ବ୍ରଜରାଜନଗର ଉପନିର୍ବାଚନ ଜିତିଲା ବିଜେଡି; ୬୬,୧୨୨ ଭୋଟ୍‌ରେ ଅଳକା ବିଜୟୀ

କଂଗ୍ରେସକୁ ଦ୍ବିତୀୟ ସ୍ଥାନ, ତୃତୀୟରେ ବିଜେପି

ଝାରସୁଗୁଡ଼ା : ବ୍ରଜରାଜନଗର ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ସବୁ ଆକଳନକୁ ପଛରେ ପକାଇ ବିଜେଡି ବିପୁଳ ବିଜୟ ହାସଲ କରିଛି। ସବୁଠାରୁ ବଡ଼ କଥା ହେଉଛି, ୨୦୧୯ ନିର୍ବାଚନରେ କିଶୋର ମହାନ୍ତି ପାଇଥିବା ଭୋଟ୍‌ଠାରୁ ବିଜେଡି ପ୍ରାର୍ଥିନୀ ଅଳକା ମହାନ୍ତି ଅଧିକ ଭୋଟ୍‌ ହାସଲ କରିଛନ୍ତି। ଗତ ନିର୍ବାଚନରେ କିଶୋର ମହାନ୍ତି ୮୦,୧୫୨ ଭୋଟ୍‌ ପାଇଥିବାବେଳେ ଏହି ଉପନିର୍ବାଚନରେ ତାଙ୍କ ପତ୍ନୀ ଶ୍ରୀମତୀ ମହାନ୍ତି ୯୩ ହଜାର ୯୫୩ ଭୋଟ୍‌ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ କିଶୋର ଚନ୍ଦ୍ର ପଟେଲଙ୍କୁ ୬୬, ୧୨୨ ଭୋଟରେ ପରାସ୍ତ କରିଛନ୍ତି।

ଭୋଟ ଗଣତିର ପରିସଂଖ୍ୟାନ ଅନୁସାରେ, ଗତ ନିର୍ବାଚନରେ ଶ୍ରୀ ମହାନ୍ତିଙ୍କ ବିଜୟ ବ୍ୟବଧାନ ୧୧,୯୯୯ ଥିବାବେଳେ ଶ୍ରୀମତୀ ମହାନ୍ତିଙ୍କ ବିଜୟ ବ୍ୟବଧାନ ଏହାର ୫ ଗୁଣାରୁ ଊର୍ଦ୍ଧ୍ବ ରହିଛି। କଂଗ୍ରେସ ପ୍ରାର୍ଥୀ ଶ୍ରୀ ପଟେଲ ୨୭ ହଜାର ୮୩୧ ଭୋଟ ପାଇଛନ୍ତି। ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡା ୨୨ ହଜାର ୬୩୦ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବାବେଳେ ସିପିଆଇ ପ୍ରାର୍ଥୀ ରମେଶ ଚନ୍ଦ୍ର ତ୍ରିପାଠୀ ୩ ହଜାର ୧୦୫ ଭୋଟ ପାଇ ଚତୁର୍ଥ ସ୍ଥାନ‌ରେ ରହିଛନ୍ତି। ଅନ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ  ବିଜୟ ଜଲାନ ୨୮୪, ଅବ୍ୟଭାରତୀ ଶେଖାୱତ ରାଜପୁତ ଜୈନ ୩୭୧, ଆଦିତ୍ୟ ପ୍ରଧାନ ୧୮୮୪, ଦୀନବନ୍ଧୁ ବିଶ୍ବାଳ ୪୨୫, ମନୋଜ ମେହେର ୪୧୭, ସୀତାରାମ ବେହେରା ୩୧୨, ସୁପ୍ରୀତ କୁମାର ବେହେରା ୬୭୫ ଭୋଟ ପାଇଛନ୍ତି। ନୋଟାରେ ମୋଟ ୧୫୧୧ ଭୋଟ ପଡ଼ିଥିବା ଜଣାଯାଇଛି।

କିଏ କେତେ ପାଇଲେ

ଅଳକା ମହାନ୍ତି (ବିଜେଡି) -୯୩୯୫୩
କିଶୋର ଚନ୍ଦ୍ର ପଟେଲ (କଂଗ୍ରେସ) -୨୭୮୩୧
ରାଧାରାଣୀ ପଣ୍ଡା (ବିଜେପି) -୨୨୬୩୦
ରମେଶ କୁମାର ତ୍ରିପାଠୀ (ସିପିଆଇ) – ୩୧୦୫
ବିଜୟ ଜଲାନ (ହିନ୍ଦୁସ୍ତାନ ନିର୍ମାଣ ଦଳ)-୨୮୪
ଅବ୍ୟଭାରତୀ ଶେଖାୱତ ରାଜପୁତ ଜୈନ (ସ୍ବାଧୀନ)- ୩୭୧
ଆଦିତ୍ୟ ପ୍ରଧାନ (ସ୍ବାଧୀନ)-୧୮୮୪
ଦୀନବନ୍ଧୁ ବିଶ୍ବାଳ (ସ୍ବାଧୀନ)-୪୨୫
ମନୋଜ ମେହେର (ସ୍ବାଧୀନ)-୪୧୭
ସୀତାରାମ ବେହେରା (ସ୍ବାଧୀନ)-୩୧୨
ସୁପ୍ରୀତ କୁମାର ବେହେରା (ସ୍ବାଧୀନ)-୬୭୫
ନୋଟା-୧୫୧୧
ମୋଟ- ୧,୫୩,୩୯୮

ଅନ୍ୟପକ୍ଷରେ, ଏହି ଉପନିର୍ବାଚନରେ ବିଜେପିକୁ ଜୋରଦାର ଝଟ୍‌କା ଲାଗିଛି। ଗତ ନିର୍ବାଚନ ଅପେକ୍ଷା ବିଜେପିର ଭୋଟ୍‌ ହାର ତଳକୁ ଖସିଯାଇଛି। ୨୦୧୯ ନିର୍ବାଚନରେ ବିଜେପିର ରାଧାରାଣୀ ପଣ୍ଡା ୬୮, ୧୫୩ ଭୋଟ୍‌ ହାସଲ କରିଥିବାବେଳେ ଏଥର ଏହି ସଂଖ୍ୟା ୪୫ ହଜାରରୁ ତଳକୁ ଖସିଯାଇଛି। ସେହିପରି କଂଗ୍ରେସ ସାମାନ୍ୟ ଭଲ ପ୍ରଦର୍ଶନ କରିଛି। ଗତ ନିର୍ବାଚନରେ କଂଗ୍ରେସ ଏଠାରେ ପ୍ରାର୍ଥୀ ଦେଇ ନଥିବା ବେଳେ ସିପିଆଇକୁ ସମର୍ଥନ କରିଥିଲା। କଂଗ୍ରେସ ସମର୍ଥନରେ ସିପିଆଇର ରମେଶ ତ୍ରିପାଠୀ ୯, ୩୫୦ ଭୋଟ୍‌ ହାସଲ କରିଥିଲା। କିନ୍ତୁ ଏଥର ସିପିଆଇ ଏହାଠାରୁ କମ୍‌ ଭୋଟ୍‌ ପାଇଛି।

ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର ୩୦ରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ ପରେ ଏହି ଆସନ ଖାଲି ପଡ଼ିଥିଲା। ଗତ ମାସ ୩୧ ତାରିଖ ଦିନ ଭୋଟ୍‌ ଗ୍ରହଣ ହୋଇଥିବା ବେଳେ ଆଜି ଗଣନା ହୋଇଥିଲା।

ସମ୍ବନ୍ଧିତ ଖବର