ପଦା‌ରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ: ମଧ୍ୟ ନିର୍ବାଚନମଣ୍ଡଳୀ ବିଜେଡି ସଂଗଠନରେ ଫାଟ

ବିଧାୟକଙ୍କ ବିରୋଧରେ ପୂର୍ବତନ କର୍ପୋରେଟରଙ୍କ ମେଳି, ବିରୋଧୀଙ୍କ ରକ୍ତଦାନ ଶିବିରକୁ ବନ୍ଦ କଲେ ବିଧାୟକଙ୍କ ସମର୍ଥକ

ଭୁବନେଶ୍ବର: ପୌର ନିର୍ବାଚନ ସମୟରେ ବିଭିନ୍ନ ୱାର୍ଡରେ ଟିକେଟ୍‌ ବଣ୍ଟନକୁ ନେଇ ବିଜେଡିର ଭୁବନେଶ୍ବର ସଂଗଠନରେ ଅସନ୍ତୋଷ ଦେଖାଦେଇଥିଲା। ବିଧାୟକ ଓ ଟିକେଟ୍‌ରୁ ବଞ୍ଚିତ ପୂର୍ବତନ କର୍ପୋରେଟର୍‌ଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ସେବେଠାରୁ କୁହୁଳୁଥିବା ଅସନ୍ତୋଷ ଆଜି ଖୋଲାଖୋଲି ପଦାକୁ ଆସିଛି। ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ ଏକ ରକ୍ତଦାନ ଶିବିରକୁ ନେଇ ବିଧାୟକଙ୍କ ସମର୍ଥକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ରକ୍ତଦାନ ଶିବିର ତ ହୋଇପାରିଲା ନାହିଁ। ବିଜେଡିର ଗୋଷ୍ଠୀକନ୍ଦଳ ଯେ ଉଗ୍ର ରୂପ ନେବାକୁ ଯାଉଛି, ତାହାର ସ୍ପଷ୍ଟ ଆଭାସ ମିଳିଛି।

ଗତ ପୌର ନିର୍ବାଚନ ସମୟରେ ସବୁ ୱାର୍ଡରେ ବିଜେଡିର ବହୁ ଆଶାୟୀ ଥିଲେ। ମଧ୍ୟ ନିର୍ବାଚନମଣ୍ଡଳୀରେ କିଛି ପୂର୍ବତନ କର୍ପୋରେଟର୍‌ ଏଥର ମଧ୍ୟ ନିଜେ କିମ୍ବା ନିଜ ସମ୍ପର୍କୀୟଙ୍କୁ ଟିକେଟ୍‌ ଦେବାକୁ ଲବି ଚଳାଇଥିଲେ। ଏହି ପୂର୍ବତନ କର୍ପୋରେଟର୍‌ଙ୍କ ମଧ୍ୟରୁ ଅଧିକାଂଶ ଥିଲେ ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ସମର୍ଥକ। ସେତେବେଳେ ଭୁବନେଶ୍ବର‌ ମଧ୍ୟ ଅଞ୍ଚଳରେ ତତ୍‌କାଳୀନ ବିଧାୟକ ଶ୍ରୀ ମହାନ୍ତି ଏହି କର୍ପୋରେଟର୍‌ମାନଙ୍କୁ ନେଇ ସାଂଗଠନିକ କାର୍ଯ୍ୟ କରୁଥିଲେ। କିନ୍ତୁ ୨୦୧୯ରେ ରାଜନୈତିକ ଚିତ୍ର ବଦଳିଯାଇଥିଲା। ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଭୁବନେଶ୍ବର ମଧ୍ୟରୁ ଟିକେଟ୍‌ ପାଇ ବିଜୟୀ ହୋଇଥିଲେ। ପୂର୍ବତନ ବିଧାୟକ ଶ୍ରୀ ମହାନ୍ତି ରାଜନୀତିରୁ ଅଘୋଷିତ ଭାବେ ଦୂରେଇ ରହିଲେ। ଗତ ପୌର ନିର୍ବାଚନ ବେଳେ ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ ଟିକେଟ୍‌ ବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ବିଧାୟକ ଶ୍ରୀ ଜେନାଙ୍କ ନିୟନ୍ତ୍ରଣରେ ରହିଲା। ତାଙ୍କର ବିନା ସମ୍ମତିରେ ଗୋଟିଏ ବି ୱାର୍ଡର ଟିକେଟ୍‌ କାହାରିକୁ ଦିଆଗଲା ନାହିଁ। ଆଶାୟୀ ଥିବା କିଛି ପୂର୍ବତନ କର୍ପୋରେଟର୍‌ ବିଜେଡିର ବରି‌ଷ୍ଠ ନେତାମାନଙ୍କ ମାଧ୍ୟମରେ ଚାପ ସୃଷ୍ଟି କଲେ ବି ତାହା ଫଳପ୍ରଦ ହୋଇ ନ ଥିଲା। ଶ୍ରୀ ଜେନାଙ୍କ ପସନ୍ଦରେ ହିଁ ଟିକେଟ୍‌ ଦିଆଗଲା। ଫଳରେ ଅନେକ ପୂର୍ବତନ କର୍ପୋରେଟର୍‌ ଓ ଆଉ କିଛି ଆଶାୟୀ ସିଧାସଳଖ ବିଧାୟକଙ୍କ ବିରୋଧୀ ହୋଇଗଲେ। ନିର୍ବାଚନରେ ମଧ୍ୟ ସେମାନେ ଦଳୀୟ ପ୍ରାର୍ଥୀଙ୍କୁ ସହଯୋଗ କରି ନ ଥିଲେ।

ନିର୍ବାଚନ ପରେ ଏହି ପୂର୍ବତନ କର୍ପୋରେଟର୍‌ଙ୍କ ସହ ବିଜେଡିର ଅନ୍ୟ କିଛି ନେତା ମେଳି ବାନ୍ଧିବା ଆରମ୍ଭ କଲେ। କିଛି ଦିନ ହେଲା ‘ୱି ଫର୍‌ ଭୁବନେଶ୍ବର’ ବ୍ୟାନର୍‌ରେ ସେମାନେ ଏକାଠି ହେଉଥିବା ଦେଖିବାକୁ ମିଳିଛି। ଏହି ଅନୁଷ୍ଠାନକୁ ସେମାନେ ଏକ ସାମାଜିକ ସଂଗଠନ ଭାବେ ଘୋଷଣା କରିଛନ୍ତି। ଏହା ମଧ୍ୟରେ ସେମାନଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। ଯଦିଓ ଏହି ସଂଗଠନର କର୍ମକର୍ତ୍ତାମାନେ କୌଣସି ସ୍ଥାନରେ ବିଧାୟକ ଶ୍ରୀ ଜେନାଙ୍କ ବିରୋଧରେ ଖୋଲା ଯୁଦ୍ଧ ଡାକରା ଦେଇ ନ ଥିଲେ, କିନ୍ତୁ ସେମାନେ ସମସ୍ତେ ଯେ ବିଧାୟକଙ୍କ ବିରୋଧୀ ତାହା କାହାରିକୁ ଅଛପା ନ ଥିଲା। ଖୁବ୍ ଶୀଘ୍ର ବିଧାୟକଙ୍କ ସହ ସେମାନଙ୍କ ମୁହାଁମୁହିଁ ସ୍ଥିତି ହେବ ବୋଲି ଅନୁମାନ କରାଯାଉଥିଲା।

ଆଜି ସେହି ଅନୁମାନ ସତ ହୋଇଛି। ‘ୱି ଫର୍‌ ଭୁବନେଶ୍ବର’ ପକ୍ଷରୁ ଆଚାର୍ଯ୍ୟବିହାର କ୍ଲବରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ଏଥିପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଇଥିଲା। ପୂର୍ବତନ କର୍ପୋରେଟର୍‌ ଦେବାଶିଷ୍‌ ସିଟ୍‌, ନରେନ୍ ସାହୁ, ଉମା ମିଶ୍ର, ପ୍ରତାପ ସାହୁ, ରାଜକିଶୋର ସାହୁ, ରମାନାଥ ସାମନ୍ତରାୟ, ଗୁରୁଚରଣ ସାହୁ, ରାମ ପ୍ରଧାନ ଓ ବଦ୍ରିନାରାୟଣ ମିଶ୍ର ମୁଖ୍ୟ ଆୟୋଜକ ଥିଲେ। ବର୍ତ୍ତମାନର କର୍ପୋରେଟର୍‌ ଅମରେଶ ଜେନା ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଶିବିର ପାଇଁ ସକାଳୁ ସମସ୍ତ ପ୍ରସ୍ତୁତି ‌‌ଶେଷ ହୋଇଥିଲା। ରକ୍ତ ସଂଗ୍ରହ କରିବାକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରୁ ଏକ ଟିମ୍‌ ପହଞ୍ଚିସାରିଥିଲେ। ଶିବିର ଆରମ୍ଭ ହେବା ପୂର୍ବରୁ ଶତାଧିକ ମହିଳା କ୍ଲବ୍‌ ଭିତରକୁ ପଶି ଶିବିର ବନ୍ଦ କରିବାକୁ କହିଥିଲେ। ସ୍ଥାନୀୟ ବିଧାୟକ ଅନନ୍ତ ନାରୟଣ ଜେନାଙ୍କୁ କାହିଁକି ଡକାଯାଇନି ବୋଲି ପ୍ରଶ୍ନ କରିଥିଲେ। ବିଧାୟକ ନ ଆସିଲେ ଶିବିର ହୋଇପାରିବନି ବୋଲି ସେମାନେ ଅଡ଼ି ବସିଥିଲେ। ଆୟୋଜକମାନେ ଏହାର ପ୍ରତିବାଦ କରିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ମହିଳାମାନେ ସେଠାରେ ତାଲା ପକାଇଦେଇଥିଲେ। ଫଳରେ ବାଧ୍ୟ ହୋଇ ଶିବିରକୁ ବନ୍ଦ କରି ଆୟୋଜକମାନେ ଫେରିଯାଇଥିଲେ।

‘ୱି ଫର ଭୁବନେଶ୍ବର’ର କର୍ମକର୍ତ୍ତା ବଦ୍ରିନାରାୟଣ ମିଶ୍ର କହିଥିଲେ, ‘ଆମେ ରକ୍ତଦାନ ଶିବିର ପାଇଁ ‘ଓଡ଼ିଶା ମୋ ପରିବାର’କୁ ଜଣାଇଥିଲୁ। ଦୁଇ ଶହ ୟୁନିଟ୍‌ ରକ୍ତ ସଂଗ୍ରହ ପାଇଁ ଯୋଜନା କରାଯାଇଥିଲା। ଆମେ କାହାକୁ ଡ଼ାକିବୁ ନ ଡ଼ାକିବୁ ଏହା ଆମ ବ୍ୟକ୍ତିଗତ ବ୍ୟାପାର। ହେଲେ ଏଭଳି ଏକ ମହତ କାର୍ଯ୍ୟରେ ବାଧା ଦେବା ଆଦୌ ଗ୍ରହଣୀୟ ନୁହେଁ।’ କର୍ପୋରେଟର ଅମରେଶ ‌ଜେନା ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ, ‘ରାଜଧାନୀରେ ରକ୍ତ ଅଭାବ ଥିବା ବେଳେ ୱାର୍ଡରେ ରକ୍ତଦାନ ଶିବିର କରିବାକୁ ଆମେ ‘ଓଡ଼ିଶା ମୋ ପରିବାର’ ସହ ଆଲୋଚନା କରି ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛୁ। ମୁଁ ଜାଣିନି ଏହାକୁ କିଏ ବନ୍ଦ କରିଛି। ବନ୍ଦ ପଛରେ ଯାହାର ହାତ ଅଛି ସେ ନିଶ୍ଚିତ ଅମଣିଷ। ଏଭଳି ମହତ କାର୍ଯ୍ୟକୁ ବନ୍ଦ କରିବା ହୀନ ରାଜନୀତିର ସଂକେତ।’ ଅମରେଶଙ୍କ ଏପରି ବୟାନ ହିଁ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳକୁ ସୂଚାଇ ଦେଉଛି।

ସମ୍ବନ୍ଧିତ ଖବର