ପ୍ରଶାନ୍ତଙ୍କ ରେକର୍ଡ ଭାଙ୍ଗିଲେ ପ୍ରଦୀପ: ଦ୍ବିତୀୟ ସ୍ଥାନକୁ ଉଠିଲା ବିଜେପି, ଖସିଲା କଂଗ୍ରେସ

ବିଦ୍ରୋହର ପ୍ରତିଫଳନ, ତଳକୁ ଗଲେ ଅପରାଜିତା

ବେଗୁନିଆ/ ବୋଲଗଡ଼: ଓଡ଼ିଶାର ଅଧିକାଂଶ ବିଧାନସଭା କ୍ଷେତ୍ରରେ ଜନତାଙ୍କ ରାୟ ଗୋଟିଏ ଦିଗରେ ଯାଇଥିବା ବେଳେ ବେଗୁନିଆ ନିର୍ବାଚନମଣ୍ଡଳୀର ଜନତାଙ୍କ ରାୟ ଭିନ୍ନ ହୋଇଛି। ବେଗୁନିଆ ଇତିହାସରେ ସର୍ବାଧିକ ୪୭ହଜାର ୬୧୬ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜେଡିର ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁଙ୍କର ଏଥର ବିଜୟ ହୋଇଛନ୍ତି। ୨୦୧୪ ମସିହାରେ ପ୍ରଶାନ୍ତ ଜଗଦ୍ଦେବ ବେଗୁନିଆରୁ ଲଢ଼ି ସର୍ବକାଳୀନ ୪୩ହଜାର ୪୨୫ ବିଜୟ ବ୍ୟବଧାନର ରେକର୍ଡ ତିଆରି କରିଥିଲେ। ପ୍ରଶାନ୍ତଙ୍କ ସେ ବିଜୟ ରେକର୍ଡକୁ ପ୍ରଦୀପ ଭାଙ୍ଗିଛନ୍ତି। ଥରକୁ ଥର ବହୁବାର ପରାଜିତ ହେବା ପରେ ପ୍ରଦୀପଙ୍କୁ ଆଜି ଚମକ୍‌ଦାର ବୃହତ୍‌ ବିଜୟ ହୋଇଛି।

ନିର୍ବାଚନ କମିସନଙ୍କ ତଥ୍ୟ ମୁତାବକ, ରିପୋର୍ଟ ଲେଖାଯିବା ସୁଦ୍ଧା ପ୍ରଦୀପଙ୍କୁ ମୋଟ୍ ୯୦ହଜାର ୧୧୦ଖଣ୍ଡ ଭୋଟ୍ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ଋଣବିଜୁଳିଙ୍କୁ ମୋଟ୍ ୪୨ହଜାର ୪୯୪ଖଣ୍ଡ ଭୋଟ୍‌ ପାଇଛନ୍ତି। ସବୁଠାରୁ ରୋଚକ କଥା ହେଲା, ପ୍ରଦୀପ ଏଥର ଯେତିକି ବ୍ୟବଧାନରେ ବିଜୟ ହୋଇଛନ୍ତି, ସେତିକି ଭୋଟ୍ ବିଜେପି ପ୍ରାର୍ଥୀ ପ୍ରକାଶଙ୍କୁ ବି ମିଳିନାହିଁ। କିନ୍ତୁ, ବେଗୁନିଆ ନିର୍ବାଚନମଣ୍ଡଳୀରେ ବିଜେପି ଦ୍ବିତୀୟ ବୃହତ୍‌ ଦଳ ଭାବେ ଉଭା ହୋଇଛି। ଦ୍ବିତୀୟ ନମ୍ବରରେ ରହୁଥିବା କଂଗ୍ରେସ ଏଥର ତୃତୀୟ ନମ୍ବରକୁ ଖସିଛି। କଂଗ୍ରେସ ପ୍ରାର୍ଥୀ ପୃଥ୍ବୀବଲ୍ଲଭ ପଟ୍ଟନାୟକଙ୍କୁ ମାତ୍ର ୧୭, ୯୩୩ଖଣ୍ଡ ଭୋଟ୍‌ ମିଳିଛି।

କେବଳ ବିଧାୟକ ପ୍ରାର୍ଥୀ ନୁହେଁ, ସାଂସଦ ପ୍ରାର୍ଥୀ ବି ବେଗୁନିଆରେ ପଛରେ ପଡ଼ିଛନ୍ତି। ଓଡ଼ିଶାର ପ୍ରାୟ ବିଧାନସଭାରେ ବିଜେପି ଲୋକସଭା ପ୍ରତି ଜନତାଙ୍କର ଆକୁଣ୍ଠ ସମର୍ଥନ ରହିଥିବା ବେଳେ ବେଗୁନିଆର ଜନତା ଏଥର ବୀପରିତ ମୁହାଁ ହୋଇଛନ୍ତି। ଏଠି ବିଜେପିର ଭୁବନେଶ୍ବର ଲୋକସଭା ସାଂସଦ ପ୍ରାର୍ଥିନୀ ଅପରାଜିତା ଷଢ଼ଙ୍ଗୀଙ୍କ ବଦଳରେ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ଅଧିକ ଭୋଟ୍‌ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ଅପରାଜିତାଙ୍କ ବିରୋଧରେ ବେଗୁନିଆରୁ ବିରୋଧୀ ସ୍ବର ଉତ୍ତୋଳନ ହୋଇଥିଲା। ଗାଁରୁ ପଞ୍ଚାୟତ ଯାଏ, ବିଜେପିର କର୍ମକର୍ତାମାନେ ହିଁ ବିଜେପିର ସାଂସଦ ଶ୍ରୀମତୀ ଷଢ଼ଙ୍ଗୀଙ୍କୁ ବିରୋଧ କରୁଥିଲେ। ଯାହାର ପ୍ରତିଫଳକ ଜନତା ନିଜର ଭୋଟ୍‌ ମାଧ୍ୟମରେ ଦର୍ଶାଇଛନ୍ତି। ଅପରାଜିତା କେତେ ଭୋଟ୍ ବେଗୁନିଆ ନିର୍ବାଚନମଣ୍ଡଳୀରୁ ହାତେଇଛନ୍ତି, ତାହା ଯଦିଓ କିଛି ସ୍ପଷ୍ଟ ହୋଇନାହିଁ, ତଥାପି ଗତବର୍ଷ ବେଗୁନିଆରେ ଅପରାଜିତାଙ୍କୁ ଭୋଟ୍‌ରେ ଆଗେଇ ନେଇଥିବା ବେଗୁନିଆବାସୀଙ୍କର ଚଳିତ ନିର୍ବାଚନରେ ଏ ପ୍ରକାର ପରିବର୍ତ୍ତନ ଭାରି ଚର୍ଚ୍ଚିତ ପ୍ରସଙ୍ଗ ହୋଇଛି।

ବେଗୁନିଆ: କାହାକୁ କେତେ ଭୋଟ୍
ଦଳ ପ୍ରାର୍ଥୀ ଭୋଟ୍
କଂଗ୍ରେସ: ପୃଥ୍ବୀବଲ୍ଲଭ ପଟ୍ଟନାୟକ ୧୭,୯୩୩
ବିଜେପି: ପ୍ରକାଶ ଚନ୍ଦ୍ର ବିଜୁଳି ୪୨,୪୯୪
ବିଜେଡି: ପ୍ରଦୀପ ସାହୁ ୯୦,୧୧୦
ଏମ୍‌ଏଲ୍‌ଡି: ମାନସ ରଞ୍ଜନ ଦାସ ୨୭୩୦
କୃପା ପାର୍ଟି: ସତ୍ୟବ୍ରତ ମହାପାତ୍ର ୩୧୪
ଜୟ ମହାଭାରତ ପାର୍ଟି: ସୂର୍ଯ୍ୟକାନ୍ତୀ ରାଉତ ୧୭୧
ସ୍ବାଧୀନ: ଜନାର୍ଦ୍ଦନ ଦଳବେହେରା ୨୦୯
ସ୍ବାଧୀନ: ପ୍ରଦୀପ ସାହୁ ୫୩୨
ସ୍ବାଧୀନ: ମନୋଜ ପ୍ରଧାନ ୩୭୬
ସ୍ବାଧୀନ: ଶୁଭକାନ୍ତ ଖଡ଼ିରତ୍ନ ୩୪୩
ସ୍ବାଧୀନ: ସନ୍ତୋଷ କୁମାର ସାହୁ ୩୮୮
ନୋଟା: ୯୯୦

ସମ୍ବନ୍ଧିତ ଖବର