ଭୁବନେଶ୍ବର : ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଥିବା ଏକ ଭିଡିଓକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି। ଦଳ ପକ୍ଷରୁ ଅଭିଯୋଗ ହୋଇଛି ଯେ ପଦ୍ମପୁର ଉପନିର୍ବାଚନ ପ୍ରଚାର ବେଳେ ‘ରାଜା ସ୍ବାଇଁ’କୁ ବାଡ଼େଇବା ପାଇଁ ଶ୍ରୀ ପ୍ରଧାନ ଜଣଙ୍କୁ ଉତ୍ସାହିତ କରୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି।
କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା ସ୍ବାଇଁ ନାମରେ ପରିଚିତ)ଙ୍କୁ ଇଙ୍ଗିତ କରି କେନ୍ଦ୍ର ମନ୍ତ୍ରୀ ଏପରି କହୁଥିବା ଜଣାପଡ଼ୁଛି। କେନ୍ଦ୍ର ମନ୍ତ୍ରୀ ଏପରି କହୁଥିଲା ବେଳେ ତାଙ୍କ ପାଖରେ କିଛି ଲୋକ ଥିଲେ। ସେମାନଙ୍କ କହିବା ଅନୁଯାୟୀ ଏକ ଟିଭି ଚ୍ୟାନେଲ୍ର ସାମ୍ବାଦିକାଙ୍କୁ କେନ୍ଦ୍ର ମନ୍ତ୍ରୀ ଏପରି କହୁଛନ୍ତି। ରାଜା ସ୍ବାଇଁଙ୍କୁ ବାଡ଼େଇବା ପାଇଁ ଜଣେ ସାମ୍ବାଦିକାଙ୍କୁ କେନ୍ଦ୍ର ମନ୍ତ୍ରୀ ଉତ୍ସାହିତ କରୁଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେଡି ଦାବି କରିଛି।