ପୁରୀ: ପୁରୀ ସ୍ବାମୀନାରାୟଣ ମନ୍ଦିର ପଡ଼ିଆରେ ଆୟୋଜିତ ବିଜେଡିର ଯୁବଛାତ୍ର ଜନଜାଗରଣ ଅଭିଯାନ କାର୍ଯ୍ୟକ୍ରମରେ ଆଜି ବିଜେପି ସରକାରଙ୍କ ଏକ ବର୍ଷର ବିଫଳତାକୁ ନେଇ ବର୍ଷିଛନ୍ତି ନେତା। ସରକାରଙ୍କ ଲମ୍ୱା ବିଫଳତାର ତାଲିକା ଉପସ୍ଥାପନ କରିବା ସହ ‘ବର୍ଷ ଏକ ଉପଲବ୍ଧି ଅନେକ’ ସ୍ଲୋଗାନକୁ ‘ବର୍ଷ ଏକ ବିଫଳତା ଅନେକ’ କହି କଟାକ୍ଷ କରିଛନ୍ତି। ଭିଡିଓ ବାର୍ତ୍ତା ଜରିଆରେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଥିଲେ, ରାଜ୍ୟବାସୀଙ୍କୁ ବିଭିନ୍ନ ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପି ପୂର୍ବ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବିଭିନ୍ନ ଜନକଲ୍ୟାଣ ଯୋଜନା ଓ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକର ନାମ ଓ ରଙ୍ଗ ପରିବର୍ତ୍ତନ କରୁଛନ୍ତି। ବିଏସ୍କେୱାଇ ଭଳି ଲୋକପ୍ରିୟ ଯୋଜନା ବଦଳରେ ଆୟୁଷ୍ମାନ ଯୋଜନା ଲାଗୁ କରାଯାଇଛି। ଏଥିରେ ରୋଗୀମାନେ ଚିକିତ୍ସା ପାଇବାରେ ସମସ୍ୟା ଭୋଗୁଛନ୍ତି। ରାଜ୍ୟ ସରକାରଙ୍କ ମିଛ ପ୍ରଚାରକୁ ପ୍ରତ୍ୟେକ ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଇବାକୁ ସେ ଯୁବଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ।
ବିଧାୟକ ତଥା ବରିଷ୍ଠ ସାଧାରଣ ସମ୍ପାଦକ ବ୍ୟୋମକେଶ ରାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଉଦ୍ଘାଟନୀ ଭାଷଣରେ ନବୀନ ସରକାରଙ୍କ ସମୟରେ ଯୁବଛାତ୍ରଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସୃଷ୍ଟି ହୋଇଥିବା ସମ୍ଭାବନା ବିଜେପିର ଏକ ବର୍ଷର ଶାସନରେ ମଉଳିବାକୁ ବସିଲାଣି ବୋଲି କହିଥିଲେ। ବରିଷ୍ଠ ବିଧାୟକ ତଥା ଓବିସି ସେଲ୍ ଆବାହକ ଡ. ଅରୁଣ ସାହୁ ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତିକୁ ମନେପକାଇ ରତ୍ନଭଣ୍ଡାର ଚାବି ଫେରାଇବା, ମହାପ୍ରଭୁ ବଳଭଦ୍ର ପଡ଼ିଯିବା, ମହାନଦୀ ଜଳ ବିବାଦର ସମାଧାନ ଉଦ୍ୟମ ନହେବା, ପୋଲାଭରମ ପ୍ରକଳ୍ପରେ ଓଡ଼ିଶା ସ୍ୱାର୍ଥକୁ ଅଣଦେଖା କରିବା ଘଟଣାରେ ପ୍ରଧାନମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି କହିଥିଲେ। ବରିଷ୍ଠ ଉପସଭାପତି ସଞ୍ଜୟ ଦାସବର୍ମା, ୧ ବର୍ଷରେ ଓଡ଼ିଶାକୁ କେନ୍ଦ୍ରର ଅନୁଦାନ ପ୍ରାୟ ୧୮.୧୯% କମିଥିବା କହିବା ସହ ୨୦୧୫ରେ ଘୋଷିତ ଉପକୂଳ ରାଜପଥ ପ୍ରକଳ୍ପକୁ ଚାରି ଲେନ୍ ପରିବର୍ତ୍ତେ ଦୁଇ ଲେନ୍ କରିବା ପାଇଁ ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ବରିଷ୍ଠ ଉପସଭାପତି ତଥା ବିଧାୟିକା ପ୍ରମିଳା ମଲ୍ଲିକ, ଜଣେ ସରକାରୀ କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା, ମାଣ୍ଡିପଙ୍କାରେ ଆମ୍ୱଟାକୁଆ ଖାଇ ୪ ଜଣଙ୍କ ମୃତ୍ୟୁ ହେବା, ବିଷାକ୍ତ ମଦ ପିଇ ୫ ଜଣଙ୍କ ଜୀବନ ଯିବା, ବିଷାକ୍ତ ଛତୁଆ ଖାଇ ୨ ଜଣଙ୍କ ମୃତ୍ୟୁ ହେବା ଓ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଯୋଗୁ ଅପରାଧ ରେକର୍ଡରେ ଓଡ଼ିଶା ଅଷ୍ଟମ ସ୍ଥାନ ହାସଲ କରିବା ବିଜେପି ସରକାରଙ୍କ ସଫଳତା କି ବୋଲି ପ୍ରଶ୍ନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ, ସଂତୃପ୍ତ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନିରଞ୍ଜନ ପୂଜାରୀ, କଳିକେଶ ସିଂହଦେଓ, ପ୍ରଣବ ବଳବନ୍ତରାୟ, ବିଭୂତି ବଳବନ୍ତରାୟ, ସ୍ନେହାଙ୍ଗିନୀ ଛୁରିଆ, ରାଜଶ୍ରୀ ମଲ୍ଲିକ, ଟୁକୁନି ସାହୁ, ରୋହିତ ପୂଜାରୀ ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ଡ. ଅମର ପଟ୍ଟନାୟକ, ପ୍ରଫୁଲ୍ଲ ସାମଲ, ପ୍ରୀତିରଞ୍ଜନ ଘଡ଼େଇ, ଶର୍ମିଷ୍ଠା ସେଠୀ, ଦୀପାଳି ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଯୁବନେତା ଯଥା ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ସୁନୀଲ ମହାନ୍ତି, ଦେବୀ ରଞ୍ଜନ ତ୍ରିପାଠୀ, ତୁଷାରକାନ୍ତି ବେହେରା, ବୈକୁଣ୍ଠ ନାୟକ, ଶୁଭେନ୍ଦୁ ମଙ୍ଗରାଜ, ଧୃତୀ ମାର୍ଥା, ଏଲିନା ଦାଶ ଓ ଛାତ୍ରନେତା ବିଶ୍ୱ ପ୍ରତାପ ସାହୁ, ମିକୁ ପ୍ରଧାନ, ରାଜେଶରାଜ ସ୍ୱାଇଁ, ଅବିନାଶ ଠାକୁର, ଇପ୍ସିତା ସାହୁ ବକ୍ତବ୍ୟ ଦେଇଥିଲେ। ଶେଷରେ ବିଧାୟକ ସୌଭିକ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/19/sfssfssf-2025-06-19-01-00-48.jpg)