୫ରେ ବିଜେଡି ଯୁବ ଓ ଛାତ୍ରଙ୍କ ସାଇକେଲ୍ ଯାତ୍ରା

ଆନନ୍ଦଭବନରୁ ବାହାରିବ, ବିମାନବନ୍ଦର ଆସିବ
ଏପ୍ରିଲ ୧୭ଯାଏ ପ୍ରତିଦିନ ଚାଲିବ ରକ୍ତଦାନ କାର୍ଯ୍ୟକ୍ରମ

ଭୁବନେଶ୍ବର : ବିଜୁ ବାବୁଙ୍କ ପେଶାଵାରଯାଏ ସାଇକେଲ୍ ଯାତ୍ରାକୁ ଓଡ଼ିଶାବାସୀଙ୍କୁ ପୁଣି ଥରେ ମନେ ପକାଇଦେବା ପାଇଁ ବିଜୁ ଯୁବ ଓ ଛାତ୍ର ସଂଗଠନ ଆଗକୁ ଆସିଛନ୍ତି। ଆସନ୍ତା ୫ ତାରିଖ ବିଜୁ ବାବୁଙ୍କ ୧୦୫ ତମ ଜୟନ୍ତୀ ଅବସରରେ ଉଭୟ ସଂଗଠନ କଟକ ଆନନ୍ଦଭବନରୁ ଭୁବନେଶ୍ବର ବିମାନବନ୍ଦର ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଯାଏ ସାଇକେଲ୍ ଯାତ୍ରା କରିବେ। ହଜାର ହଜାର ସଂଖ୍ୟାରେ ଯୁବ ଓ ଛାତ୍ର ଏହି ସମାବେଶରେ ସାମିଲ ହେବେ ଓ ସାଇକେଲରେ ଆସିବେ। ସକାଳ ୬ଟାରୁ ୮ ମଧ୍ୟରେ ଏହି କାର୍ଯ୍ୟ ସମାହିତ ହେବ ଏବଂ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଆଜି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଯୁବ ବ୍ୟାପାର ଦାୟିତ୍ବରେ ଥିବା ବିଧାୟକ ପ୍ରଣବ ବଳବନ୍ତରାୟ, ଯୁବ ସଭାପତି ବ୍ୟୋମକେଶ ରାୟ ଓ ଛାତ୍ର ସଭାପତି ଦେବୀ ରଂଜନ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ, ଏହି ନେତାମାନେ କହିଛନ୍ତି ଯେ ବିଜୁ ବାବୁଙ୍କ ୨୪ତମ ଶ୍ରାଦ୍ଧ ଦିବସରେ ଉଭୟ ସଂଗଠନର ଯୋଗଦାନ ସ୍ବରୂପ ବ୍ୟାପକ ରକ୍ତଦାନ ଶିବିରର ଆୟୋଜନ କରାଯିବ। ମାର୍ଚ୍ଚ ୫ ତାରିଖରୁ ଏପ୍ରିଲ ୧୭ ତାରିଖ ଯାଏ ପ୍ରତିଦିନ ଯୁବ ଓ ଛାତ୍ରନେତାମାନେ ରକ୍ତଦାନ କରିବେ। ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ଯୁବ ଓ ଛାତ୍ର ସଂଗଠନ ୫୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରିବା ଲାଗି ଟାର୍ଗେଟ ନେଇଛନ୍ତି।

ସମ୍ବନ୍ଧିତ ଖବର