ବାଲେଶ୍ବର: ଯାହା ଅନୁମାନ କରାଯାଉଥିଲା, ତାହା ହିଁ ହେଲା। ଚାରିଦିନ ତଳେ ପଦ୍ମ ଛାଡ଼ି ଶଙ୍ଖ ଦଳରେ ସାମିଲ ହୋଇଥିବା ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବାଲେଶ୍ବର ସଂସଦୀୟ ଆସନରୁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀଙ୍କୁ ବିଜେପି ଏଠାରୁ ଦ୍ବିତୀୟଥର ପ୍ରାର୍ଥୀ କରିଥିବା ବେଳେ ଲେଖାଶ୍ରୀଙ୍କୁ ମଇଦାନକୁ ଓହ୍ଲାଇ ମହିଳା କାର୍ଡ ଖେଳିଛି ବିଜେଡି। ଫଳରେ ବାଲେଶ୍ବର ଲୋକସଭା ଆସନରେ ମଧ୍ୟ ଏଥର ବଡ଼ ଲଢେଇ ଦେଖିବାକୁ ମିଳିବ ବୋଲି କୁହାଯାଉଛି।

Advertisment

ଲେଖାଶ୍ରୀ ବାଲେଶ୍ବର ଜିଲ୍ଲା ନୀଳଗିରି ମାଟିର ବୋହୂ। ନୀଳଗିରି ବ୍ଲକ୍‌ କାଂଶ ଗାଁରେ ଲେଖାଶ୍ରୀଙ୍କ ଶାଶୂଘର। ସ୍ବାମୀ ବିଜୟ ମହାନ୍ତି ସର୍ବଭାରତୀୟ ସେବା (ଆଲାଏଡ୍‌)ର ଜଣେ ବରିଷ୍ଠ ଅଧିକାରୀ। ଲେଖାଶ୍ରୀ ପ୍ରାଣୀବିଜ୍ଞାନ ସ୍ନାତକୋତ୍ତର ପରୀକ୍ଷାରେ ସ୍ବର୍ଣ୍ଣପଦକ ହାସଲ କରିବା ସହ ପରିବେଶ ବିଜ୍ଞାନରେ ପିଏଚ୍‌ଡି କରିଛନ୍ତି। ରେଭେନ୍‌ସା ସମେତ ବିଭିନ୍ନ ମହାବିଦ୍ୟାଳୟରେ ସେ ପ୍ରାଣୀବିଜ୍ଞାନ ବିଭାଗର ଅଧ୍ୟାପିକା ମଧ୍ୟ ଥିଲେ। ତେବେ ୨୦୧୪ରେ ସେ ବିଜେଡିରୁ ନୀଳଗିରି ଆସନ ପାଇଁ ଚେଷ୍ଟା କରି ନିରାଶ ହେବାପରେ ବିଜେପିରେ ସାମିଲ ହୋଇଥିଲେ। ୨୦୧୯ରେ ବିଜେପିରୁ ବାଲେଶ୍ବର ଲୋକସଭା ଆସନ ପାଇଁ ମଧ୍ୟ ଆଶାୟୀ ଥିଲେ।

ପରେ ତାଙ୍କୁ ଦଳର ଉପସଭାପତି, ମୁଖପାତ୍ର ସମେତ ରାଷ୍ଟ୍ରାୟତ୍ତ କମ୍ପାନି ‘ବିଏଚ୍‌ଇଏଲ୍‌’ର ସ୍ବାଧୀନ ନିର୍ଦ୍ଦେଶକ ଭଳି ଗୁରୁତ୍ବପୂର୍ଣ୍ଣ ପଦରେ ଅଧିଷ୍ଠିତ କରିଥିଲା ଦଳ। ତେବେ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ସରିଥିଲେ ବି ନିଜ ନାଁ ନଥିବା ଦେଖି ଲେଖାଶ୍ରୀ କୁଆଡେ ଅସନ୍ତୁଷ୍ଟ ଥିଲେ। ଦଳ ତାଙ୍କୁ ଗୁରୁତ୍ବ ଦେଉନଥିବା ଅଭିଯୋଗ କରି ଗତ ୮ ତାରିଖରେ ଇସ୍ତଫା ଦେବା ସହ ବିଜେଡିରେ ସାମିଲ ହୋଇଥିଲେ। ଉଭୟ ବିଜେପି ଓ ବିଜେଡି ଏଠାରୁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କେବଳ କଂଗ୍ରେସର ପ୍ରାର୍ଥିତ୍ବ ଝୁଲିରହିଛି।