ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ତିନିଟି ବିଧାନସଭା କ୍ଷେତ୍ର ମଧ୍ୟରୁ ଖୋର୍ଦ୍ଧା ଓ ଚିଲିକାରେ ପଦ୍ମ ଫୁଟିଛି। ସେପଟେ ବେଗୁନିଆରେ ବିଜେଡି ବାଜିମାତ୍ କରିଛି। ଚିଲିକାରେ ବିଜେଡି ପ୍ରାର୍ଥୀ ରଘୁ ସାହୁ ଚିତ୍ପଟାଙ୍ଗ ମାରିଥିବା ବେଳେ ଖୋର୍ଦ୍ଧାରେ ତିନିଥରର ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କୁ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ପରାସ୍ତ କରିଛନ୍ତି। ବିଜେଡିର ହାଟ୍ରିକ୍ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ଶ୍ରୀ ଜଗଦ୍ଦେବ ୮୫୯୮ ଖଣ୍ଡ ଭୋଟ୍ରେ ପରାସ୍ତ କରିଛନ୍ତି। ନିର୍ବାଚନ ଦିନ (୨୫ ତାରିଖ) ବେଗୁନିଆ ନିର୍ବାଚନମଣ୍ଡଳୀର ଏକ ବୁଥ୍ରେ ଇଭିଏମ୍ ଭଙ୍ଗା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇ ଜେଲ୍ରେ ଅଛନ୍ତି। ଆଜି ଭୋଟ୍ ଗଣତି ସରିବା ପରେ ପ୍ରଶାନ୍ତଙ୍କୁ ୮୦ହଜାର ୫୬୪ଖଣ୍ଡ ଭୋଟ୍ ମିଳିଥିବା ବେଳେ ରାଜେନ୍ଦ୍ରଙ୍କୁ ୭୧ହଜାର ୯୬୬ ଖଣ୍ଡ ଭୋଟ୍ ମିଳିଛି। କଂଗ୍ରେସ ମାଟି କାମୁଡ଼ି ଚତୁର୍ଥ ସ୍ଥାନରେ ରହିଛି। କଂଗ୍ରେସ ପ୍ରାର୍ଥୀ ସୋନାଲି ସାହୁଙ୍କୁ ମାତ୍ର ୩,୩୮୮ ଖଣ୍ଡ ଭୋଟ୍ ମିଳିଛି। ଖୋର୍ଦ୍ଧା ବିଧାନସଭା କ୍ଷେତ୍ରରେ ନୋଟାରେ ମୋଟ୍ ୧,୨୧୭ଖଣ୍ଡ ଭୋଟ୍ ପଡ଼ିଛି। ଏଥିରେ ପୋଷ୍ଟାଲ୍ ବାଲଟ୍କୁ ସାମିଲ୍ କରାଯାଇ ନାହିଁ। ଜେଲ୍ରେ ଥିବା ପ୍ରଶାନ୍ତଙ୍କ ବିଜୟ କେବଳ ଖୋର୍ଦ୍ଧା କାହିଁକି, ପୂରା ରାଜ୍ୟରେ ଚର୍ଚ୍ଚିତ ପ୍ରସଙ୍ଗ ହୋଇଛି।
ଜେଲ୍ ଯାଇ ଜିତିଲେ ପ୍ରଶାନ୍ତ
ବେଗୁନିଆରେ ପ୍ରଦୀପଙ୍କ ବାଜିମାତ୍
ଚିଲିକାରେ ରଘୁ ଚିତ୍ପଟାଙ୍ଗ
ଖୋର୍ଦ୍ଧା ଭଳି ଚିଲିକା ବିଧାନସଭା କ୍ଷେତ୍ରରେ ମଧ୍ୟ ବିଜେପି-ବିଜେଡି ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ପ୍ରତ୍ୟେକ ପାଳିରେ ଦଳ ପରିବର୍ତ୍ତନ କରୁଥିବା ଚିଲିକାର ଜନତା ଏଥର ବି ପରିବର୍ତ୍ତନ କରିଛନ୍ତି। ଏ କଡ଼ା ପ୍ରତିଦ୍ବନ୍ଦ୍ବିତା ମଧ୍ୟରେ ୪୫୬୬ ଖଣ୍ଡ ଭୋଟ୍ରେ ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ବିଜୟୀ ହୋଇଛନ୍ତି। ଶ୍ରୀ ହରିଚନ୍ଦନଙ୍କୁ ମୋଟ୍ ୮୩ହଜାର ୨୬୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁଙ୍କୁ ୭୮ହଜାର ୬୯୮ଖଣ୍ଡ ଭୋଟ୍ ମିଳିଛି। ସେହିଭଲି ବେଗୁନିଆରେ ବିଜେଡିର ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ ୪୭ହଜାର ୨୩ଖଣ୍ଡ ଭୋଟ୍ରେ ଜିତିଛନ୍ତି। ଏପର୍ଯ୍ୟନ୍ତ ଏନେଇ ନିର୍ବାଚନ କମିସନ୍ ଘୋଷଣା କରିନାହାନ୍ତି।। ପ୍ରଦୀପଙ୍କ ଭୋଟ୍ ତୁଳନାରେ ବିଜେପି ପ୍ରାର୍ଥୀ ପ୍ରକାଶ ଋଣବିଜୁଳିଙ୍କୁ ଅଧା ଭୋଟ୍ ମିଳିଛି। ପ୍ରକାଶ ଏଥର ୪୨ହଜାର ୩୯୮ ଖଣ୍ଡ ଭୋଟ୍ ପାଇଛନ୍ତି। ତୃତୀୟ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ପୃଥ୍ବୀବଲ୍ଲଭ ପଟ୍ଟନାୟକ ରହିଛନ୍ତି। ରିପୋର୍ଟ ଲେଖାଯିବା ସୁଦ୍ଧା ତାଙ୍କୁ ୧୭ହଜାର ୮୭୬ଖଣ୍ଡ ଭୋଟ୍ ମିଳିଛି। ଥରକୁ ଥର ନିର୍ବାଚନରେ ହାରିଥିବା ପ୍ରଦୀପଙ୍କୁ ଏଥର ବେଗୁନିଆବାସୀ ଆଶୀର୍ବାଦ ଅଜାଡ଼ି ଦେବା ଫଳରେ ତାଙ୍କର ବୃହତ୍ ବିଜୟ ହୋଇଛି।