ବିଜେଡି ୧୦୦ ବର୍ଷ ସେବା କରିବ: ନବୀନ

ପୁରୀରେ ବିଜେଡିର ବିଶାଳ ରୌପ୍ୟ ଜୟନ୍ତୀ ସମାବେଶ

ଭୁବନେଶ୍ବର : ଓଡ଼ିଶାବାସୀଙ୍କ ସେବାରେ ବିଜେଡି ୨୫ ବର୍ଷ ହେଲା କାମ କରୁଛି। ପଚିଶ ବର୍ଷ କ’ଣ, ପଚାଶ ବର୍ଷ କ’ଣ, ବିଜେଡି ଶହେ ବର୍ଷ ବି ରାଜ୍ୟବାସୀଙ୍କ ସେବା କରି ଚାଲିବ। ଶଙ୍ଖ ଚିହ୍ନ ସବୁବେଳେ ଓଡ଼ିଆ ସ୍ବାଭିମାନର ଜୟନାଦ କରି ଚାଲିବ। ସୋମବାର ଦିନ ବିଜେଡିର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଏମିତି କହି ବିଜେଡି କର୍ମୀଙ୍କ ମନୋବଳ ବଢ଼ାଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଶହେ ବର୍ଷର ସେବା ପାଇଁ ମହିଳାମାନଙ୍କ ବଡ଼ ଭୂମିକା ରହିବ ବୋଲି ନବୀନ ଜଣାଇ ଦେଇଛନ୍ତି। ମା’ମାନେ ଆଗେଇ ଆସି ଦାୟିତ୍ବ ନେବାକୁ ସେ ଆହ୍ବାନ ଦେବା ସହ ସେମାନଙ୍କର ଆଶୀର୍ବାଦ କାମନା କରିଛନ୍ତି।

ବିଜୁ ଜନତା ଦଳ ଆଜି ୨୫ ବର୍ଷ ପୂରଣ କରି ୨୬ ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ ପୁରୀର ତାଳବଣିଆଠାରେ ଦଳର ଏକ ବିଶାଳ ରାଜ୍ୟସ୍ତରୀୟ ସମାରୋହ ଆୟୋଜନ କରାଯାଇଥିଲା। ଏଥିରେ ସାରା ରାଜ୍ୟରୁ ଦଳର ସମସ୍ତ ପଦାଧିକାରୀ, ବହୁ ସଂଖ୍ୟାରେ କର୍ମୀ ଯୋଗ ଦେଇଥିଲେ। ଏଥିରେ ଦଳର ସଭାପତି ଶ୍ରୀ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଥିଲେ, ଆଜି ବିଜେଡି ଓଡିଶାବାସୀଙ୍କ ସେବାର ୨୫ ବର୍ଷ ପାଳନ କରୁଛି। ଓଡ଼ିଶାର ସାଢ଼େ ଚାରି କୋଟି ଜନତା ଆମକୁ ୨୫ ବର୍ଷ ତାଙ୍କର ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ମୁଁ ତାଙ୍କ ପାଖରେ ଋଣୀ। ବିଜେଡି ସବୁବେଳେ ଓଡ଼ିଶାବାସୀଙ୍କ ପାଖରେ ଋଣୀ।
ବିଜେଡି ସଫଳ ହେବାର ଚାରିଟି କାରଣ ଦର୍ଶାଇ ନବୀନ କହିଥିଲେ ଯେ ଗୋଟିଏ ଆଞ୍ଚଳିକ ଦଳର ମୁଖ୍ୟ କର୍ତ୍ତବ୍ୟ ହେଉଛି ରାଜ୍ୟବାସୀଙ୍କୁ ଆଖିରେ ରଖି ତାଙ୍କ ସେବାକୁ ଏକମାତ୍ର ଏଜେଣ୍ଡା ରଖିକି କାମ କରିବା। ବିଜେଡି କେବେ ବି ଏହି ଏଜେଣ୍ଡାରୁ ହଟିନାହିଁ। ବିଜେଡି ସବୁବେଳେ ଓଡ଼ିଶାର ସ୍ବାର୍ଥ, ଉନ୍ନତି, ଗୌରବ, ଭାଷା, ସଂସ୍କୃତି ଓ ସ୍ବାଭିମାନ ପାଇଁ କାମ କରିଆସୁଛି। ଦ୍ବିତୀୟରେ ବିଜୁ ବାବୁଙ୍କ ଆଦର୍ଶରେ ଓ ସେ ଦେଖାଇଥିବା ରାସ୍ତାରେ ହିଁ ତାଙ୍କ ନାମରେ ଗଠିତ ଦଳ କାମ କରୁଛି ଓ ଆଗକୁ ମଧ୍ୟ କରିବ। ବିଜୁ ବାବୁଙ୍କ ପ୍ରତ୍ୟେକ ରକ୍ତବିନ୍ଦୁରେ ଓଡ଼ିଶାର ଉନ୍ନତି ଓ ଓଡ଼ିଶାର ସ୍ବାଭିମାନ ଭର୍ତ୍ତି ହୋଇ ରହିଥିଲା। ତୃତୀୟରେ ସ୍ବଚ୍ଛ ଓ ନିର୍ମଳ ଶାସନ। ବିଜେଡିର ଏକମାତ୍ର ସ୍ବାର୍ଥ ହେଉଛି ଓଡ଼ିଶାର ଉନ୍ନତି। ଏହାଛଡ଼ା ଦଳର ଦ୍ବିତୀୟ ସ୍ବାର୍ଥ କିଛି ନାହିଁ। ଚତୁର୍ଥ ହେଲା ମହିଳା ସଶକ୍ତୀକରଣ। ବିଜେଡି ସବୁବେଳେ ମା’ମାନଙ୍କ ସଶକ୍ତୀକରଣକୁ ଗୁରୁତ୍ବ ଦେଇ ଆସିଛି। ଆମର ଦୃଢ଼ ବିଶ୍ବାସ, ମା’ମାନଙ୍କ ଉନ୍ନତି ହିଁ ଓଡ଼ିଶାକୁ ଆଗକୁ ନେଇଯିବ। ସେଥିପାଇଁ ମିସନ ଶକ୍ତି ଆଜି ମହିଳା ସଶକ୍ତୀକରଣ ଦିଗରେ ଗୋଟିଏ ଗଣଆନ୍ଦୋଳନରେ ପରିଣତ ହୋଇଛି। ମା’ମାନେ ସଶକ୍ତ ହେଲେ ପରିବାର, ରାଜ୍ୟ ଓ ଦେଶ ସଶକ୍ତ ହେବ।

ମା’ମାନଙ୍କ ଉନ୍ନତି ହିଁ ଓଡ଼ିଶାକୁ ଆଗକୁ ନେଇଯିବ
ଆଞ୍ଚଳିକ ଦଳ ବିଜେଡି ହିଁ ଓଡ଼ିଶାର ସ୍ବାର୍ଥ ପାଇଁ ଲଢ଼େଇ କରିପାରିବ
ଶଙ୍ଖଚିହ୍ନ ସବୁବେଳେ ଓଡ଼ିଆ ସ୍ୱାଭିମାନର ଜୟନାଦ କରିଚାଲିଥିବ

ବିଜେଡି ସଭାପତି ଆହୁରି କହିଥିଲେ ଯେ ବିଜେଡି ପାଇଁ ସବୁ ବର୍ଗର ଉନ୍ନତି ଗୁରୁତ୍ବପୂର୍ଣ୍ଣ। ସମସ୍ତଙ୍କ ଉନ୍ନତି ହେଲେ ଓଡ଼ିଶାର ଉନ୍ନତି ହେବ। ସମନ୍ବିତ ବିକାଶ ଓ ଆଞ୍ଚଳିକ ବୈଷମ୍ୟ ଦୂର କରିବା ଆମର କର୍ତ୍ତବ୍ୟ। ବିଜେଡି ପୂରା ଓଡ଼ିଶା ପାଇଁ କାମ କରୁଛି। ଓଡ଼ିଶାର ସବୁ ସମସ୍ୟାର ସମାଧାନ ପାଇଁ ଦୂରଦୃଷ୍ଟି ରଖି ବୃତ୍ତିଗତ ମନୋଭାବ ସହିତ ଆମ ଦଳ କାମ କରୁଛି। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସାରା ପୃଥିବୀରେ ସୁନାମ କରିଛି। ଖାଦ୍ୟ ନିରାପତ୍ତା ପାଇଁ ଆମେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲୁ, ଏବେ ଆମେ ଅନ୍ୟ ରାଜ୍ୟକୁ ଚାଉଳ ପଠାଉଛୁ। ଆମ ଭିତ୍ତିଭୂମି ଓ ସ୍ବଚ୍ଛ ଶାସନକୁ ଦେଖି ବିପୁଳ ପୁଞ୍ଜି ଆମ ପାଖକୁ ଆସୁଛି। ଫଳରେ ପିଲାମାନଙ୍କୁ ଚାକିରି ମିଳିବ ଓ ରାଜ୍ୟର ଉନ୍ନତି ହେବ। କୋଭିଡ ମହାମାରୀ ସମୟରେ ଟେଷ୍ଟିଂରୁ ଚିକିତ୍ସା ସବୁ ମାଗଣାରେ ଦିଆଗଲା। ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କୁ ଅକ୍ସିଜେନ୍ ଯୋଗାଇଲା। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଭଳି କ୍ରାନ୍ତିକାରୀ ଯୋଜନା ଲାଗୁ କରାଗଲା। ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ- ତାହାକୁ ଭିତ୍ତି କରି ଆମେ କାମ କରୁଛୁ। ଦେଶ ବିଦେଶରେ ଆମ ସରକାର ଓ ଆମ ଶାସନ ବ୍ୟବସ୍ଥାକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଆମ ସରକାରୀ ବୃତ୍ତିଗତ ମନୋଭାବ ନେଇ ୫-ଟି ନିୟମ ଭିତ୍ତିରେ କାମ କରୁଛି। ଲୋକଙ୍କ ଆବଶ୍ୟକତା ଓ ଆଶାକୁ ନେଇ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମୋ ସରକାର ମାଧ୍ୟମରେ ନାଗରିକଙ୍କ ମତାମତ ନିଆଯାଉଛି।

ବିଜେଡିର ସଫଳତାର ଶ୍ରେୟ ଦଳର କର୍ମୀମାନଙ୍କୁ ଦେଇ ନବୀନ କହିଲେ ଯେ ମୁଁ ଯାହା ବି କହିଲି ସେ ସବୁ ଗୋଟେ ପଟରେ। କିନ୍ତୁ ତା’କୁ ଲୋକଙ୍କ ପାଖରେ ପହଞ୍ଚାଇବା ଓ ଲୋକଙ୍କ ହୃଦୟକୁ ଛୁଇଁବାର ଦାୟିତ୍ବ ନେଇଛନ୍ତି ବିଜେଡିର କର୍ମୀମାନେ। ଆପଣମାନେ ହେଉଛନ୍ତି ବିଜେଡିର ଆତ୍ମା। ଆପଣମାନେ ଶକ୍ତି ଦେଉଛନ୍ତି ବିଜେଡିକୁ। ଆପଣମାନେ କ୍ଷେତ୍ର ସ୍ତରରେ ବିରୋଧୀଙ୍କ ମୁକାବିଲା କରୁଛନ୍ତି ଓ ଆମ ଦଳର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ସେଥିପାଇଁ ଏହି ଦଳ ଲୋକଙ୍କର ବିଶ୍ବାସର ପାତ୍ର ହୋଇଛି। ବିଜେଡି କେବେ ବି ଜଣେ ଦୁଇ ଜଣଙ୍କ ଉପରେ ନିର୍ଭର କରିନାହିଁ ଏବଂ ଭବିଷ୍ୟତରେ ବି କରିବ ନାହିଁ । ଏହା ଏକ ସାମାଜିକ ଆନ୍ଦୋଳନ । ଓଡ଼ିଶାବାସୀଙ୍କ ଆଶା, ବିଶ୍ବାସ ଓ ସ୍ବାଭିମାନକୁ ଆଗେଇ ନେବାର ଗୋଟେ ଆନ୍ଦୋଳନ। ଏହି ଆନ୍ଦୋଳନରେ ପ୍ରତ୍ୟେକ ଘରର ଭାଗିଦାରିତା ରହିବା କଥା।

ଜାତୀୟ ଦଳଙ୍କୁ ପରୋକ୍ଷ ସମାଲୋଚନା କରି ଶ୍ରୀ ପଟ୍ଟନାୟକ କହିଥିଲେ, ଆଉ ୧୨ ବର୍ଷ ପରେ ଓଡ଼ିଶା ଗଠନର ୧୦୦ ବର୍ଷ ପାଳନ କରାଯିବ। ୨୦ ବର୍ଷ ଆଗରୁ ଓଡ଼ିଶା କୋଉଠି ଥିଲା, ଆଜି କୋଉଠି ଅଛି। ମୁଁ ସେ କଥା କହିବା ଦରକାର ନାହିଁ। ସାରା ବିଶ୍ବ ତାହା ଦେଖୁଛି ଓ ଜାଣୁଛି। ଓଡ଼ିଶାର ଉନ୍ନତିରେ ଯାହାର ବିଶ୍ବାସ ଅଛି, ଓଡ଼ିଶା ମା’ର ସେବା କରିବାକୁ ଚାହୁଁଛନ୍ତି, ସେମାନେ ସମସ୍ତେ ବିଜେଡିରେ ସାମିଲ ହୁଅନ୍ତୁ। ବିଶେଷ କରିଚ ନୂଆ ଓଡ଼ିଶାର ସ୍ବପ୍ନ ଦେଖୁଥିବା ଯୁବ ପିଢ଼ି ବିଜେଡିରେ ସାମିଲ ହୁଅନ୍ତୁ। କାରଣ ଜାତୀୟ ଦଳର ଏଜେଣ୍ଡାରେ ଜାତୀୟ ରାଜନୀତି ହିଁ ରହିବ। ସେମାନଙ୍କ ଏଜେଣ୍ଡାରେ ଓଡ଼ିଶା କେବେ ବି ଫୋକସ୍‌ରେ ରହିବ ନାହିଁ। କେବଳ ଗୋଟିଏ ଆଞ୍ଚଳିକ ଦଳ ବିଜୁ ଜନତା ଦଳ ହିଁ ଓଡିଶାର ଉନ୍ନତି କରିପାରିବ।

ସମ୍ବନ୍ଧିତ ଖବର