୨୪ରୁ ରାଜ୍ୟର ପ୍ରତି ନିର୍ବାଚନ ମଣ୍ଡଳୀରେ ମହିଳା ବିଜେଡି ସମାବେଶ

ଭୁବନେଶ୍ୱର: ଚଳିତମାସ ୨୪ତାରିଖରୁ ସପ୍ତାହବ୍ୟାପୀ ରାଜ୍ୟର ପ୍ରତି ନିର୍ବାଚନ ମଣ୍ଡଳୀରେ ମହିଳା ବିଜେଡି ପକ୍ଷରୁ ସମାବେଶ ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ ସଫଳତାର ବାର୍ତା, ଅଧିକରୁ ଅଧିକ ମହିଳାଙ୍କୁ ଅର୍ଥନୈତିକ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ପାଇଁ ପ୍ରୋତ୍ସାହନ, ମହିଳା ଚାଷୀ ଓ ଜୀବିକା ନିର୍ବାହରେ ସଫଳ ମହିଳାଙ୍କୁ ସମ୍ମାନ ଭଳି ପ୍ରସଙ୍ଗକୁ ଘରେ ଘରେ ପହଞ୍ଚାଇବ ବିଜୁ ମହିଳା ଜନତା ଦଳ। ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ମହିଳା ଜନତା ଦାଳ ସଭାନେତ୍ରୀ ପ୍ରମିଳା ମଲ୍ଲିକ, ଉପ-ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ସାଧାରଣ ସଂପାଦକ ଅରୁଣ କୁମାର ସାହୁ ଉପସ୍ଥିତ ଥିଲେ। ଦଳୀୟ ପ୍ରତିନିଧିମାନେ କହିଲେ, ଯେ, ମହିଳାମାନଙ୍କୁ ରାଜନୈତିକ, ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ଉନ୍ନତି କରିବା ସହ ସଶକ୍ତ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ସରକାର ୩ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି। ମମତା ଯୋଜନାରେ ମହିଳା ଓ ଶିଶୁଙ୍କୁ ସୁରକ୍ଷା, ମହିଳା କୃଷକଙ୍କୁ ସମ୍ମାନ, ଛାତ୍ରଛାତ୍ରୀଙ୍କୁ ସାଇକେଲଠାରୁ ଆରମ୍ଭ କରି ଲାପଟପ୍‌ ପ୍ରଦାନ, ଆଦିବସୀ ଅଞ୍ଚଳରେ ୫ହଜାରରୁ ଅଧିକ ଛାତ୍ରୀ ନିବାସ ନିର୍ମାଣ, ପ୍ରତ୍ୟେକ ଜିଲ୍ଲାର ଯୋଜନା ବୋର୍ଡରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଯଥେଷ୍ଟ ଅବଦାନ ରହିଛି। ତେବେ କେନ୍ଦ୍ରର ବିଜେପି ସରକାର ଏଥିରେ ବାଧକ ସାଜିଛି। ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରିବା କ୍ଷେତ୍ରରେ ଛତିଶଗଡ଼କୁ ସାହାଯ୍ୟ, ରନ୍ଧନ, ପେଟ୍ରୋଲ ଓ ଡିଜେନ୍‌ ଦର ବୃଦ୍ଧି କରି ଜନସାଧାରଣଙ୍କୁ ହନ୍ତସନ୍ତ କରିବା ଆଦି ବାର୍ତାକୁ ରାଜ୍ୟର ପ୍ରତ୍ୟେକ ଘରେ ଘରେ ପହଞ୍ଚାଇବାକୁ ଉଦ୍ୟମ କରାଯିବ ବୋଲି ସେମାନେ କହିଥିଲେ।

ସମ୍ବନ୍ଧିତ ଖବର