ଭୁବନେଶ୍ବର: ଚଳିତ ନିର୍ବାଚନରେ ପରିବାର ରାଜନୀତି ଦେଖିବାକୁ ମିଳିଥିଲା। ଯେଉଁଠି ବାପାଙ୍କୁ ଟିକେଟ୍ ମିଳିନଥିଲା ବା ନେଇନଥିଲେ ସେଠାରେ ପୁଅ/ଝିଅ ଲଢ଼ିଥିଲେ। ସ୍ବାମୀଙ୍କ ବଦଳରେ ସ୍ତ୍ରୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। କିନ୍ତୁ ତିନି ପ୍ରମୁଖ ଦଳର ଏହି ରଣନୀତି ବିଶେଷ ସଫଳ ହୋଇନି। ମାହାଙ୍ଗାରେ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ପ୍ରତାପ ଜେନା, ମୋରଡ଼ାରେ ରାଜକିଶୋର ଦାସଙ୍କ ପତ୍ନୀ ପ୍ରୀତିନନ୍ଦା କାନୁନ୍‌ଗୋ, ଚିକିଟି‌େର ଉଷା ଦେବୀଙ୍କ ପୁଅ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ, ଅନୁଗୁଳରେ ରଜନୀକାନ୍ତ ସିଂହଙ୍କ ପତ୍ନୀ ସଂଯୁକ୍ତା ସିଂହ, ପାରାଦୀପରେ ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟ, ଝରିଗାଁରେ ପ୍ରକାଶ ଚନ୍ଦ୍ର ମାଝୀଙ୍କ ଭାଇ ରମେଶ ଚନ୍ଦ୍ର ମାଝୀ, ସୋରଡ଼ାରେ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ପତ୍ନୀ ସଂଘମିତ୍ରା ସ୍ବାଇଁ, ନବରଙ୍ଗପୁରରେ ସଦାଶିବୀ ପ୍ରଧାନଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀ, ରଘୁନାଥପଲ୍ଲୀରେ ସୁବ୍ରତ ତରାଇଙ୍କ ପତ୍ନୀ ଅର୍ଚ୍ଚନା ରେଖା ବେହେରା ବିଜେଡିରୁ ପ୍ରାର୍ଥୀ ହୋଇଥିବାବେଳେ ନିର୍ବାଚନ ହାରି ଯାଇଛନ୍ତି।

Advertisment

ସେହିପରି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ନୂଆପଡ଼ାରୁ ବିଜେପିର ପ୍ରାର୍ଥୀ ହୋଇ ହାରିଛନ୍ତି। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧ‌ାର୍ଥ ରାଉତରାୟ ନିମାପଡ଼ାରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ଏବଂ ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରୁ ଭୁବନେଶ୍ବରରୁ ସାଂସଦ ପ୍ରାର୍ଥୀ ହୋଇଥିବାବେଳେ ଦୁଇ ପୁଅ ନିର୍ବାଚନ ହାରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ବଲାଙ୍ଗୀରରୁ ବିଧାୟକ ପ୍ରାର୍ଥୀ ହୋଇଥିବାବେଳେ ସେ ନିର୍ବାଚନ ହାରିଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଦାସଙ୍କ ପୁଅ ସାଗର ଦାସ ଭବାନୀପାଟଣାରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇଥିଲେ। ସେ ବିଜୟୀ ହୋଇଛନ୍ତି। ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିରସୋଦ୍ କଂଗ୍ରେସରୁ କଟକ-ବାରବାଟୀରେ ବିଧାୟକ ପ୍ରାର୍ଥୀ ହୋଇ ବିଜୟଲାଭ କରିଛନ୍ତି।