ବିଜେଡି ପକେଟ୍‌ରେ ୧୬,୧୯, ୨୮, ୨୯ନଂ ଜୋନ୍‌

୭୫୦୭ଖଣ୍ଡ ଭୋଟ୍‌ରେ ଜିତିଲେ ଗଙ୍ଗାଧର

ବାଲିପାଟଣା: ବାଲିପାଟଣା ୧୯ ନମ୍ବର ଜୋନ୍‌ରେ ବିଜେଡି ବାଜିମାତ୍‌ କରିଛି। ଏହି ଜୋନ୍‌ରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଗଙ୍ଗାଧର ମଲ୍ଲିକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ବୀ ବିଜେପିର ପ୍ରସନ୍ନ ଭୋଇଙ୍କୁ ୭୫୦୭ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି।

ସେହିପରି ଅଠାନ୍ତର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଅଜିତ କୁମାର ମହାନ୍ତି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ବୀ ଜ୍ୟୋତ୍ସ୍ନାରାଣୀ ଭୋଳଙ୍କୁ ମାତ୍ର ୧୭ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଅଠାନ୍ତର ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଭାବରେ ଶୈଳେନ୍ଦୁ କୁମାର ଭୋଳ ପ୍ରତିଦ୍ବନ୍ଦ୍ବୀ ରୁବି ପ୍ରଧାନଙ୍କୁ ୭୨୭ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଗାରେଡ଼ିପାଞ୍ଚଣ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସକୁନ୍ତଳା ଭୋଇ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ବୀ ସୁନିତା ଭୋଇଙ୍କୁ ୭୩୯ ଖଣ୍ଡ ଭୋଟରେ ହରାଇଛନ୍ତି। ସେହିପରି ଗାରେଡ଼ିପାଞ୍ଚଣ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଭାବରେ ରାଜଲକ୍ଷ୍ମୀ ଜେନା ତାଙ୍କର ପ୍ରତିଦ୍ୱନ୍ଦ୍ବୀ ଇତିଶ୍ରୀ ପାଣିଙ୍କୁ ୧୪୩୯ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି।

ପମ୍ପାଲୋ ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ବାହାନ ଭୋଇ ମୋଟ ୩୩୧୯ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେ ଲଛମନ୍ ଭୋଇଙ୍କୁ ପରାସ୍ତ କରିଛନ୍ତି। ଉକ୍ତ ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଭାବରେ ନମିତା ଭୋଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ବୀ ସସ୍ମିତା ବେହେରାଙ୍କୁ ୪୩୫ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ମଝିହରା ଗ୍ରାମ ପଞ୍ଚାୟତରେ ସରପଞ୍ଚ ଭାବରେ ପ୍ରତିମା କୁମାରୀ ଜେନା ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ବୀ ଜସ୍ମିନ୍ କୈଶର ୭୯୦ ଖଣ୍ଡ ଭୋଟ୍‌ରେ ପରାଜିତ ହୋଇଛନ୍ତି।

ସମିତି ସଭ୍ୟା ଭାବରେ ସବିତା ମିଶ୍ର ପ୍ରତିଦ୍ୱନ୍ଦ୍ବୀ ପାର୍ବତୀ ବେହେରାଙ୍କୁ ୨୩୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ସେହିପରି ଭାକରସାହି ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବରେ ଚନ୍ଦ୍ରମଣି ବେହେରା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ବୀ ଅଜୟ କୁମାର ବେହେରାଙ୍କୁ ୫୭୮ ଖଣ୍ଡ ଭୋଟରେ ହରାଇଥିବା ବେଳେ ସମିତି ସଭ୍ୟ ପ୍ରାର୍ଥୀ କାହ୍ନୁ ଚରଣ ପାତ୍ର ନବଘନ ଜେନାଙ୍କୁ ୪୦୦ ଭୋଟରେ ପରାସ୍ତ କରି ଜୟଯୁକ୍ତ ହୋଇଛନ୍ତି। ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ଆଦିକନ୍ଦ ବେହେରା ଏହି ସୂଚନା ଦେଇଛନ୍ତି।

୮,୫୨୩ ଖଣ୍ଡ ଭୋଟ୍‌ରେ ମହେଶ୍ବର ବିଜୟୀ

ବାଲିଅନ୍ତା: ଖୋର୍ଧା ଜିଲ୍ଲା ପରିଷଦ ଅଧୀନ ୧୬ ନମ୍ବର ଜୋନ୍‌ର ୪ଟି ପଞ୍ଚାୟତର ନିର୍ବାଚିତ ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ଫଳାଫଳ ‌ଆଜି ଘୋଷଣା କରାଯାଇଛି। ଗତକାଲି ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ ଗଣତି ଆଜି ଭୋର ପର୍ଯ୍ୟନ୍ତ ଚାଲିଥିଲା। ୧୬ ନମ୍ବର ଜୋନ୍‌ର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ମହେଶ୍ବର ଦାଶ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ସ୍ବାଧୀନ ପ୍ରାର୍ଥୀ ତ୍ରୈଲୋ‌କ୍ୟ ମଙ୍ଗରାଜଙ୍କୁ ୧୬୦୦ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି। ମହେଶ୍ବର ୮,୫୨୩ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ତ୍ରୈଲୋକ୍ୟ ୬,୯୨୩ ଖଣ୍ଡ ଭୋଟ୍‌ ପାଇଥିଲେ। ବିଜେପି ପ୍ରାର୍ଥୀ ସିଦ୍ଧେଶ୍ବର ନାଥ ୧୩୮୬ ଓ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ସମ୍ମଦ ୪୧୧ ଖଣ୍ଡ ଭୋଟ ପାଇଛନ୍ତି।
ସେହିପରି ବାଲିଅନ୍ତା ସରପଞ୍ଚ ଭାବେ କୃଷ୍ଣଚନ୍ଦ୍ର ଆପଟ ଓ ସମିତି ସଭ୍ୟ ଭାବେ କୁନି ପ୍ରଧାନ ବିଜୟୀ ହୋଇଛନ୍ତି। ଜଗନ୍ନାଥପୁର ପଞ୍ଚାୟତରେ ସରପଞ୍ଚ ଭାବେ ବିଶ୍ବଜିତ ଭୋଇ ଓ ସମିତି ସଭ୍ୟ ଭାବେ ବାସନ୍ତୀ ଖଟୁଆ ବିଜୟ ଲାଭ କରିଛନ୍ତି। ବେଣୁପୁରରେ ସରପଞ୍ଚ ଭାବେ ହୃଷୀକେଶ ପାତ୍ର ଓ ସମିତି ସଭ୍ୟ ଭାବେ ନମିତା ପରିଡ଼ା ବିଜୟୀ ହୋଇଛନ୍ତି। ସେହିପରି ବଇଁଚୁଆରେ ସରପଞ୍ଚ ରଶ୍ମିତା ସାହୁ ଓ ସମିତି ସଭ୍ୟ ଭାବେ ଫଣିଭୂଷଣ ବାରିକ ଜିତିଛନ୍ତି।
ଅନ୍ୟପକ୍ଷରେ ଗତକାଲି ରାତିରେ ବେଣୁପୁରର ସମିତି ସଭ୍ୟ ପ୍ରାର୍ଥୀ ଦୁର୍ଯ୍ୟୋଧନ ପରିଡ଼ା ନମିତା ପରିଡ଼ାଙ୍କଠାରୁ ୧୧ ଖଣ୍ଡ ଭୋଟରେ ବିଜୟୀ ହୋଇଥିବା ଘୋଷଣା କରାଯାଇଥିଲା। ଆଜି ଶ୍ରୀମତୀ ପରିଡ଼ା ପୁନଃଗଣତି କରାଯିବା ନେଇ ବ୍ଲକ ନିର୍ବାଚନ ଅଧିକାରୀ ନାରାୟଣ ଚନ୍ଦ୍ର ନାୟକ ଏବଂ ତହସିଲଦାର ସରୋଜ ପଣ୍ଡାଙ୍କ ନିକଟରେ ଅଭିଯୋଗ କରିଥିଲେ। ପୁନର୍ବାର ଗଣତି କରାଯିବାରୁ ନାକଚ ହୋଇଥିବା ଭୋଟରୁ ୧୬ ଖଣ୍ଡ ଭୋଟ କାଏମ କରାଯାଇଥିଲା। ଫଳରେ ନମିତାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର