ରାୟଗଡ଼ା: ରାୟଗଡ଼ା ପୌରାଧ୍ୟକ୍ଷ ପ୍ରାର୍ଥୀ ପାଇଁ ଲବି କରି ଶେଷ ମୁହୂର୍ତ୍ତରେ ବାଦ୍ ପଡିଥିବା ୟାଲା ଭେଙ୍କେଟେଶ୍ବର ରାଓ (କୋଣ୍ଡା ବାବୁ) ପୌର ନିର୍ବାଚନର ୭ ମାସ ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିଜର ଶତାଧିକ ସମର୍ଥକଙ୍କୁ ନେଇ ରାୟଗଡ଼ା ରିଂ ରୋଡରେ ବିଜେଡି କର୍ମୀ କାର୍ଯ୍ୟାଳୟ ଖୋଲିଛନ୍ତି। ରାୟଗଡ଼ାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ପେଦେଣ୍ଟି ରାମୁଲୁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପି. ଗୌରୀ ଶଙ୍କର ବିଜେଡି କର୍ମୀ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ ବିଜେଡିର କୌଣସି ବରିଷ୍ଠ ନେତୃମଣ୍ଡଳୀ, ମନ୍ତ୍ରୀ, ବିଧାୟକ, ପୂର୍ବତନ ସାଂସଦ କିମ୍ବା ଜିଲ୍ଲା ସଭାପତି ସାମିଲ୍ ନ ହେବାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ବିଜେଡି କର୍ମୀ କାର୍ଯ୍ୟାଳୟ ଉଦଘାଟନର ପୁରୋଧା କୋଣ୍ଡା ବାବୁ ଆଜି ପୂର୍ବାହଣରେ ନିଜ ସମର୍ଥକଙ୍କ ସହ ରାୟଗଡ଼ା ବସଷ୍ଟାଣ୍ଡସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହା ପରେ ସମର୍ଥକଙ୍କ ସହ ପଦଯାତ୍ରାରେ କପିଳାସ ଛକ, ଗଜପତି ଜଙ୍କସନ୍, ରାୟଗଡ଼ା ବ୍ଲକ୍ କାର୍ଯ୍ୟାଳୟ ଦେଇ ବିଜେଡି କର୍ମୀ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କାର୍ଯ୍ୟାଳୟରେ ଦଳୀୟ ପତାକା ଉତ୍ତୋଳନ ପରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲେ। ନିଜ ପ୍ରତିକ୍ରିୟାରେ କୋଣ୍ଡା ବାବୁ କହିଥିଲେ, ରାୟଗଡ଼ାରେ ବିଜେଡି କର୍ମୀଙ୍କ ପାଇଁ ଅଫିସଟିଏ ନଥିଲା। ଫଳରେ ବିଭିନ୍ନ ସମସ୍ୟା ନେଇ ଆସୁଥିବା କର୍ମୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଆଗାମୀ ଦିନରେ କାର୍ଯ୍ୟାଳୟରେ କର୍ମୀଙ୍କୁ ଏକାଠି କରି ରାଜ୍ୟ ସରକାରଙ୍କ ଜନହିତକର ଯୋଜନାର ସୁଫଳ କିଭଳି ତୃଣମୂଳସ୍ତରରେ ପହଞ୍ଚି ପାରିବ ସେ ଦିଗରେ କାର୍ଯ୍ୟ କରାଯିବ। ଉଦଘାଟନୀ କାର୍ଯ୍ୟକ୍ରମରେ ଦଳର କୌଣସି ନେତା, ମନ୍ତ୍ରୀ, ବିଧାୟକ କିମ୍ବା ବରିଷ୍ଠ ନେତୃବୃନ୍ଦ ସାମିଲ୍ ହୋଇନଥିବା ବେଳେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ଉଦଘାଟନୀ କାର୍ଯ୍ୟକ୍ରମକୁ କେହି ଆସିନଥିବା କହିଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପି. ଗୌରୀ ଶଙ୍କର। ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ବିନାୟକ ପଲେଇ, ମହିଳା ଜନତା ଦଳର ମଇନା ଆଚାର୍ଯ୍ୟଙ୍କୁ ଛାଡିଲେ ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟ କୌଣସି ନେତୃବୃନ୍ଦଙ୍କୁ ଦେଖିବାକୁ ମିଳିନଥିଲା।
ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ହେଲା ବିଜେଡିର ବରିଷ୍ଠ କର୍ମୀ ଭାବେ ରାୟଗଡ଼ା ପୌର ପରିଷଦରେ ସାଂଗଠନିକ କାର୍ଯ୍ୟ କରି ଆସୁଛନ୍ତି କୋଣ୍ଡା ବାବୁ। ୨୦୨୨ ମାର୍ଚ୍ଚରେ ଶେଷ ହୋଇଥିବା ପୌର ନିର୍ବାଚନରେ ପୌର ଅଧ୍ୟକ୍ଷ ପଦବି ପାଇଁ ସିଧାସଳଖ ନିର୍ବାଚନ ଘୋଷଣା ପରେ କୋଣ୍ଡା ବାବୁ ଅଧ୍ୟକ୍ଷ ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ। ନିଜର ଆବେଦନ ପତ୍ର ଦଳର ବରିଷ୍ଠ ନେତୃବୃନ୍ଦଙ୍କୁ ପ୍ରଦାନ କରିଥିଲେ। ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରୁ ଦଳର ପର୍ଯ୍ୟବେକ୍ଷକଙ୍କ ସୁପାରିଶକ୍ରମେ ସୁପ୍ରିମୋ ପି. ମହେଶ ପଟ୍ଟନାୟକଙ୍କୁ ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ। ମହେଶ ୬ ହଜାରରୁ ଉର୍ଦ୍ଧ୍ବ ଭୋଟରେ ବିଜୟୀ ହୋଇଥିବା ବେଳେ ପୌର ନିର୍ବାଚନ ପରଠୁ ଅସନ୍ତୋଷ ପ୍ରକାଶ କରି ଆସୁଥିଲେ କୋଣ୍ଡା ବାବୁ। ନିକଟରେ ବିଜେଡି ପର୍ଯ୍ୟବେକ୍ଷକ ତଥା ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ରାୟଗଡ଼ା ଗସ୍ତ ସମୟରେ କୋଣ୍ଡା ବାବୁ ନିଜ ସମର୍ଥକଙ୍କ ସହ ସର୍କିଟ୍ ହାଉସରେ ଶ୍ରୀ ନାୟକଙ୍କୁ ସାକ୍ଷାତ କରିଥିଲେ। ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ନାୟକ ଦଳୀୟ ଶୃଙ୍ଖଳା ଭିତରେ ରହି କାମ କରିବାକୁ କୋଣ୍ଡା ବାବୁଙ୍କ ପରାମର୍ଶ ଦେଇଥିଲେ।