗ୍ରେସ ସରକାର ସମୟରେ ମନ୍ତ୍ରୀ, ବିଧାନସଭା ବାଚସ୍ପତି ପଦରେ ରହିଥିଲେ। ୨୦୧୪ ନିର୍ବାଚନରେ ବିଧାୟକ ଅନୁପ ସାଏ କଂଗ୍ରେସ ଛାଡ଼ି ବିଜେଡିରୁ ଏହି ଆସନରେ ଲଢ଼ିଥିବା ବେଳେ କଂଗ୍ରେସ ଶ୍ରୀ ପଟେଲଙ୍କୁ ଏଠାରେ ଟିକେଟ ଦେଇଥିଲା। ତେବେ ଶ୍ରୀ ପଟେଲ ୩୮ ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ବିଜେପି ପ୍ରାର୍ଥୀ ଭାବେ ରାଧାରାଣୀ ପଣ୍ଡା ୨୦୧୪ରେ ବ୍ରଜରାଜନଗର ଆସନରୁ ଜିତି ବିଧାୟକ ହୋଇଥିଲେ।

ସୂଚନାଯୋଗ୍ୟ, ବ୍ରଜରାଜନଗର ଉପନିର୍ବାଚନର ଭୋଟ୍ ଗଣତି ପ୍ରକ୍ରିୟା ଶୁକ୍ରବାର ସକାଳ ୮ ଟାରେ ଆରମ୍ଭ ହୋଇଥିଲା। ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଓ ପରେ ଇଭିଏମ୍ ଖୋଲାଯାଇ ଭୋଟ୍ ଗଣତି ହୋଇଥିଲା। ଭୋଟ୍ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଥିଲା। ୨୭୯ଟି ବୁଥ ଥିବାରୁ ୨୦ ରାଉଣ୍ଡରେ ଗଣତି ସଂପୂର୍ଣ୍ଣ ହୋଇଥିଲା।  ପ୍ରତି ଟେବୁଲରେ ୩ ଜଣ କର୍ମଚାରୀଙ୍କୁ ଗଣିବା ପାଇଁ ନିୟୋଜିତ କରାଯାଇଥିଲା। କାଉଣ୍ଟିଂ ଏଜେଣ୍ଟମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ପ୍ରତି ରାଉଣ୍ଡ ପରେ ଜନସାଧାରଣଙ୍କ ଅବଗତି ନିମନ୍ତେ ମାଇକ୍ ଯୋଗେ ଏହାକୁ ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର