ଖଣ୍ଡପଡ଼ା : ଖଣ୍ଡପଡ଼ା ବ୍ଲକ୍ ବୋଦସା ଗ୍ରାମରେ ରାଜନୈତିକ ଶତ୍ରୁତାରୁ ବୋମାମାଡ଼ ହୋଇଛି। ବୋମାମାଡ଼ରେ ବୋଦସା ଗ୍ରାମର ପ୍ରଶାନ୍ତ ତାରେଣିଆ (୩୮) ନାମକ ଜଣେ ବିଜେଡି କର୍ମୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ନିର୍ବାଚନର କିଛିଘଣ୍ଟା ପୂର୍ବରୁ ଘଟିଥିବା ଘଟଣାକୁ ନେଇ ରାଜନୈତିକ ମହଲରେ ହଇଚଇ ସୃଷ୍ଟିହୋଇଛି।
ବୁଧବାର ସନ୍ଧ୍ୟା ପ୍ରାୟ ୮.୫୫ରେ ପ୍ରଶାନ୍ତ ତାଙ୍କର ଦୁଇ ବନ୍ଧୁଙ୍କ ସହ ବାଇକ୍ ଯୋଗେ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ଉକ୍ତ ଗ୍ରାମର ନରେଶ ମାଝି (୩୮) ଓରଫ କାମେନା ରାଜନୈତିକ ଶତ୍ରୁତାରୁ ଗାଳିଗୁଲଜ କରିବା ସହ ବାଟ ଓଗାଳିଥିଲେ। ପ୍ରଶାନ୍ତ ଏବଂ ସହଯୋଗୀ ତାଙ୍କୁ ପ୍ରତିରୋଧ କରିବାରୁ ପୂର୍ବରୁ ପ୍ରସ୍ତୁତ ହୋଇରହିଥିବା ନରେଶ ଅତର୍କିତ ଭାବେ ଦୁଇଟି ବୋମା ମାଡ଼ କରିଥିଲା। ଗୋଟିଏ ବୋମା ସିଧାସଳଖ ପ୍ରଶାନ୍ତଙ୍କ ମୁଣ୍ତରେ ବାଜିଥିଲା। ଫଳରେ ତାଙ୍କର ଖପୁରି ଉଡ଼ିଯିବା ସହ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ। ଆହତ ଦୁଇ ଯୁବକ ହେଲେ ଜ୍ୟୋତିରଞ୍ଜନ ରାଉତରାୟ ଏବଂ ଚିତ୍ତ ଖୁଣ୍ଟିଆ।
ଖବର ପାଇ ଖଣ୍ଡପଡ଼ା ଏସ୍ଡିପିଓ ପ୍ରଭାତ କୁମାର ମଲ୍ଲିକ, ଖଣ୍ଡପଡ଼ା ଥାନାଧିକାରୀ ବିଶ୍ୱଜିତ ରାଉତରାୟ ସଦଳବଳ ପହଞ୍ଚିବା ସହ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। ଏହି ଘଟଣା ପରେ ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ବୋଦସା ଗ୍ରାମର ଜଣେ ରାଜନେତା ପ୍ରତାପ ଚନ୍ଦ୍ର ସାମନ୍ତରାୟ ଏବଂ ଜନୈକ ସରପଞ୍ଚ ପ୍ରାର୍ଥୀଙ୍କ ସ୍ବାମୀ ତୋଫାନ ପଢ଼ିଆରୀଙ୍କ ଇଙ୍ଗିତରେ ଏହି ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଖବର ଲେଖାହେବା ଯାଏଁ ଗ୍ରାମବାସୀ ଗାଁ ଦାଣ୍ଡରେ ମୃତଦେହ ରଖି ଅଭିଯୁକ୍ତଙ୍କ ଗିରଫଦାରୀ ଦାବି କରିବା ସହିତ ଧାରଣାରେ ବସିଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/khandapada.jpg)