ଗଣଶିକ୍ଷା ମନ୍ତ୍ରୀଙ୍କ ଗାଡ଼ିକୁ ପଥର ମାଡ଼ ଘଟଣାର ପ୍ରତିବାଦ : ଥାନା ଘେରାଉ, ରାସ୍ତାରୋକ
ମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ଆଙ୍ଗୁଳି ଉଠିଲା
ଆନନ୍ଦପୁର : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଗାଡ଼ି ଉପରକୁ ବେଲବାହାଳି ନିକଟରେ ଗତକାଲି ରାତିରେ ପଥରମାଡ଼ କରିଥିବା ବ୍ୟକ୍ତିଙ୍କୁ ଗିରଫ ଦାବିରେ ବିଜେଡି ସମର୍ଥକମାନେ ଘସିପୁରା ଥାନା ଘେରାଉ କରିଥିଲେ। ଯେଉଁଠି ଜଣେ ମନ୍ତ୍ରୀ ଅସୁରକ୍ଷିତ ସେଠାରେ ସାଧାରଣ ଜନତା କିଭଳି ସୁରକ୍ଷିତ ରହିବେ ବୋଲି କର୍ମୀମାନେ ପ୍ରଶ୍ନ ଉଠାଇଥିଲେ। ବିଜେଡି ଘସିପୁରା ବ୍ଲକ ସଭାପତି ବଳରାମ ସାହୁ, ଯୁବବିଜେଡି ସଭାପତି ଲିପୁନ ନାୟକ, ନଗର ବିଜେଡି ସଭାପତି ରମାକାନ୍ତ ବେହେରା ଆନ୍ଦୋଳନର ନେତୃତ୍ଵ ନେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଗତକାଲି ରାତିରେ ବେଲବାହାଳିରୁ ଯାଇ ହସନପୁର ଟୋଲଗେଟ୍ ନିକଟରେ ମନ୍ତ୍ରୀ ଶ୍ରୀପାତ୍ର ପହଞ୍ଚିବାପରେ ବିଭିନ୍ନ ଅଞ୍ଚଳରୁ କର୍ମୀମାନେ ସେଠାରେ ପହଞ୍ଚିଥିଲେ। କର୍ମୀମାନେ ଦୀର୍ଘସମୟ ଧରି ରାତିରେ ୨୦ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଆଜି ସକାଳୁ ମଧ୍ୟ ଶତାଧିକ ଦଳୀୟ ସମର୍ଥକ ଜରଦାଠାରେ ରାଜପଥ ଅବରୋଧ କରିଥିଲେ। ଏହାଛଡ଼ା ଜିଲ୍ଲାର କେନ୍ଦୁଝର, ଯୋଡ଼ା, ବଡ଼ବିଲ, ଚମ୍ପୁଆ, ଘଟଗାଁ ସମେତ ଅଧିକାଂଶ ସ୍ଥାନରେ ବିଜେଡି କର୍ମୀମାନେ ରାସ୍ତାରୋକ କରିଛନ୍ତି। ଘଟଗାଁ, ବଡ଼ବିଲ ପରି କେତେକ ସ୍ଥାନରେ ଥାନା ଘେରାଉ ମଧ୍ୟ କରାଯାଇଛି।
ଗତକାଲିର ଆକ୍ରମଣ ଘଟଣା ପରେ ମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଆଡ଼କୁ ଆଙ୍ଗୁଳି ଉଠିଛି। ମନ୍ତ୍ରୀ ଶ୍ରୀପାତ୍ର ଘଟଗାଁରୁ ସରକାରୀ ଗାଡ଼ି ପରିବର୍ତ୍ତେ ଆନନ୍ଦପୁର ନିର୍ବାଚନମଣ୍ଡଳୀର ଜଣେ ବ୍ୟବସାୟୀଙ୍କ ଫର୍ଚୁନର ଗାଡ଼ିରେ ଫେରୁଥିଲେ। କ୍ୟାବିନେଟ୍ ମନ୍ତ୍ରୀଙ୍କୁ ସରକାରଙ୍କ ପକ୍ଷରୁ ପାଇଲଟିଂର ବ୍ୟବସ୍ଥା ରହିଥିଲେ ହେଁ ଏଠାରେ ସେଭଳି କିଛି ଦେଖିବାକୁ ମିଳିନଥିଲା। ଅନ୍ୟପକ୍ଷରେ ମନ୍ତ୍ରୀଙ୍କ ଏହି ଗସ୍ତ ସମ୍ପର୍କରେ ପୁଲିସ୍କୁ ପୂର୍ବରୁ କୌଣସି ସୂଚନା ମିଳିନଥିଲା ବୋଲି ଜଣେ ପୁଲିସ୍ ଅଧିକାରୀ କହିଛନ୍ତି। ପୂର୍ବରୁ ବେଲବାହାଳି ପୋଲ ଆନ୍ଦୋଳନକୁ ନେଇ ମନ୍ତ୍ରୀଙ୍କ ଉପରେ ଏବେ ବି ଲୋକଙ୍କ ରାଗ ଥମିନଥିବା କୁହାଯାଉଛି। ଭିଡ଼ରେ ଫସିଥିବା ମନ୍ତ୍ରୀଙ୍କୁ ବିନା ସୁରକ୍ଷାରେ ଦେଖି କେହି ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ଆକ୍ରମଣକାରୀଙ୍କୁ ମନ୍ତ୍ରୀ ନିଜେ ଚିହ୍ନିଥିବା ନେଇ ଗଣମାଧ୍ୟମରେ କହିଥିଲେ ମଧ୍ୟ କାହାର ନାମ ପ୍ରକାଶ କରିନାହାନ୍ତି।