କଂଗ୍ରେସ-ବିଜେପି କର୍ମୀଙ୍କ ସହ ବିଜେଡି କର୍ମୀ ମୁହାଁମୁହିଁ: ଲାଠିଚାର୍ଜ ସହ ଶତାଧିକ କର୍ମୀଙ୍କୁ ଉଠାଇନେଲା ପୁଲିସ

ଘେରାବନ୍ଦୀରୁ ମୁକୁଳିଲେ ମନ୍ତ୍ରୀ ଟୁକୁନି ସାହୁ

ସମ୍ବଲପୁର: କଂଗ୍ରେସ ଓ ବିଜେପି ପକ୍ଷରୁ ଆଜି କୁଚିଣ୍ଡା ୧୨ ଘଣ୍ଟା ବନ୍ଦ କରାଯାଇଛି। ବିଜେଡି କର୍ମୀଙ୍କ ଗୁଣ୍ଡାଗିରି ପ୍ରତିବାଦରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରୁଛନ୍ତି ଏହି ଦୁଇଟି ଦଳ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ପ୍ରତିବାଦ କରୁଥିବା ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଗୋଡେଇ ଗୋଡେଇ ମାଡ଼ ମାରିଥିଲେ ବିଜେଡ଼ି କର୍ମୀ । ଆଜି ଏହାକୁ ବିରୋଧ କରି କୁଚିଣ୍ଡା ୧୨ ଘଣ୍ଟା ବନ୍ଦ କରିବା ସହ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଏହି ଦୁଇଟି ଦଳ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ତାଲା ପକାଇଦେଇଥିଲେ। ଏହାକୁ ବିରୋଧ କରି ବିଜେଡି କର୍ମୀମାନେ କଂଗ୍ରେସ-ବିଜେପି କର୍ମୀମାନଙ୍କ ଧାରଣାସ୍ଥଳକୁ ଧସେଇ ପଶିଥିଲେ।

ତେବେ ଚାହୁଁ ଚାହୁଁ ତିନି ଦଳର କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ ପୁଲିସ ଲାଠିଚାର୍ଜ କରିଛି। ଏହା ସହ ତିନି ଦଳର ପ୍ରାୟ ଶତାଧିକ କର୍ମୀଙ୍କୁ କୁଚିଣ୍ଡା ପୁଲିସ ଉଠାଇନେଇଥିବା ଜଣାପଡ଼ିଛି। ଏହା ସହ ୫ଘଣ୍ଟା ଡାକବଙ୍ଗଳା ଭିତରେ ଫସି ରହିବା ପରେ ଏବେ ମୁକୁଳି ପାରିଛନ୍ତି ମନ୍ତ୍ରୀ ଟୁକୁନି ସାହୁ।

ଉଲ୍ଲେଖଯୋଗ୍ୟ, ଗତକାଲି ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ପ୍ରତିବାଦ କରୁଥିବା ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଗୋଡେଇ ଗୋଡେଇ ମାଡ଼ ମାରିଥିଲେ ବିଜେଡ଼ି କର୍ମୀ।ପୁଲିସ ଘଟଣାସ୍ଥଳରେ ଥାଇ ମଧ୍ୟ ଆକ୍ରମଣକାରୀଙ୍କୁ ରୋକିପାରିନଥିଲା । ଆଜି ଏହାର ପ୍ରତିବାଦରେ କୁଚିଣ୍ଡା ବନ୍ଦ ଡାକରା ଦେଇଛନ୍ତି ଉଭୟ କଂଗ୍ରେସ ଓ ବିଜେପି ଦଳ । ତେବେ ବନ୍ଦ ଡାକରାକୁ କୁଚିଣ୍ଡା ବ୍ୟବସାୟୀ ସଂଘ ସମର୍ଥନ ଦେବ ନାହିଁ ବୋଲି କହିଛି ।

ସମ୍ବନ୍ଧିତ ଖବର