ଭୁବନେଶ୍ବର : ଚାରି ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଏକ ବଡ଼ ରାଜନୈତିକ ଗୋଟିଚାଳନା କରିଛନ୍ତି। ଗତ ସପ୍ତାହରେ ନାଗରିକତା ସଂଶୋଧନ ଆଇନ (ସିଏଏ) କ୍ଷେତ୍ରରେ କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ସରକାରଙ୍କୁ ଆଖିବୁଜା ସମର୍ଥନ ଦେଇଥିବା ବିଜେଡି ଆଜି କେନ୍ଦ୍ର ସରକାରଙ୍କ ଅନ୍ୟ ଏକ ଏଜେଣ୍ଡା ଅର୍ଥାତ୍ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍ସି)କୁ ଖୋଲା ବିରୋଧ କରିଛି। ନିଜର ଧର୍ମନିରପେକ୍ଷ ଚେହେରାକୁ ସତେଜ ରଖିବା ଲାଗି ମୁଖ୍ୟମନ୍ତ୍ରୀ ଆଜି ସିଧା ସିଧା କହିଛନ୍ତି ଯେ ଏନ୍ଆରସି ବା ଜାତୀୟ ନାଗରିକ ପଞ୍ଜିକାକୁ ବିଜେଡି ସମର୍ଥନ କରିପାରିବ ନାହିଁ। ନବୀନ ନିବାସକୁ ଗଣମାଧ୍ୟମକୁ ଡାକି କହିଛନ୍ତି ଯେ ନାଗରିକତା ସଂଶୋଧନ ବିଲ ସହ ଭାରତୀୟ ନାଗରିକଙ୍କର କିଛି ସମ୍ପର୍କ ନାହିଁ। କେବଳ ବିଦେଶୀଙ୍କ ସହ। ଆମ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ସଂସଦରେ ସ୍ପଷ୍ଟ କରିଛନ୍ତି ଯେ ଆମେ ଜାତୀୟ ନାଗରିକ ପଞ୍ଜିକାକୁ ବିରୋଧ କରୁଛୁ। ତେଣୁ ସମସ୍ତ ନାଗରିକଙ୍କୁ ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ଓ କୌଣସି ଗୁଜବରେ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛନ୍ତି।
ଝାଡ଼ଖଣ୍ଡରେ ନିର୍ବାଚନ ପ୍ରଚାର ବେଳେ ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସାରା ଦେଶରେ ୨୦୨୪ ସୁଦ୍ଧା ଏନଆରସି ଲାଗୁ କରାଯିବ ବୋଲି ଘୋଷଣା କରିଥିବା ବେଳେ ନବୀନ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିବା ଘଟଣା ଜାତୀୟ ରାଜନୀତିରେ କମ୍ପନ ସୃଷ୍ଟି କଲାଣି। ଏହା ସହିତ ଏନ୍ଆରସିକୁ ବିରୋଧ କରୁଥିବା ରାଜ୍ୟ ତାଲିକାରେ ଓଡ଼ିଶା ନାମ ଯୋଡ଼ି ହୋଇଯାଇଛି।
ସାଧାରଣ ନିର୍ବାଚନ ପରବର୍ତୀ ସମୟରେ ବିଭିନ୍ନ କ୍ଷେତ୍ରରେ ବିଜେଡି-ବିଜେପି ପରସ୍ପର ନିକଟତର ହେଉଥିବା ନେଇ ଅଭିଯୋଗ ଜୋର ଧରୁଥିଲା। ଉଭୟ ରାଜ୍ୟର ବିଭିନ୍ନ ପ୍ରକଳ୍ପ କ୍ଷେତ୍ରରେ ବିକାଶ ଠାରୁ ଆରମ୍ଭ କରି ସଂସଦୀୟ ରଣନୀତି କ୍ଷେତ୍ରରେ ପ୍ରାୟ କାନ୍ଧରେ କାନ୍ଧ ମିଳାଇ ଚାଲୁଥିଲେ। ହେଲେ ମଙ୍ଗଳବାର ଦିନ ଲୋୟର ପିଏମଜିରେ ହଜାର ହଜାର ସଂଖ୍ୟାଲଘୁ ବର୍ଗର ଲୋକ ଏକାଠି ହୋଇ କେନ୍ଦ୍ରୀୟ ଆଭିମୁଖ୍ୟକୁ ଖୋଲା ବିରୋଧ କରିବା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ମାରକ ପତ୍ର ଦେବା ଘଟଣା ରାଜନୈତିକ ଚିତ୍ର ବଦଳାଇଦେଇଛି। କାରଣ ଏଭଳି ସମାବେଶ କେଉଁଠି ନା କେଉଁଠି ସୂଚାଉଥିଲା ଯେ ସଂଖ୍ୟାଲଘୁ ଗୋଷ୍ଠୀ ନବୀନଙ୍କ ରଣନୀତି ଉପରେ ସନ୍ଦେହ ପ୍ରକଟ କରୁଛନ୍ତି। ତେବେ ଏହାର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସେମାନଙ୍କ ସନ୍ଦେହ ମୋଚନ କରିବା ସହିତ ସ୍ପଷ୍ଟ ସଙ୍କେତ ଦେଇଛନ୍ତି ଯେ ସବୁ କଥାରେ ବିଜେପି ସହିତ ବିଜେଡି ରହିପାରିବ ନାହିଁ।
ଜାତୀୟ ନାଗରିକ ପଞ୍ଜିକାକୁ ବିଜେଡି ସମର୍ଥନ କରିପାରିବ ନାହିଁ
ଭାରତୀୟଙ୍କ ସହ ନାଗରିକତା ସଂଶୋଧନ ଆଇନର ସମ୍ପର୍କ ନାହିଁ
ଚିହିଁକି ଉଠିଲା ବିଜେପି, ସାମ୍ବାଦିକ ସମ୍ମିଳନୀ କରି ଗର୍ଜିଲେ ନେତା
ଦୋ ମୁହାଁ ନୀତି ବୋଲି ସମାଲୋଚନା କଲେ ପିସିସି ସଭାପତି
ନବୀନଙ୍କ ଏହି ପରିବର୍ତିତ ରଣନୀତି ଉଭୟ ବିଜେପି ଓ କଂଗ୍ରେସକୁ ଅକଳରେ ପକାଇ ଦେଇଛି। ବିଜେପିର ବରିଷ୍ଠ ନେତା ଐର ଖାରବେଳ ସ୍ବାଇଁ ତୁରନ୍ତ ସାମ୍ବାଦିକ ସମ୍ମିଳନୀ ଡାକି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ନବୀନ ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି ବୋଲି ଗଣମାଧ୍ୟମରେ ସମାଲୋଚନା କରିଛନ୍ତି।
ନବୀନ କିନ୍ତୁ କେବଳ ମନ୍ତବ୍ୟ ଦେଇ ଚୁପ୍ ବସିନାହାନ୍ତି। ବରଂ ସେ ଯାହା କହିଛନ୍ତି, ପୂରା ସତ କହିଛନ୍ତି। ଏ ବିଶ୍ବାସ ଦେବା ଲାଗି ଦଳର ସାଂସଦମାନେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଜାତୀୟ ନାଗରିକ ପଞ୍ଜିକା ପ୍ରସଙ୍ଗରେ କି ମନ୍ତବ୍ୟ ଦେଇଥିଲେ ତାକୁ ରାଜ୍ୟବାସୀଙ୍କ ସାମ୍ନାକୁ ଆଣିଛନ୍ତି। ଲୋକସଭାରେ ସାଂସଦ ଶର୍ମିଷ୍ଠା ସେଠୀ ଓ ରାଜ୍ୟସଭାରେ ସସ୍ମିତ୍ ପାତ୍ରଙ୍କ ବକ୍ତବ୍ୟକୁ ଦଳ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଛି। ଉଭୟ ସଂସଦରେ କହିଥିଲେ ଯେ ଆମେ ଅନୁଭବ କରିଛୁ ଯେ ଏହି ବିଲର କୌଣସି ସଂପର୍କ ଏନଆରସି ସହିତ ନାହିଁ। ଏନଆରସି ଏକ ଭିନ୍ନ ପ୍ରସଙ୍ଗ ଏବଂ ତାହା ଉପରେ ବ୍ୟାପକ ଆଲୋଚନା ହେବାର ଆବଶ୍ୟକତା ରହିଛି। ଏହି ବିଲକୁ ଏନଆରସି ସହିତ ଯୋଡା ନ ଯାଉ। ସରକାର ଏଥିପ୍ରତି ଧ୍ୟାନ ଦିଅନ୍ତୁ। ଏପରିକି ମୁସଲମାନ ସଂପ୍ରଦାୟଙ୍କୁ ଅନ୍ତର୍ଭୁକ୍ତ ନ କରାଯିବାରୁ ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥାଇପାରେ, ଯାହାକୁ ପ୍ରଶମିତ କରିବା ସରକାରଙ୍କର ନୈତିକ ଦାୟିତ୍ବ। ସରକାର ଦୃଢତାର ସହିତ ସହ ସମାଜ ମଧ୍ୟରେ ଏଭଳି ବିଶ୍ବାସ ବୃଦ୍ଧି କରନ୍ତୁ, ଯେମିତି ଏହି ବିଲ୍ ଏକ ନିର୍ଦିଷ୍ଟ ସଂପ୍ରଦାୟ ବିରୋଧରେ ନୁହେଁ। ଯାହାକୁ ନେଇ କିଛି ରାଜନୈତିକ ଦଳ ପ୍ରଚାର କରୁଛନ୍ତି।
ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଏହି ଘଟଣାକୁ ଗମ୍ଭୀରତାର ସହିତ ଗ୍ରହଣ କରିଛନ୍ତି। ୨୦୦୭ କନ୍ଧମାଳ ଦଙ୍ଗା ପରେ ବିଜେଡି-ବିଜେପି ସହିତ ମେଣ୍ଟ ଭାଙ୍ଗି ଏକାକୀ ନିର୍ବାଚନ ଲଢୁଥିଲା। ରାଜ୍ୟରେ ବିଜେପିକୁ ତଳିତଳାନ୍ତ କରିଦେଇଥିଲା ଦଳ। ନିର୍ବାଚନ ପୂର୍ବରୁ ଉଭୟ ମୁହାଁମୁହିଁ ସ୍ଥିତିରେ ଥିଲେ। କିନ୍ତୁ ନିର୍ବାଚନ ପରବର୍ତୀ ସମୟରେ ଉଭୟ ଦଳ ପରସ୍ପର ପ୍ରତି ଯେଭଳି ମନୋଭାବ ପୋଷଣ କରି ଆସୁଥିଲେ, ତାହା ନେତାଙ୍କ କଥା ଦୂରେ ଥାଉ ଗାଁ ଗଣ୍ଡାରେ ବିଜେପି କର୍ମୀଙ୍କୁ ସେମାନଙ୍କ ଭବିଷ୍ୟତ ନେଇ ଚିନ୍ତାରେ ପକାଇ ଦେଇଥିଲା। ଭୋଟ ବ୍ୟାଙ୍କ ବିଗିଡିଯିବା ଆଶଙ୍କା ମଧ୍ୟ ସୃଷ୍ଟି ହୋଇଥିଲା। ଧାରା ୩୭୦, ଟ୍ରିପଲ ତଲାକ କିମ୍ବା ଆରଟିଆଇ ଆଇନରେ ସଂଶୋଧନ ଭଳି ଅନେକ ବିବାଦୀୟ ପ୍ରସଙ୍ଗରେ ବିଜେଡି କେନ୍ଦ୍ର ସରକାରଙ୍କୁ ଆଖିବୁଜା ସମର୍ଥନ ଦେଇଥିଲା। ନିଜ ହାତରେ ସଂଖ୍ୟା ଥାଇ ମଧ୍ୟ ବିଜେପି ହାତକୁ ଗୋଟିଏ ରାଜ୍ୟସଭା ଆସନ ଟେକିଦେଇଥିଲେ ନବୀନ। ଆଜି ନବୀନ ଏଥିରେ ଲକ୍ଷ୍ମଣରେଖା ଟାଣିବାକୁ ଚେଷ୍ଟା କରିଛନ୍ତି। ତେବେ ବିଜେଡି-ବିଜେପି ସଂପର୍କରେ ଯେ ଫାଟ ତିଆରି ହୋଇଛି ବୋଲି ଗୋଟିଏ ଗୋଷ୍ଠୀ ଯାହା କହୁଛନ୍ତି, ତାହାକୁ ରାଜନୈତିକ ବିଶେଷଜ୍ଞମାନେ ବିଶ୍ବାସ କରିବାକୁ ନାରାଜ। ବରଂ ଏହା ନବୀନଙ୍କର ବର୍ତମାନ ପାଇଁ ଏକ କୌଶଳ ବୋଲି ସେମାନେ ସୂଚାଇଛନ୍ତି।
ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ କହିଥିଲେ ଯେ ୨୦ ବର୍ଷ ଧରି ଓଡ଼ିଶାବାସୀଙ୍କୁ ବୋକା ବନାଇଥିବା ମୁଖ୍ୟମନ୍ତ୍ରୀ ଆଉ କେତେଦିନ ବୋକା ବନାଇବେ? ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ନାଗରିକତା ସଂଶୋଧନ ବିଲକୁ ସମର୍ଥନ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ହେଲେ ଏନଆରସି ପ୍ରସଙ୍ଗରେ ‘ନଈ ନଦେଖୁଣୁ ଲଙ୍ଗଳା’ ଆଭିମୁଖ୍ୟ କାହିଁକି ବୋଲି ପ୍ରଶ୍ନ କରିଥିଲେ। କିଛି ମୁଷ୍ଟିମେୟ ଲୋକଙ୍କ ବିରୋଧକୁ ଦେଖି ଶ୍ରୀ ପଟ୍ଟନାୟକ ‘ଦୋମୁହାଁ ନୀତି’ ଆପଣାଇବା ଦୁଃଖଦାୟକ ବୋଲି ବିରୋଧୀ ଦଳ ନେତା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/naveen-patnaik-news-18.jpg)