ପଞ୍ଚାୟତ ଦଖଲ ପାଇଁ ବିଜେଡିର ନୀଳ ନକ୍ସା

ପ୍ୟାକେଜ୍ ଧରି ସବୁ ଜିଲ୍ଲା ବୁଲିବେ ନିଜେ ନବୀନ

ମହିଳା ସଂରକ୍ଷଣ, ମିସନ ଶକ୍ତି, ପଛୁଆ ବର୍ଗ ବଡ଼ କାର୍ଡ
ଶୀର୍ଷ ସଂଗଠନ ସହିତ ମହିଳା, ଯୁବ, ଛାତ୍ର ବି ସାମିଲ ହେବେ
ବିରୋଧୀଙ୍କୁ ଜବାବ ପାଇଁ ‘ଡିଜିଟାଲ ଆର୍ମି’ ଗଠନ ଆରମ୍ଭ

ଭୁବନେଶ୍ବର : ମାର୍ଚ୍ଚ ମାସ ୫ ତାରିଖରେ ବିଜୁ ବାବୁଙ୍କ ଜନ୍ମ ଦିନକୁ ପ୍ରତି ନିର୍ବାଚନମଣ୍ଡଳୀରେ ମହାସମାରୋହରେ ପାଳନ କରାଯିବ। ସେଦିନ ବିଜେଡିର ସକ୍ରିୟ ସଭ୍ୟଙ୍କ ବୈଠକ ହେବ ଓ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବିଜେଡିର ସଫଳ ଯାତ୍ରା ସଂପର୍କରେ ନେତାମାନେ ଆଲୋଚନା କରିବେ। ଏଥିରେ ଦଳର ସମସ୍ତଙ୍କୁ ଯୋଗଦେବାକୁ ହେବ।

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସାଂସଦ, ବିଧାୟକ, ବରିଷ୍ଠ କର୍ମକର୍ତ୍ତା, ଛାମୁଆ ସଂଗଠନ ସଭାପତି, ଜିଲ୍ଲା ସଭାପତି ପ୍ରମୁଖଙ୍କୁ ଚିଠି ଲେଖି ଏକଥା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଏକଥା ବି କହିଛନ୍ତି ଯେ ଆସନ୍ତା ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ପରିପ୍ରେକ୍ଷୀରେ ସେଦିନ ବିଜେଡି ମହିଳା ଶାଖା ନିର୍ବାଚନମଣ୍ଡଳୀସ୍ତରରେ ମହିଳା ସମାବେଶ ଆୟୋଜନ କରିବେ। ମହିଳା ସଶକ୍ତୀକରଣ ଦିଗରେ ବିଜୁ ବାବୁଙ୍କ ଅବଦାନ ଏବଂ ମହିଳା ସଶକ୍ତୀକରଣ ଦିଗରେ ବିଜେଡି ନେତୃତ୍ବାଧୀନ ସରକାର ନେଇଥିବା ପଦକ୍ଷେପ ସଂପର୍କରେ ଆଲୋଚନା ହେବ। କୋଭିଡ୍ ନିୟମ ପାଳନ ସହିତ ଉଭୟ କାର୍ଯ୍ୟକ୍ରମ ପାଳନ କରିବା ଲାଗି ଶ୍ରୀ ପଟ୍ଟନାୟକ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି।

ଗୋଟିଏ ପଟେ ବିଜେଡିର ଯୁବ ଏବଂ ଛାତ୍ର ସଂଗଠନ ଓଡ଼ିଶାର ଗୋଟିଏ ପରେ ଗୋଟିଏ ଜିଲ୍ଲା ବୁଲି ସମାବେଶ କରୁଥିବା ବେଳେ ଅନ୍ୟପଟରେ ମୟୂରଭଂଜରୁ ଆରମ୍ଭ ହୋଇଥିବା ଖେଳ ରାଜନୀତି ଜିଲ୍ଲା ପରେ ଜିଲ୍ଲା ଡେଇଁବା ଆରମ୍ଭ କରିଛି। ବିଜେପିକୁ ସାମାଜିକ ଗଣମାଧ୍ୟମରେ ମୁହଁତୋଡ଼ ଜବାବ ଦେବା ଲାଗି ଇତିମଧ୍ୟରେ ବିଜେଡି ସୋସିଆଲ୍ ମିଡିଆର ନବକଳେବର ପ୍ରକ୍ରିୟା ଆରମ୍ଭ କରିସାରିଲାଣି। ଠିକ୍ ଏମିତି ସମୟରେ ମାତ୍ର ତିନି ଦିନ ବ୍ୟବଧାନରେ ନିର୍ବାଚନ ମଣ୍ଡଳୀସ୍ତରରେ ବିଜେଡିର ଦୁଇ ଦୁଇଟି ରାଜନୈତିକ କାର୍ଯ୍ୟକ୍ରମକୁ ମହାସମାରୋହରେ ପାଳନ କରିବା ପାଇଁ ନବୀନଙ୍କ ନିର୍ଦେଶ ରାଜନୈତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି।

ବିଜେଡି ସଂଗଠନର ଶୀର୍ଷସ୍ତରରୁ ମିଳୁଥିବା ଖବର ଅନୁସାରେ, ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିର ପ୍ରଦର୍ଶନ ଆଶାନୁରୂପ ନ ଥିଲା। ଅନ୍ୟପଟେ ବିଜେପିର ଉତ୍ତରଣ କାରଣରୁ ଦଳ ବିଧାନସଭା ନିର୍ବାଚନରେ ବେଶ୍ କଠୋର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଲା। ଏଣୁ ଏଥର ପଞ୍ଚାୟତସ୍ତରରୁ ବିଜେପିକୁ ବେଦଖଲ କରିବା ଲାଗି ମୁଖିଆ ସଙ୍କେତ ଦେଇଛନ୍ତି।

ବିଜେଡିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଆସନ୍ତାବର୍ଷ ପଞ୍ଚାୟତ ନିର୍ବାଚନ ପାଇଁ ଦଳ ଅଭିଯାନ ଆରମ୍ଭ କରିସାରିଛି। ସମସ୍ତ ୩୧୪ ବ୍ଲକ ଓ ୩୦ ଜିଲ୍ଲା ପରିଷଦ ଆସନ ଦଖଲର ସଂକଳ୍ପ ନେଇ ବିଜେଡି ବର୍ଷତମାମ ଏହି କାର୍ଯ୍ୟକ୍ରମ ଚଳାଇବ। ସରକାରୀସ୍ତରରେ ଯାହା ବଡ଼ ନିଷ୍ପତ୍ତି ହେବ, ତାକୁ ଦଳ ତୃଣମୂଳ ପର୍ଯ୍ୟନ୍ତ ନେବ।

ମିଳିଥିବା ଖବର ଅନୁସାରେ, ବିଜେଡି ଏକାସାଙ୍ଗରେ ଦୁଇଟି ରାଜନୈତିକ କାର୍ଡ ଖେଳିବା ଆରମ୍ଭ କରିଛି। କେନ୍ଦ୍ର ସରକାର ଓଡ଼ିଶାକୁ ଦେଖାଦେଖି ମିସନ ଶକ୍ତି ଉପରେ ଆଖି ପକାଇଛନ୍ତି। ଏଣୁ ଦଳ ମିସନ ଶକ୍ତିକୁ ଆହୁରି ସଶକ୍ତ କରିବା ଲାଗି ପାଗ ଭିଡ଼ିଛି। ପୂର୍ବରୁ ନିଷ୍ପତ୍ତି ହୋଇଥିଲା ଯେ ମିସନ ଶକ୍ତିକୁ ଗୋଟିଏ ସ୍ବତନ୍ତ୍ର ବିଭାଗ କରାଯିବ। ଆସନ୍ତାକାଲି ଏ ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ବୈଠକ ହେବ। ଆସନ୍ତା ୮ ତାରିଖ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଲୋକସେବା ଭବନରେ ଏହି ନୂଆ ବିଭାଗ ବିଧିବଦ୍ଧ ଭାବେ ଜନ୍ମନେବା ସମ୍ଭାବନା ଅଧିକ। କେବଳ ସେତିକି ନୁହେଁ, ଆସନ୍ତା ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ ମିସନ ଶକ୍ତି ପାଇଁ ଜଣେ ସ୍ବତନ୍ତ୍ର ମନ୍ତ୍ରୀ ନିଯୁକ୍ତି ପାଇବେ।

ଦ୍ବିତୀୟତଃ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ମହିଳାଙ୍କ ପାଇଁ ସଂରକ୍ଷଣ କାର୍ଡରୁ ବିଜେଡି ପଛକୁ ଫେରିବ ନାହିଁ। ଏବେ ପଛୁଆ ବର୍ଗ ଗଣନା ପ୍ରକ୍ରିୟା ଆରମ୍ଭ ହେବ ଓ ଏହି ରିପୋର୍ଟ ଆସିବା ମାତ୍ରେ ବର୍ଷ ମଝିରେ ସରକାର ବଡ଼ କାର୍ଯ୍ୟକ୍ରମ ହାତକୁ ନେବେ। ଏହାବ୍ୟତୀତ କଳାହାଣ୍ଡି ଓ ସୁନ୍ଦରଗଡ଼ରେ ନବୀନ ଯେଭଳି ବିକାଶମୂଳକ କାର୍ଯ୍ୟ ଧରି ଓହ୍ଲାଇଲେ, ସେଭଳି ସବୁ ଜିଲ୍ଲାକୁ ସ୍ବତନ୍ତ୍ର ପ୍ୟାକେଜ୍ ଧରି ଯିବେ।

ବିଜେଡି ସାଂଗଠନିକ ଦାୟିତ୍ବରେ ଥିବା ଶୀର୍ଷ ନେତୃତ୍ବ କହିଛନ୍ତି ଯେ ବିଜେଡିର ମୁଖ୍ୟ ସଂଗଠନକୁ ଅଧିକ କ୍ରିୟାଶୀଳ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ବିଜେଡି ଯୁବ ଓ ଛାତ୍ର ସଂଗଠନ ଏବେ ପ୍ରମୁଖ ଅସ୍ତ୍ର ପାଲଟିବେ। ଇତିମଧ୍ୟରେ ସେମାନେ ୧୩ ଜିଲ୍ଲାରେ ବୈଠକ କରିଛନ୍ତି। ବିଧାନସଭା ସରିବା ପରେ ବାକି ଜିଲ୍ଲାରେ କରାଯିବ। ଏହାପରେ ଯୁବ ଓ ଛାତ୍ରର ଛାମୁଆ ନେତାମାନଙ୍କୁ ବାଦ୍ ଦେଇ ସଂଗଠନର ଅବଶିଷ୍ଟ ନେତୃତ୍ବ ବ୍ଲକସ୍ତରରେ ଅନୁରୂପ ବୈଠକ କରିବେ ଓ ପଞ୍ଚାୟତ ଯାଏ ଯିବେ।

ଆସନ୍ତା ୫ ତାରିଖ ଦିନ ଏହି ସଂଗଠନ କଟକ ଆନନ୍ଦ ଭବନରୁ ଭୁବନେଶ୍ବର ବିମାନବନ୍ଦର ସାଇକେଲ୍ ରାଲି କରିବେ ଓ ମାର୍ଚ୍ଚ ୫ ବିଜୁ ଜୟନ୍ତୀରୁ ଏପ୍ରିଲ ୧୭ ତାରିଖ ବିଜୁ ତିରୋଧାନ ଦିବସ ଯାଏ ପ୍ରତିଦିନ ୧୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯିବ।

ସବୁଠାରୁ ବଡ଼ କଥା ହେଲା, ବିରୋଧୀ ଦଳ ବିଶେଷକରି ବିଜେପି ନିର୍ଦିଷ୍ଟ କିଛି ପ୍ରସଙ୍ଗ ସହିତ ଅଳ୍ପ କିଛି ନିର୍ବାଚନମଣ୍ଡଳୀରେ ନିଜକୁ ଆବଦ୍ଧ କରି ରଖିଛି। ହେଲେ ସୋସିଆଲ ମିଡ଼ିଆ ଜରିଆରେ ବିଜେଡିକୁ ଆକ୍ରମଣ କରୁଛନ୍ତି। ଯେହେତୁ ସୋସିଆଲ୍ ମିଡ଼ିଆ ଏବେ ମତ ସୃଷ୍ଟି କ୍ଷେତ୍ରରେ ଏକ ବଡ଼ ପ୍ଲାଟ୍‌ଫର୍ମ ପାଲଟିଛି, ଏଣୁ ବିଜେଡି ଏହି ଵିଙ୍ଗ୍‌ର ନବକଳେବର ଆରମ୍ଭ କରିଦେଇଛି। ରାଜ୍ୟରୁ ପଞ୍ଚାୟତ ପର୍ଯ୍ୟନ୍ତ ବିଜେଡି ଡିଜିଟାଲ୍ ଆର୍ମି କାର୍ଯ୍ୟ କରିବ। ଡିଜିଟାଲ୍ ସେକ୍ରେଟାରି ରହିବେ। ବିଶେଷକରି ଯୁବ ଓ ଛାତ୍ରଙ୍କୁ ଏ କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବ। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲି ବିଜେପିର ସବୁ ଅଭିଯୋଗର ଶକ୍ତି ଜବାବ ଦିଆଯିବ। କେନ୍ଦ୍ର ସରକାରକୁ ଓଡ଼ିଶା ବିରୋଧୀର ମୁହଁତୋଡ଼ ଜବାବ ଦେବା ଲାଗି ଏହି ଆର୍ମିକୁ ପ୍ରଶିକ୍ଷଣ ପ୍ରଦାନ କରାଯିବ।

ଗତବର୍ଷ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁ ବ୍ଲକରେ ବିଜେପି ସୂଚନାଧିକାର ଵିଙ୍ଗ୍ କାର୍ଯ୍ୟ କରିବା ସଂପର୍କରେ ନିର୍ଦେଶ ଦେଇଥିଲେ। ରାଜ୍ୟ ସରକାରର ସବୁ ଯୋଜନା ପଛର ଦୁର୍ନୀତି ସାମ୍ନାକୁ ଆଣିବା ଲାଗି ଏହା କାର୍ଯ୍ୟକାରୀ ହେବା କଥା। ମାତ୍ର ଏହା ଏବେ ବି ଶୂନ୍ୟରେ ଝୁଲୁଛି।

ନିକଟରେ ରାଜ୍ୟ କଂଗ୍ରେସ ଡିଜିଟାଲ ମିଡ଼ିଆରେ ନିଜର ସକ୍ରିୟତା ପାଇଁ ଅଭିଯାନ ଆରମ୍ଭ କରିଛି। ଠିକ୍ ଏମିତି ସମୟରେ ବିଜେଡିର ଏତେ ସବୁ କାର୍ଯ୍ୟକ୍ରମ ସଙ୍କେତ ଦେଉଛି ଯେ ଆଗକୁ ରାଜ୍ୟରେ ରାଜନୈତିକ ବାତାବରଣ ଗ୍ରୀଷ୍ମର ତାତିଠୁ ଅଧିକ ଉତ୍ତପ୍ତ ହେବା ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ।

ସମ୍ବନ୍ଧିତ ଖବର