ବରଗଡ଼/ପଦ୍ମପୁର : ସର୍ବଦା ଦ୍ବନ୍ଦ୍ବ ଭିତରେ ଥିବା ପଦ୍ମପୁର ଉପନିର୍ବାଚନର ଫଳାଫଳ ଚମକାଇ ଦେଇଛି। ପଦ୍ମପୁରରେ ବିଜେଡିର ଚମକ ରହିଛି। ଦଳୀୟ ପ୍ରାର୍ଥିନୀ ବର୍ଷା ସିଂ ବରିହା ରେକର୍ଡ ସଂଖ୍ୟକ ୪୨,୬୭୯ ଭୋଟ୍‌ ବ୍ୟବଧାନରେ ନିକଟତମ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପରାସ୍ତ କରିଛନ୍ତି। ବର୍ଷା ୧,୨୦,୮୦୭ ଭୋଟ୍‌ ହାତେଇଛନ୍ତି। ପ୍ରଦୀପ ୭୮,୧୨୮ ଭୋଟ୍‌ରେ ସୀମିତ ରହିଛନ୍ତି। ତେବେ ଏଠା‌ରେ କଂଗ୍ରେସର ସ୍ଥିତି ଦୟନୀୟ ହୋଇପଡ଼ିଛି। କଂଗ୍ରେସ୍‌ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ମାତ୍ର ୩୫୯୪ ଭୋଟ୍‌ ଗୋଟାଇବାରେ ସମର୍ଥ ହୋଇଛନ୍ତି। ନୋଟାରେ ରେକର୍ଡ ୨୦୮୭ ଭୋଟ୍‌ ପଡ଼ିଛି।

Advertisment

ଗୁରୁବାର ପଦ୍ମପୁର ଆର୍‌ଏମ୍‌ସିଠାରେ ଭୋଟ୍‌ ଗଣତି ଆରମ୍ଭ ହୋଇଥିଲା। ପ୍ରଥମେ ୩ଶହଟି ପୋଷ୍ଟାଲ୍‌ ବାଲାଟ୍‌ ଗଣା ଯାଇଥିଲା। ଏଥିରେ ବିଜେଡିକୁ ୧୩୫, ବିଜେପିକୁ ୯୪ ଏବଂ କଂଗ୍ରେସ୍‌ ୧୩ଟି ଭୋଟ୍‌ ପାଇଥିଲା। ୪୮ଟି ଭୋଟ୍‌ ନାକଚ ହୋଇଥିଲା। ଏହାପରେ ଇଭିଏମ୍‌ ଦେଇଥିଲା ଫଳାଫଳ। ପ୍ରଥମ ରାଉଣ୍ଡରୁ ବର୍ଷା ଅଗ୍ରଣୀ ପାଇଥିଲେ। ଯାହା କ୍ରମାଗତ ଭାବେ ବଢ଼ି ଚାଲିଥିଲା। ୨୩ଟି ରାଉଣ୍ଡର ଗଣତି ଭିତରେ ପ୍ରଥମାର୍ଦ୍ଧରେ ହିଁ ବିଜେଡି ବିଜୟ ପାଇବ ବୋଲି ଗୋଟିଏ ହିସାବରେ ସ୍ପଷ୍ଟ ହୋଇଥିଲା। ଦ୍ବିତୀୟାର୍ଦ୍ଧର ଗଣତି ବେଳେ ବିଜେପି ଲୟକୁ ଫେରିବ ବୋଲି ଆଶା ବାନ୍ଧିଥିଲା। କିନ୍ତୁ ଭୋଟ୍‌ ବ୍ୟବଧାନ ଆଶ୍ଚର୍ଯ୍ୟଜନକ ଭାବେ ୪୨ହଜାର ଛୁଇଁଥିଲା। ପରେ ୨ଟି ଇଭିଏମ୍‌କୁ ୨୪ ନମ୍ବର ରାଉଣ୍ଡରେ ଗଣାଯାଇଥିଲା। ଏହାପରେ ବ୍ୟବଧାନ ସାଢ଼େ ୪୨ ହଜାର ଅତିକ୍ରମ କରିଥିଲା।  ଯାହା ପର୍ଯ୍ୟବେକ୍ଷକ ମହଲକୁ ବି ଚକିତ କରିଛି।

ବର୍ଷାଙ୍କ ବିଜୟ ସହିତ ପଦ୍ମପୁର ପ୍ରଥମ ଥର ପାଇଁ ମହିଳାଙ୍କୁ ବିଧାୟିକା ଭାବେ ପାଇଛି। ଫଳାଫଳର ପରିସଂଖ୍ୟାନକୁ ଦେଖିଲେ, ବିଜେଡି ନିଶ୍ଚିତ ଭାବେ ଉତ୍ସାହିତ ହେବ। କାରଣ ଗତ ବିଧାନସଭା ନିର୍ବାଚନ ତୁଳନାରେ ଦଳ ନିଜ ଭୋଟ୍‌ ବ୍ୟାଙ୍କ୍‌କୁ ଆହୁରି ଉପରକୁ ଉଠାଇଛି। କାରଣ ପୂର୍ବରୁ ପଦ୍ମପୁର ନିର୍ବାଚନମଣ୍ଡଳୀରେ କୌଣସି ପ୍ରାର୍ଥୀ ଲକ୍ଷେ ଭୋଟ୍‌ ଉପରକୁ ଟପି ନଥିଲେ। ବିଜେପି ପୂର୍ବଭଳି ନିଜ ପକେଟ୍‌ ଭୋଟ୍‌କୁ ୭୬-୭୭ ହଜାର ପାଖାପାଖି ବଜାୟ ରଖିଛି। ହେଲେ କଂଗ୍ରେସ ଏଠାରେ ସର୍ବାଧିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।  ପୂର୍ବରୁ କଂଗ୍ରେସ୍‌ ଏଠାରେ ୩୦ରୁ ୩୩ହଜାର ଯାଏଁ ନିଜ ପକେଟ୍‌ ଭୋଟ୍‌ ରଖୁଥିଲା। କିନ୍ତୁ କଂଗ୍ରେସ୍‌ର ୯୦ ପ୍ରତିଶତ ପକେଟ୍‌ ଭୋଟ୍‌ ବିଜେଡି ଖାତାରେ ଚଢ଼ିଛି, ଏକଥା ପରିସଂଖ୍ୟାନରୁ ସ୍ପଷ୍ଟ। ଏଭଳି ଦୟନୀୟ ସ୍ଥିତି ସହ କଂଗ୍ରେସ ନିଜ ଅମାନତ ବି ହରାଇଛି। ବିଜୟୀ ପ୍ରାର୍ଥିନୀ ବର୍ଷା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦଳୀୟ ନେତା, କର୍ମୀ ଓ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି।