ବିଜେଡି କର୍ମୀଙ୍କ ଆଖି ଫେବ୍ରୁଆରିକୁ, ସଂଗଠନରେ ଥଇଥାନ ହେବେ ଛାମୁଆ ନେତା

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା
ସଂସଦରେ ଆସିପାରେ ବିଧାନ ପରିଷଦ ବିଲ୍
ମନ୍ତ୍ରିମଣ୍ଡଳ ଅଦଳବଦଳ ନକ୍ସା ପ୍ରସ୍ତୁତ ହୋଇପାରେ

ଭୁବନେଶ୍ବର : ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ସଭାପତି ଅମିତ ଶାହ ବିଜେଡିକୁ ଓପାଡ଼ି ଫିଙ୍ଗିଦେବା ଲାଗି ପ୍ରତି ସଭାରେ ଗର୍ଜନ କରୁଥିଲେ। ବିଜେଡି ମୁଖିଆ ନବୀନ ପଟ୍ଟନାୟକ କେନ୍ଦ୍ରରେ ବିଜେପି କ୍ଷମତାକୁ ଫେରିବ, ଏ ନେଇ ବାରମ୍ବାର ସନ୍ଦେହ ପ୍ରକଟ କରି କଟାକ୍ଷ କରିଥିଲେ। ନିର୍ବାଚନ ପରେ ରାଜନୀତି ଦୃଶ୍ୟପଟ୍ଟ ବଦଳିଯାଇଛି। ଉଭୟ ଏମିତି ବନ୍ଧୁତାରେ ଆବଦ୍ଧ ହୋଇଛନ୍ତି େଯ ବିଜେଡି ନିଜର େଗାଟିଏ ରାଜ୍ୟସଭା ଆସନ ବିଜେପିକୁ ଛାଡ଼ିଦେଲା। ଏବେ କେନ୍ଦ୍ରରେ ବିଜେପିର ସବୁଠାରୁ ବିଶ୍ବସନୀୟ ସାଥୀ ଭାବେ ବିଜେଡି ଉଭା ହୋଇଛି। କେନ୍ଦ୍ର ସରକାର ମଧ୍ୟ ଓଡ଼ିଶା ପ୍ରତି ମନୋଭାବ ବଦଳାଇଛନ୍ତି।

ଅମିତ ଶାହ-ନବୀନଙ୍କର ଏହି ଗୋଟିଚାଳନା କିନ୍ତୁ ୧୪୭ ନିର୍ବାଚନମଣ୍ଡଳୀରେ ଥିବା ବିଜେପି-ବିଜେଡି କର୍ମୀଙ୍କୁ ବୁଝାପଡୁନାହିଁ। ରାଜ୍ୟ ରାଜନୀତି କୁଆଡ଼େ ଯାଉଛି, କେହି ଏଯାଏ ଠୋସ୍ ଭାବେ ଠଉରାଇ ପାରୁନାହାନ୍ତି। ଉଭୟ ରାଜନୈତିକ ଦଳରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାରୁ କର୍ମୀମାନେ ଚଳଚଞ୍ଚଳ ଅଛନ୍ତି।

ଏମିତି ଏକ ପୃଷ୍ଠଭୂମିରେ ବିଜେଡି ନେତାମାନେ ପୂର୍ବାନୁମାନ କଲେଣି ଯେ ଆସନ୍ତା େଫବ୍ରୁଆରି ମାସ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବି ହିସାବ ନିକାସ କରୁଛନ୍ତି େଯ ବିଜେଡି ରାଜନୀତି କଡ଼ ଲେଉଟାଇବା ସମ୍ଭାବନାକୁ ଏଡ଼ାଇ ଦେଇ େହବନାହିଁ। ଦଳର ଆଗାମୀ ଦୃଷ୍ଟିଭଙ୍ଗୀ କଣ ରହିବ, ଦଳରେ ନେତାଙ୍କ ପତିଆରା ବଢ଼ିବ କି ପ୍ରଶାସନିକ ଅଧିକାରୀଙ୍କ ଛତ୍ରଛାୟା ତଳେ ନେତା ବଢ଼ିବେ, ସଂଗଠନ ଓ ସରକାର ସମାନ୍ତରାଳ ଭାବେ ଚାଲିବ ନା ସରକାର ଚାପରେ ସଂଗଠନ ଚାପି ହୋଇଯିବ, ବିଜେପିକୁ ଅଣନିଶ୍ବାସୀ କରି ବିଜେଡି ତା ଉପରେ ବଡ଼ଭାଇ ପଣିଆ ସାବ୍ୟସ୍ତ କରିବ ନା ବିଜେପି ତାର ସ୍ଥିତି ବଜାୟ ରଖିବ, ସର୍ବୋପରି କେଉଁମାନଙ୍କ ଭାଗ୍ୟ ଫିଟିବ, ଆଉ କାହାର ପତିଆରା କମିବ, ସେସବୁ ଫେବ୍ରୁଆରି ମାସରେ ବିଜେଡି ମୁଖିଆଙ୍କ ନିଷ୍ପତ୍ତି ଉପରେ ହିଁ ମୁଖ୍ୟତଃ ନିର୍ଭର କରିବ।

ଆସନ୍ତା ଫେବ୍ରୁଆରିରେ ବିଜେଡି ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସପ୍ତମ ଥର ପାଇଁ ଦଳର ସଭାପତି ଭାବେ ନିର୍ବାଚିତ ହେବେ; ଏଥିରେ କାହାର ଦ୍ବିମତ ନାହିଁ। ଏହାପରେ ବିଭିନ୍ନ ସାଂଗଠନିକ ପଦପଦବିରେ ନବୀନ ନିଯୁକ୍ତି ଦେବେ।

ଲଗାତାର ପଞ୍ଚମ ଥର ପାଇଁ ସରକାରକୁ ଆସିଥିବା ବିଜେଡିର ଆକାର ପୂର୍ବଭଳି ଅତୁଟ ରହିଛି ବା ସାମାନ୍ୟ ବଢ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଓ ତାଙ୍କ ଦଳବଳ ସବୁ କଳ କୌଶଳ ଖଟାଇବା ପରେ ବି ବିଜେଡିକୁ ଓଡ଼ିଶାରେ ରୋକି ପାରିନାହାନ୍ତି। ବିଜେପି ବଢ଼ିଛି, କିନ୍ତୁ ବିଜେଡି ଭୋଟକୁ ମାତ ଦେଇ ନୁହେଁ। କଂଗ୍ରେସ ଓ ଅନ୍ୟ ଛୋଟ ଦଳର ନିଜର ସତ୍ତା ହରାଇବା ଭଳି ସ୍ଥିତିକୁ ଚାଲିଆସିଥିବା କାରଣରୁ ସେସବୁ ଭୋଟ ବିଜେପି ଖାତାରେ ଚଢ଼ିଥିବା କୁହାଯାଉଛି। ଏକ ବଡ଼ ସଂଖ୍ୟା ଧରି ନବୀନ ପୁଣି ଶାସନ ଗାଦିରେ ଅଧିଷ୍ଠିତ ହୋଇଛନ୍ତି ଓ ବିଜେଡି ପରବର୍ତୀ ସାଧାରଣ ନିର୍ବାଚନକୁ ଏବେଠାରୁ ଆଖେଇଲାଣି।

ବିଜେପି ଆଡୁ ସବୁ ସମୟରେ ଭୟ ରହିଛି, ଏକଥା ନବୀନ ବୁଝିଛନ୍ତି। ଏଥିପାଇଁ ଦଳ ଗୋଟିଏ ଗୁଳିରେ ଦୁଇଟି ଶିକାର କରୁଛି। ଗୋଟିଏ ପଟେ ରାଜ୍ୟ ସ୍ବାର୍ଥକୁ ଆଗରେ ରଖିବା ଆଳରେ କେନ୍ଦ୍ର ସରକାରଙ୍କ ଅଦୃଶ୍ୟ ସହଯୋଗୀ ଦଳ ଭାବେ ଉଭା ହୋଇଛି, ଯେମିତିକି କେନ୍ଦ୍ର ସରକାରଙ୍କ କୋପଦୃଷ୍ଟି ପଡ଼ିବ ନାହିଁ। ଦ୍ବିତୀୟତଃ, ରାଜ୍ୟ ବିଜେପିକୁ ଦ୍ବନ୍ଦ୍ବରେ ପକାଇ ସେମାନଙ୍କ ଶୈଳୀରେ ନିଜର ସ୍ବତନ୍ତ୍ର କ୍ୟାଡର କରିବାକୁ ଯୋଜନା ଚଳାଇଛି। ବିଜେପି ଉଗ୍ର ଆଚରଣ ପ୍ରଦର୍ଶନ କରିପାରୁନାହିଁ, ଶାଣିତ ବିରୋଧୀ ଦଳ ଭାବେ ନିଜକୁ ପ୍ରମାଣିତ କରିପାରୁ ନାହିଁ। ଏଣେ ବିଜେଡି ତୃଣମୂଳସ୍ତର ପର୍ଯ୍ୟନ୍ତ ସଂଗଠନକୁ ଦୋରସ୍ତ କରିବା ଲାଗି ନକ୍ସା ପ୍ରସ୍ତୁତ କରୁଛି। ଏଥର ଏମିତି ନୀତି ଗ୍ରହଣ କରାଯାଉଛି େଯ ନେତା ଦଳବଦଳ କଲେ, ତାଙ୍କ ସହ କର୍ମୀ ଯିବେନି। କାରଣ ପ୍ରମୁଖ କର୍ମୀଙ୍କୁ ଦଳ ବୀମାରେ ବାନ୍ଧିବ, ବିଭିନ୍ନ େଯାଜନାରେ ଛନ୍ଦିବ।

ଦଳର ସଦସ୍ୟ ସଂଖ୍ୟାକୁ ବିଜେଡି ୧କୋଟିରେ ପହଞ୍ଚାଇବ। ଜଣେ ବରିଷ୍ଠ ନେତା କହିଛନ୍ତି, ଏବେ ସୁଦ୍ଧା ସଦସ୍ୟଙ୍କ ସଂଖ୍ୟା ୯୫ଲକ୍ଷ ପାଖାପାଖି ଛୁଇଁଲାଣି। ଦଳ ଦୁଇଟି କଥାକୁ ଗୁରୁତ୍ବ ଦେଇଛି। ପ୍ରଥମତଃ ଅତି କମରେ ୯୦ ପ୍ରତିଶତ ସଦସ୍ୟଙ୍କ ସହିତ ସେମାନଙ୍କର ଆଧାର ସଂଯୋଗ ହେବ ଓ ପ୍ରାୟ ସେତିକି ପ୍ରତିଶତ ସଦସ୍ୟଙ୍କର େମାବାଇଲ ନମ୍ବର ଥାଇ ଏକ ଡାଟାବେସ୍ ପ୍ରସ୍ତୁତ କରାଯିବ। ଏହାଦ୍ବାରା ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କର ଯେ କୌଣସି ନିଷ୍ପତ୍ତି, ସ୍ଲୋଗାନ, ବାର୍ତା ସେମାନଙ୍କ ପାଖରେ ତତ୍କାଳ ପହଞ୍ଚିବ। ଦଳର ପ୍ରମୁଖ କର୍ମୀମାନଙ୍କୁ ବୀମାଭୁକ୍ତ କରି ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା ଓ ସମୃଦ୍ଧି ଉପରେ ନେତୃତ୍ବ ଦୃଷ୍ଟି େଦବ। ସମ୍ଭବତଃ, ଭାରତ ରାଜନୀତି ଇତିହାସରେ ଏତେ ବଡ଼ ପଦକ୍ଷେପ ଅନ୍ୟ କେହି ନେଇ ନ ଥିବେ।

ବିଜେଡି ଶିବିରର ଶୀର୍ଷସ୍ତରର ଖବର ଅନୁଯାୟୀ, ଯେଉଁ ନେତାମାନେ ଗତ ନିର୍ବାଚନରେ ଟିକେଟ୍ ପାଇଥିଲେ ଓ ହାରିଥିଲେ, ସେମାନଙ୍କୁ କୌଣସି ସାମ୍ବିଧାନିକ ପଦପଦବି ଅଥବା ନିଗମ ଆଦିରେ ଥଇଥାନ କରାଯାଇନାହିଁ। ମାତ୍ର ସାଂଗଠନିକ ପ୍ରକ୍ରିୟାରେ ଅବଶ୍ୟ ସେମାନେ ପୁରୋଭାଗରେ ରହିବେ। ସରକାର ଓ ସଂଗଠନକୁ ସମାନ୍ତରାଳ ଭାବେ ନିଆଯିବ, ଯେମିତିକି ଦଳ ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି, ତାହା ଶତପ୍ରତିଶତ ପୂରଣ ହୁଏ, ସେକଥା ଦଳ ଧ୍ୟାନ ଦେବ।

ରାଜ୍ୟସ୍ତରରେ ଦଳ ସଂଗଠନ ସଂପାଦକ ବା ମୁଖ୍ୟାଳୟ ସଂପାଦକ ଭଳି ପଦବି ସୃଷ୍ଟି କରିଛି। ହେଲେ ଜିଲ୍ଲାସ୍ତରରେ ଏଭଳି ପଦବି ରହିବ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ଯେଉଁ ଅଞ୍ଚଳରେ ପ୍ରଭାବୀ ମନ୍ତ୍ରୀ ରହିବେ, ସେଠାରେ ସାଂଗଠନିକସ୍ତରରେ ଅପେକ୍ଷାକୃତ କମ୍ ଗୁରୁତ୍ବ ବହନ କରୁଥିବା ପଦବିଧାରୀ ନିଯୁକ୍ତି ହେବେ। ଏହି ମନୋନୟନ ପ୍ରକ୍ରିୟା ଶେଷ ପରେ ଆସନ୍ତା ମନ୍ତ୍ରିମଣ୍ଡଳ ଅଦଳବଦଳ ରୂପରେଖ ବି ସାମ୍ନାକୁ ଆସିଯିବ।

ଆସନ୍ତା େଫବ୍ରୁଆରି ମାସରେ ଓଡ଼ିଶାର ଖାଲି ପଡୁଥିବା ୪ଟି ରାଜ୍ୟସଭା ଆସନ ନିର୍ବାଚନ ଲାଗି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି। ବିଜେଡି-ବିଜେପି ୨:୨ ବା ୩:୧ରେ ଏହାକୁ ବାଣ୍ଟିବେ କିମ୍ବା ୪ଟି ଯାକ ଆସନରେ ବିେଜଡି ପ୍ରାର୍ଥୀ ଦେବ, ତାହା ଉପରୁ ଏବେଯାଏ ସମ୍ପୂର୍ଣ୍ଣ ରହସ୍ୟ ହଟିନାହିଁ। କିନ୍ତୁ ଏହି ମାସରେ ନିର୍ଣ୍ଣୟ ହେବ, ନବୀନ ଏହି ୬ବର୍ଷିଆ ପଦବି ପାଇଁ କାହାକୁ ମନରେ ରଖିଛନ୍ତି।

ଆସନ୍ତାବର୍ଷ ଏପ୍ରିଲ ୨ ତାରିଖରେ ୪ଟି ରାଜ୍ୟସଭା ଆସନ ଖାଲି ହେଉଛି। ଲୋକସଭାକୁ ନିର୍ବାଚିତ ହେବା ପରେ ଅନୁଭବ ମହାନ୍ତିଙ୍କ ସ୍ଥାନଟିରେ କାହାକୁ ପଠାଯାଇନାହିଁ। ତାଙ୍କ ବ୍ୟତୀତ କଂଗ୍ରେସ ସାଂସଦ ରଂଜୀବ ବିଶ୍ବାଳ, ବିଜେଡିର ସରୋଜିନୀ ହେମ୍ବ୍ରମ୍ ଓ ନରେନ୍ଦ୍ର ସ୍ବାଇଁଙ୍କ କାର୍ଯ୍ୟକାଳ ସରିବ। ଗୋଟିଏ ମହଲ କହୁଛନ୍ତି, ବିଜେଡି-ବିଜେପି ମଧ୍ୟରେ ଯେଉଁ ବନ୍ଧୁତା ସ୍ଥାପନ ହୋଇଛି, ସେ ଖାତିରରେ ବିଜେଡି ପୂର୍ବରୁ ଗୋଟିଏ ରାଜ୍ୟସଭା ଆସନ ଛାଡ଼ିଥିଲା। ଏଥର ଦୁଇଟି ଛାଡ଼ିପାରେ।

ହେଲେ ଏହି ଦୁଇଟି ଆସନରୁ ବିଜେଡି କାହାକୁ ଛାଡ଼ିବ, ତାହା େଫବ୍ରୁଆରି ମାସରେ ହିଁ ନିର୍ଣ୍ଣୟ ହେବ। ନବୀନ ପୂର୍ବରୁ ଯେଉଁମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି, ସେମାନେ ଯିବେ କି ଅନ୍ୟ କାହାକୁ ପଠାଯିବ, ତାହା ସ୍ଥିର ହେବ।

କିଛି ନେତାଙ୍କୁ ଦଳ ବିଧାନ ପରିଷଦ ମୁଆଁ ଦେଖାଇ ବି ଅଟକାଇ ଦେଇପାରେ। କାରଣ, ଆସନ୍ତା ଫେବ୍ରୁଆରି ମାସରେ ଆରମ୍ଭ ହେବାକୁ ଥିବା ସଂସଦର ବଜେଟ୍ ଅଧିବେଶନରେ କେନ୍ଦ୍ର ସରକାର ବିଧାନ ପରିଷଦ ବିଲ୍ ଆଗତ କରିବେ। ଏଣୁ ସ୍ବାଭାବିକ ଭାବେ ସବୁ ବିଜେଡି ନେତାଙ୍କ ନଜର ତା ଉପରେ ରହିବ। ଏହା ବ୍ୟତୀତ ଆସନ୍ତା େଫବ୍ରୁଆରି ମାସ ପରେ ଯେ କୌଣସି ମୁହୂର୍ତରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇପାରେ। ସାଂଗଠନିକ ନିର୍ବାଚନ ଶେଷ ପରେ କେଉଁମାନଙ୍କୁ ପରବର୍ତୀ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ, ଆଉ କିଏ ବାଦ୍ ପଡ଼ିବେ, ସେ ଅଙ୍କକଷା ବି ଆରମ୍ଭ ହେବ।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ହିସାବକିତାବ, ଆଉ ଏକ ସଙ୍କେତ ଦେଉଛି। ତାହା ହେଉଛି, ବିଜୁ ଲିଗାସିରେ ଏବେ ପୂର୍ଣ୍ଣଚ୍ଛେଦ ଟାଣିବାର ସମୟ ଆସିଗଲା। ଏବେ ନୂଆ ପିଢ଼ି ପାଇଁ ବାତାବରଣ ସୃଷ୍ଟି କରାଯିବ। ଦଳର ସାଂଗଠନିକ ପ୍ରକ୍ରିୟା ଭିତରେ ହିଁ ଏହି ହିସାବକିତାବ ସରିଯିବ।

ସମ୍ବନ୍ଧିତ ଖବର