ରାଜନଗର: ‘ବିଜେଡି କର୍ମୀଙ୍କ ବିନା ପରାମର୍ଶରେ ଓ ସେମାନଙ୍କୁ ନ ଜଣାଇ ଭୁବନେଶ୍ବରରେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ କିପରି ବିଜେଡିରେ ସାମିଲ କରାଗଲା? ଆମକୁ ନ ଜଣାଇ ଆପଣ କିପରି ସେଠାରେ ଉପସ୍ଥିତ ରହିଲେ?’ ରାଜନଗର ବ୍ଲକ୍ ବିଜେଡି ସଭାପତି ନିରଞ୍ଜନ ରାଉତଙ୍କ ଡାକରାରେ ଡ଼ାଙ୍ଗମାଳସ୍ଥିତ ମା’ ଜୟଦୁର୍ଗାଙ୍କ କଲ୍ୟାଣ ମଣ୍ଡପରେ ଆଜି ସନ୍ଧ୍ୟାରେ ଆୟୋଜିତ ବୈଠକରେ ବିଜେଡି କର୍ମୀମାନେ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କୁ ଏମିତି ଜବାବ ମାଗିଛନ୍ତି। ଦୀର୍ଘବର୍ଷ ଧରି ଯାହା ସହ ଲଢ଼ି ଆସୁଥିଲୁ ଓ ଯେଉଁମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକଙ୍କ କୁଶପୁତ୍ତଳିକା ଦାହା କରୁଥିଲେ ଆମେ ସେମାନଙ୍କୁ କିପରି ଗ୍ରହଣ କରିବୁ ବୋଲି କର୍ମୀମାନେ ପ୍ରଶ୍ନ କରିଥିଲେ। ଏହି ପ୍ରସଙ୍ଗଟି ଆଜି ଚର୍ଚ୍ଚାର ବିଷୟ ହୋଇଛି। ବୈଠକକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ କରାଯାଇଥିଲେ ହେଁ, କଥାଟି କିନ୍ତୁ ଆଦୌ ଲୁଚି ପାରିନାହିଁ।
ବିଜେଡିରେ ସାମିଲ ହୋଇଥିବା ପୂର୍ବତନ ବିଧାୟକ ସମସ୍ତଙ୍କୁ ସମ୍ବୋଧନ କରୁଥିବା ବେଳେ ଆମ ବିଧାୟକଙ୍କ ନାମ ଉଚ୍ଚାରଣ ନ କରିବା ଓ ସମ୍ବୋଧନ ନ କରିବା ଦୃଶ୍ୟ ଟିଭି ପରଦାରେ ଓଡ଼ିଶାବାସୀ ଦେଖିଛନ୍ତି। ଏହା ବ୍ୟଥିତ କରିଛି। ଆମେ ସେମାନଙ୍କୁ ଗ୍ରହଣ କରିବ ପାରିବୁ ନାହିଁ। ୩୨ ନଂ. ଜେନା ପର୍ଯ୍ୟବେକ୍ଷକ ଲକ୍ଷ୍ମୀଧର ବାରିକ, ପୂର୍ବତନ ଉପାଧ୍ୟକ୍ଷ ଗଣେଶ ଚନ୍ଦ୍ର ଗୁଡ଼ିଆ, ବ୍ଲକ୍ ବିଜେଡି ଉପସଭାପତି ରମେଶ ଚନ୍ଦ୍ର ବେହେରା, ଗୋବର୍ଦ୍ଧନ ପ୍ରଧାନ, ଅରୁଣ କୁମାର ସାହୁ, ସରପଞ୍ଚ ଶୈଳେନ୍ଦ୍ର କୁମାର ମିଶ୍ର, ଯୁବ ବିଜେଡି ସଭାପତି ଆର୍ତ୍ତବନ୍ଧୁ ମହାନ୍ତି, ନରହରି ଜେନା ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ। ବିଧାୟକ ଧ୍ରୁବ ସାହୁ କହିଥିଲେ, ଆମେ ନବୀନ ପଟ୍ଟନାୟକଙ୍କ ଅନୁଗାମୀ। ତାଙ୍କ ନିର୍ଦ୍ଦେଶ ଓ ଆଦେଶରେ ଅନୁପ୍ରାଣିତ ହୋଇ କାମ କରିବାକୁ ପଡ଼ିବ। ବିଜେଡିର ଶୃଙ୍ଖଳିତ କର୍ମୀ ଭାବେ ମୁଁ ଦଳର ଅତିଥିମାନଙ୍କୁ ‘ଅତିଥି ଦେବୋ ଭବଃ’ ନ୍ୟାୟରେ ସ୍ବାଗତ କରିଛି। ମୋ ନାମ କିଏ ଉଚ୍ଚାରଣ କଲା, ନ କଲା ସେଥିପାଇଁ ଧ୍ୟାନ ଦେଇନି। ବୈଠକରେ ରାଜନଗର ବ୍ଲକ୍ର ୨୯ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପରାଜିତ ସଭ୍ୟ, ସରପଞ୍ଚ, ପଞ୍ଚାୟତ ସଭାପତି, ଛାମୁଆ କର୍ମୀ, ବ୍ଲକ୍ ଓ ପଞ୍ଚାୟତର କର୍ମକର୍ତ୍ତାମାନେ ଯୋଗଦେଇ ନିଜର ମତ ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/anshuman.jpg)