ସମ୍ବଲପୁର: ବିଜେଡି ସରକାର ରାଜ୍ୟବାସୀଙ୍କୁ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବାର ପ୍ରହସନ କରୁଛନ୍ତି । ୨୪ ବର୍ଷ ଧରି କାହିଁକି ମାଗଣା ବିଜୁଳି ଦେଲେନାହିଁ ? ତାଙ୍କର ଏହି ଘୋଷଣା ‘ବୁଢ଼ାବାଘର କଙ୍କଣ ଦାନ ଉପାଖ୍ୟାନ’ ପରି ଲାଗୁଛି ବୋଲି ବୁଧବାର ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀର ମାରାଥନ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁର ଲୋକସଭା କ୍ଷେତ୍ରର ବିଜେପି ପ୍ରାର୍ଥୀ ଶ୍ରୀ ପ୍ରଧାନ କୁଚିଣ୍ଡାର ଗୁଲୁଜିପାଲି ଓ ରେଢ଼ାଖୋଲ ବିଧାନସଭା ଅଂଚଳରେ ନିର୍ବାଚନ ପ୍ରଚାର କରିବା ସହିତ ଜନସାଧାରଣଙ୍କୁ ବିଜେପିକୁ ଭୋଟ ଦେବାପାଇଁ ନିବେଦନ କରିଥିଲେ। ଏହି ଅବସରରେ ସେ କହିଥିଲେ, ଦୀର୍ଘ ୨୪ ବର୍ଷର ବିଜେଡି ସରକାରରେ ରାଜ୍ୟରେ ପାନୀୟ ଜଳ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟସେବା, ଦାଦନ ସମସ୍ୟା ଚିନ୍ତାଜନକ। ମୋଦୀ ସରକାର ପିଇବା ପାଣି ପାଇଁ ୧୦ ହଜାର କୋଟି ଟଙ୍କା ଦେଲେ। ଏଠାକାର ସରକାର ତାମିଲ ଠିକାଦାରଙ୍କୁ କାମ ଦେଇ ହରିଲୁଟ୍ କଲେ। ଲୋକଙ୍କୁ ପାଣି ମିଳିଲା ନାହିଁ ।
ଜଳସେଚନ ସୁବିଧା ନଥିବାରୁ ଜମି ମରୁଡ଼ି ପଡ଼ୁଛି । ଡାକ୍ତର ନଥିବାରୁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ । କାମ ନପାଇ ଲୋକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ରାଜ୍ୟରେ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବାର ପ୍ରହସନ ସେମାନେ ରଚୁଛନ୍ତି । ଏତେ ବର୍ଷ ଧରି ଶାସନ ବ୍ୟବସ୍ଥା ରହିବା ପରେ ମଧ୍ୟ କାହିଁକି ଏ କଥା ଚିନ୍ତା କଲେ ନାହିଁ ? ବିଜେପି କ୍ଷମତାକୁ ଆସିଲେ ‘ମୁକ୍ତ ବିଜୁଳି ଯୋଜନା’ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ମାଧ୍ୟମରେ ମାଗଣାରେ ୩୦୦ ୟୁନିଟ୍ ବିଜୁଳି ଯୋଗାଇ ଦିଆଯିବ। ଏଥିପାଇଁ ଘରେ ଘରେ ସୋଲାର ପ୍ୟାନେଲ ଲାଗିବ।
ବିଜେପିର ସଂକଳ୍ପ ପତ୍ର ଉପରେ ଆଲୋକପାତ କରିବା ସହ କେନ୍ଦ୍ରମନ୍ତ୍ରୀ କହିଥିଲେ, ବିଜେପି ସରକାର ହେଲେ ମତ୍ସ୍ୟଜୀବୀ ଓ କୈବର୍ତ୍ତମାନଙ୍କୁ ୧୦ ହଜାର ଟଙ୍କା ଦିଆଯିବ । ଦେଶୀ ମଦ ଉପରେ କଟକଣା କରାଯିବ। ଧାନର ଏମ୍ଏସ୍ପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ। କୃଷିଭିତ୍ତିକ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ସହ ଚାଷର ବିକାଶ କରାଯିବ। ଲିଚୁଚାଷକୁ ପ୍ରତ୍ସୋହନ ଦିଆଯିବ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ଅଧିକ ୧୫ ଲକ୍ଷ ଘର ପ୍ରଦାନ କରାଯିବ। ସବୁ ଘରେ ପିଇବା ପାଣି, ଶୌଚାଳୟ, ଗ୍ୟାସର ବ୍ୟବସ୍ଥା ହେବ। ଏଥିସହିତ, ବିଜେପି ସରକାର ଗଢ଼ିଲେ ରତ୍ନଭଣ୍ଡାର ଖୋଲାଯିବା ସହିତ ଲୁଟେରାଙ୍କୁ ଦଣ୍ଡ ଦିଆଯିବ। ଏଥିସହିତ, ଚିଟଫଣ୍ଡ ଟଙ୍କା ଫେରସ୍ତ କରାଯିବ ଏବଂ ଠକଙ୍କୁ ଜେଲ୍ ପଠାଯିବ ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ମୁଖ୍ୟମନ୍ତ୍ରୀ ଭିଡିଓରେ ଆସୁଛନ୍ତି ଏବଂ ଗୁମାସ୍ତା ହାତରେ ରିମୋଟ୍ ଅଛି। ସମ୍ବଲପୁରକୁ ଅଗ୍ରଣୀ ଅଞ୍ଚଳ ଭାବରେ ଗଢ଼ିବା ଦାୟିତ୍ୱ ମୋର । ସମ୍ବଲପୁରରେ ୨୫ ତାରିଖରେ ଜନତାଙ୍କ ଆଶୀର୍ବାଦରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ସେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/adagagagdagd.jpg)