ବକେୟା ଏମ୍‌ଏସ୍‌ପି, ଧାନ ଉଠାଇବା ଦାବିରେ ବିଜେଡିର ଧାରଣା

ପଳାୟନପନ୍ଥୀ ଭୂମିକାରେ ବିଜେଡି: ପ୍ରଦୀପ ପୁରୋହିତ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଉପରେ ବାକି ଥିବା ୬୫୭୦କୋଟି ଟଙ୍କାର ଏମ୍‌ଏସ୍‌ପି ଅର୍ଥ ପ୍ରଦାନ, ବଳକା ଥିବା ୭ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠାଇବା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ଟଙ୍କାକୁ ବୃଦ୍ଧି କରିବା ଦାବିରେ ଆଜି ବିଜେଡି ପକ୍ଷରୁ ଏଫ୍‌ସିଆଇର ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି।

ବିଜେଡିର ଭୁବନେଶ୍ବର ଜିଲ୍ଲା ସଭାପତି ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ବରେ ହୋଇଥିବା ଏହି ଗଣଧାରଣାରେ ବିଜେଡିର ବହୁ ନେତା ଏବଂ ରାଜଧାନୀ ନିକଟବର୍ତ୍ତୀ ଅଞ୍ଚଳର ଚାଷୀ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଥିଲେ। ଯଦି କେନ୍ଦ୍ର ସରକାର ଓଡ଼ିଶାର ନ୍ୟାଯ୍ୟ ଦାବିକୁ କର୍ଣ୍ଣପାତ ନ କରିବେ, ତେବେ ଆଗାମୀ ଦିନରେ ଏହିପରି ଚାଷୀ ଆନ୍ଦୋଳନ ଜାରି ରହିବ ବୋଲି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦ୍ଦେବ କହିଥିଲେ। ଏହି ଧାରଣାରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ପ୍ରଣବ ବଳବନ୍ତରାୟ, ଅରବିନ୍ଦ ଢାଲି, ବ୍ୟୋମକେଶ ରାୟ, ଦେବୀ ରଂଜନ ତ୍ରିପାଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ, ମିହିର କୁମାର ମହାନ୍ତି, ପ୍ରକାଶ ବସ୍ତିଆ, ରବି ସାମଲ, ବିଜୟ ନାୟକ, ସୁବାସ ପାତ୍ର, ଅମରେଶ ଜେନା, ରଣଜିତ୍ ମହାପାତ୍ର, ବିରଞ୍ଚି ନାରାୟଣ ମହାସୁପକାର, ସମରେନ୍ଦ୍ର ସାହୁ, ଦୁର୍ଗା ସାମନ୍ତରାୟ, ପ୍ରଶାନ୍ତ ଦାସ, କୁନାଲ ରାଉତ, ସଂଧ୍ୟା ବିଶ୍ବାଳ, ଶ୍ରୀମୟୀ ମିଶ୍ର, ସୁଲତା ଦେଓ, ଲୋପାମୁଦ୍ରା ବକ୍ସିପାତ୍ର, ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ସମେତ ଯୁବସଭାପତି ସମରେଶ ବେଉରା, ଛାତ୍ର ସଭାପତି ସୁବାସ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବିଜେଡି ନେତୃମଣ୍ଡଳୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦେଇଥିଲେ।

ଭୁବନେଶ୍ବର: ବକେୟା ଏମ୍‌ଏସ୍‌ପି ପ୍ରଦାନ ଓ ଧାନ ଉଠାଇବା ଦାବିରେ ବିଜେଡି ଆଜି ଏଫ୍‌ସିଆଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବାବେଳେ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି ଯେ ବିଜେଡି ଚାଷୀ ଅସନ୍ତୋଷରୁ ମୁକ୍ତି ପାଇବା ପାଇଁ ପଳାୟନପନ୍ଥୀ ଭୂମିକା ଗ୍ରହଣ କରିଛି। ରାଜ୍ୟ ସରକାରଙ୍କ ଟୋକନ୍ ଓ ଟାର୍ଗେଟ୍ ବ୍ୟବସ୍ଥା କାରଣରୁ ଚାଷୀଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ଦେଖାଦେଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡିରେ ହଜାର ହଜାର କ୍ବିଣ୍ଟାଲ ଧାନ ପଡ଼ି ରହି ନଷ୍ଟ ହେଉଛି। କିନ୍ତୁ ରାଜ୍ୟ ସରକାର ଧାନ କିଣି ପାରୁନାହାନ୍ତି। ଧାନର ସଂରକ୍ଷଣ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ନ କରି ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଉପରେ ବାରମ୍ବାର ଦୋଷ ଲଦିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଶ୍ରୀ ପୁରୋହିତ କହିଛନ୍ତି, ରାଜ୍ୟ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀକୁ ଦେଉନାହାନ୍ତି। ମଣ୍ଡିରେ କଟ୍‌ନି ଛଟ୍‌ନି ନାଁରେ ମିଲର୍ସମାନେ ଚାଷୀଙ୍କୁ ଲୁଟୁଛନ୍ତି। ବିଜେଡିର ଚାଷୀବିରୋଧୀ ନୀତି, ଖାଦ୍ୟ ସବ୍‌ସିଡିର ପ୍ରତିପୂରଣ ନଦେବା ଏବଂ ଅଣବାସୁମତି ଚାଉଳ ନ ଉଠାଇବା ଆଦି ମିଥ୍ୟା ତଥ୍ୟ ରଖି ଶାସକ ଦଳ ଯେଉଁ ଅଭିଯୋଗ କରିଥିଲା; ଏଫ୍‌ସିଆଇ ତା’ର ଖୁଲାସା କରିଛି। ଏଫ୍‌ସିଆଇ ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶା ଏକ ଡିସିପି (ଡି ସେଣ୍ଟ୍ରାଲାଇଜ୍ ପ୍ରୋକ୍ୟୁରମେଣ୍ଟ) ରାଜ୍ୟ। ଡିସିପି ପାଇଁ ଭାରତ ସରକାର, ଓଡ଼ିଶା ସରକାର ଏବଂ ଏଫ୍‌ସିଆଇ ମଧ୍ୟରେ ହୋଇଥିବା ଏମ୍‌ଓୟୁ ଅନୁସାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାର ଖରିଫ୍ ଋତୁ ପାଇଁ ପ୍ରତ୍ୟକ୍ଷ କିମ୍ବା ଏଜେନ୍ସି ମାଧ୍ୟମରେ ଧାନ କିମ୍ବା ବାସୁମତି ଚାଉଳ କେନ୍ଦ୍ର ପାଇଁ ସଂଗ୍ରହ କରିବେ। କିନ୍ତୁ ରାଜ୍ୟ ସରକାର ଧାନ ନ କିଣି କେନ୍ଦ୍ର ଉପରେ ଦୋଷ ଲଦିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଏପରିକି ଚଳିତ ଖରିଫ ଋତୁରେ ରାଜ୍ୟ ସରକାରଙ୍କ ଦ୍ବାରା ଦିଆଯାଇଥିବା ବଳକା ଚାଉଳ ଏଫ୍‌ସିଆଇ କିଣିଛି। ବଳକା ଥିବା ଚାଉଳ (ପ୍ରାୟ ୭ଲକ୍ଷ ମେଟ୍ରିକ ଟନ୍)କୁ ମଧ୍ୟ ଏଫ୍‌ସିଆଇ ନିର୍ଦ୍ଧାରିତ ସମୟରେ କିଣିବ।

ଏହାବାଦ୍ ଧାନ ରଖିବା ପାଇଁ ଗୋଦାମ ଘର ବ୍ୟବସ୍ଥା ରାଜ୍ୟ ସରକାର କରନ୍ତୁ। ଇ-ପ୍ରକ୍ରିୟା ମାଧ୍ୟମରେ ସ୍ବତନ୍ତ୍ର ମଣ୍ଡି ଲେବର କଣ୍ଟ୍ରାକ୍ଟର ଏବଂ ମଣ୍ଡି ଟ୍ରାନ୍ସପୋର୍ଟ କଣ୍ଟ୍ରାକ୍ଟର ନିୟୋଜିତ କରନ୍ତୁ। ଧାନର ସ୍ଥିତି ମିଲ୍‌ୱାରି ଏବଂ ଷ୍ଟୋରେଜ ପଏଣ୍ଟ ୱାରି ଲୋକଲୋଚନକୁ ଆଣନ୍ତୁ ବୋଲି ଶ୍ରୀ ପୁରୋହିତ ଦାବି କରିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ, କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ କାମାକ୍ଷା ପ୍ରସାଦ ପ୍ରଧାନ, ବିଶ୍ବକେତନ ସ୍ବାଇଁ, ହିତେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର