କ୍ଷମତା କଳିରେ ବଳି ପଡ଼ିଲା ଜଗତସିଂହପୁର ଜିଲ୍ଲା : ଘୋଷଣା ହେଲାନି ବିଜେଡି ଯୁବ ସଭାପତିଙ୍କ ନାମ

ଜଗତସିଂହପୁର ଟାଉନ୍ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଏବଂ ଜିଲ୍ଲା ସଭାପତିମାନଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ ଏକ ପ୍ରେସ୍ ଇସ୍ତାହାରରେ ଏହା ଜଣାଇଛନ୍ତି । ଯାହାକୁ ନେଇ ଜଗତସିଂହପୁର ଜିଲ୍ଲାରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି । କାରଣ ଜଗତସିଂହପୁର ଜିଲ୍ଲା ସଭାପତି ପାଇଁ ସୁପ୍ରିମୋ ମନୋନୟନ କରି ନାହାନ୍ତି । ତେବେ ଯୁବ ସଭାପତି ପଦ ପାଇଁ ଅନେକ ଦାବିଦାର ଥିବା ବେଳେ କାହିଁକି ସୁପ୍ରିମୋ ମୋହର ମାରିଲେ ନାହିଁ ତାକୁ ନେଇ ଆଲୋଚନା ଜୋର ଧରିଛି । ମନ୍ତ୍ରୀ ଓ ସଭାପତିଙ୍କ କଳିରେ ଜିଲ୍ଲାର ଯୁବ ସଭାପତି ବଛା ଯାଇ ପାରି ନଥିବା କୁହାଯାଉଥିବା ବେଳେ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି ।

ଦୀର୍ଘ ବର୍ଷ ଧରି ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ଭାବରେ ସ୍ୱର୍ଗତ ବିଷ୍ଣୁ ଦାସ ରହିଥିଲେ । ଜିଲ୍ଲା ଯୁବ ସଭାପତି, ମହିଳା ସଭାନେତ୍ରୀ, ଛାତ୍ର ସଭାପତି ଭାବେ ସେ ଯାହାକୁ ଚାହୁଁଥିଲେ ତାକୁ କରୁଥିଲେ । ସଭାପତି ଭାବରେ ତାଙ୍କ କଥାକୁ ହାଇକମାଣ୍ଡ ଗ୍ରହଣ କରୁଥିଲେ । ଅନ୍ୟପଟେ ବିଷ୍ଣୁଙ୍କ କଥାକୁ ବିରୋଧ କରିବାକୁ ଅନ୍ୟ ବିଧାୟକମାନେ ସାହାସ ଜୁଟାଇ ପାରୁ ନଥିଲେ । ଫଳରେ ଏକତରଫା ଭାବେ ବିଷ୍ଣୁ ଦାସ ସବୁ କିଛି ନିଷ୍ପତ୍ତି ନେଇଥିବା ଦେଖିବାକୁ ମିଳୁଥିଲା । କିନ୍ତୁ ଗତ ସାଧାରଣ ନିର୍ବାଚନ ଠାରୁ ବିଷ୍ଣୁ ଦାସଙ୍କୁ ସଭାପତି ପଦରୁ ହଟାଇ ଯୁବ ସଭାପତି ଥିବା ଅମରେନ୍ଦ୍ର ଦାସଙ୍କୁ ଜିଲ୍ଲା ସଭାପତି କରାଗଲା । ହେଲେ ନିର୍ବାଚନ ସରିବା ପରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ବିଜେଡି ଜିଲ୍ଲା ସଭାପତି ପଦ ଦିଆଗଲା । ଅନ୍ୟ ଜିଲ୍ଲାଗୁଡ଼ିକରେ ମୁଖ୍ୟତଃ ସଭାପତିଙ୍କ ସୁପାରିଶ କ୍ରମେ ଯୁବ ସଭାପତି ଚୟନ ହୋଇଥିବା ଜଣାପଡ଼ିଛି । ହେଲେ ଜଗତସିଂହପୁର ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଆଜି ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକରେ ଜିଲ୍ଲା ଯୁବ ବିଜେଡି ସଭାପତିଙ୍କ ନାମ ଉପରେ ମୁଖ୍ୟମନ୍ତ୍ରୀ ମୋହର ମାରିଥିବା ବେଳେ ଜଗତସିଂହପୁର ଜିଲ୍ଲା ବାଦ୍ ପଡ଼ିଛି ।

ତେବେ କ୍ଷମତା ଲଢ଼େଇ ଯୋଗୁଁ ଜିଲ୍ଲାରେ ଯୁବ ସଭାପତି ଚୟନ ହୋଇ ପାରିଲା ନାହିଁ ବୋଲି ଆଲୋଚନା ହେଉଛି । ବିଶେଷ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଜିଲ୍ଳା ସଭାପତି ପ୍ରଶାନ୍ତ କୁମାର ମୁଦୁଲି ଜଗତସିଂହପୁର ପୌରାଂଚଳର ସମିତ ଲେଙ୍କାଙ୍କୁ ଜିଲ୍ଲା ଯୁବ ସଭାପତି ପାଇଁ ମନୋନୀତ କରିଥିଲେ । ସମିତଙ୍କ ନାମକୁ ସୁପାରିଶ ବି କରିଥିଲେ। ହେଲେ ବାଲିକୁଦା-ଏରସମା ବିଧାୟକ, ଜଳ ସମ୍ପଦ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ସାଂସଦ ରାଜଶ୍ରୀ ମଲ୍ଳିକ ଏବଂ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ବାଲିକୁଦାର ସମିତି ସଭ୍ୟ ଥିବା ସୌମ୍ୟଜିତ୍ ମହାପାତ୍ରଙ୍କ ନାମକୁ ସୁପାରିଶ କରିଥିଲେ । ଯାହାକୁ ନେଇ କ୍ଷମତା କେନ୍ଦ୍ରରେ ଟଣାଭିଡ଼ା ବି ହୋଇଥିଲା । ନିଜ ପସନ୍ଦର ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ମୋହର ମାରିବାକୁ ମନ୍ତ୍ରୀ ଓ ବିଧାୟକ ଉଦ୍ୟମ କରିଥିଲେ ହେଁ ସବୁ ଫସର ଫାଟି ଯାଇଛି । ଆଗକୁ ଉପ ନିର୍ବାଚନ ଆସୁଥିବାରୁ ଦଳରେ ବିଶୃଙ୍ଖଳାକୁ ଆଖି ଆଗରେ ରଖି ସୁପ୍ରିମୋ ଜଗତସିଂହପୁରରେ କାହାରି ନାମ ଉପରେ ମୋହର ମାରି ନାହାନ୍ତି । ଅନ୍ୟ ପଟେ ତିନି ତିନି ଥର ଛାତ୍ର ସଭାପତି ହୋଇଥିବା ବିରିଡ଼ିର ପ୍ରଦୀପ୍ତ ଭୂୟାଁ ମଧ୍ୟ ଦୌଡ଼ରେ ରହିଥିଲେ । ପୂର୍ବରୁ ବିଷ୍ଣୁ ଦାସ ହିଁ ତାଙ୍କୁ ଛାତ୍ର ସଭାପତି ପାଇଁ ସୁପାରିଶ କରୁଥିଲେ । ଏଥର ଯୁବ ସଭାପତି ହେବା ପାଇଁ ମଧ୍ୟ ବିଷ୍ଣୁ ବଂଚିଥିବା ସମୟରେ ଲେଖିଥିଲେ । ହେଲେ ତାଙ୍କ ଦେହାନ୍ତ ପରେ ତାଙ୍କ ନାମ କୌଣସି ବିଧାୟକ ସୁାପରିଶ କରି ନଥିବା କଥା କହି କ୍ଷୋଭ ପ୍ରକାଶ କରିଛନ୍ତି ଶ୍ରୀ ଭୂୟାଁ। ତେବେ ବିଜେପି ଦଳ ଯୁବ ଭୋଟରଙ୍କ ଉପରେ ଫୋକସ କରୁଥିବା ବେଳେ ବିଜେଡି ଦଳ ଭିତରେ ଯୁବ ଗୋଷ୍ଠୀଙ୍କ ଭିତରର ଶୀତଳ ଯୁଦ୍ଧ ଦଳକୁ କ୍ଷତି ପହଚାଂଇବ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର