ଭଞ୍ଜନଗର: ନିର୍ବାଚନକୁ କିଛି ସମୟ ବାକିଥିବା ବେଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଗ‌ଝୋଳ ଗ୍ରାମରେ ଗତକାଲି ରାତିରେ ବୋମା ବିସ୍ଫୋରଣରେ ସଦାଶିବ ପ୍ରଧାନ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତାଙ୍କୁ ହତ୍ୟା କରାଯାଇଥିବା ନେଇ ଭାଇ ହାଡୁ ପ୍ରଧାନ ଭଞ୍ଜନଗର ଥାନାରେ ଏତଲା ଦେବା ପରେ କେସ ନମ୍ବର ୧୨୬ ଅନୁସାରେ ମାମଲା ରୁଜୁ ହୋଇଛି। ପୁଲିସ ତଦନ୍ତ ଜାରି ରଖିଛି। ସଦାଶିବ ଜଣେ ବିଜେଡି ସମର୍ଥକ ଥିଲେ ବୋଲି ଜଣାପଡ଼ିଛି।

Advertisment

ଗତ ବିଳମ୍ବିତ ରାତ‌ି ୨ଟାରେ ସଦାଶିବ ଘରେ ଥିବା ‌ବେଳେ ଗ୍ରାମର କିଛି ସହଯୋଗୀ ତାଙ୍କୁ ଡାକି ସାଥିରେ ନେଇ ଥିଲେ। କିଛି ସମୟରେ ସଦାଶିବ ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଛନ୍ତି ବୋଲି ତାଙ୍କ ବାପା ସାଜନୀଙ୍କୁ ଉକ୍ତ ସହଯୋଗୀ ମାନେ ହିଁ ଖବର ଦେଇ ଥିଲେ। ନିଜ ଘର ଠାରୁ ଅଳ୍ପ ଦୂରରେ ସଦାଶିବଙ୍କ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା। ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ମେଡିକାଲ ପଠାଇଥିଲା। ତେବେ, ଏହି ଘଟଣାକୁ ନେଇ କିଛି ସ୍ପଷ୍ଟ ହୋଇପାରିନି। ଦୁର୍ଘଟଣାବଶତଃ ବୋମା ଫୁଟିଛି ନାଁ, ସଦାଶିବଙ୍କ ଉପରକୁ ବୋମା ଫିଙ୍ଗାଯାଇ ତାଙ୍କୁ ହତ୍ୟା କରାଯାଇଛି, ବୋମା କେଉଁଠୁ ଆସିଲା, ଏଭଳି ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଛି।