ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନର ଲଜ୍ଜାଜନକ ପରାଜୟ ଗ୍ଲାନିରୁ ବିଜେଡି ମୁକୁଳି ପାରିନି। ମାସଟିଏ ବି ଯାଇନି। ପୁଣି ଭଦ୍ରକ ଝଟ୍କା ଦଳରେ କମ୍ପନ ସୃଷ୍ଟି କରିଦେଇଛି। ନବୀନଙ୍କ ମ୍ୟାଜିକ୍ ଆଉ କେଉଁଠି କାମ ଦେଉନି। ନବୀନ ହାତ ହଲେଇଲେ ଭୋଟର୍ମାନେ ପ୍ରଭାବିତ ହୋଇ ବିଜେଡିକୁ ଆଖିବୁଜି ଭୋଟ୍ ଦେଉ ନାହାନ୍ତି। ଅନ୍ୟ ପଟେ ତୃଣମୂଳ ସ୍ତରରେ ନେତାମାନେ ଭରସା କରି ଦଳରେ ରହିପାରୁ ନାହାନ୍ତି। ଏମିତି ସ୍ଥିତିରେ ବିଜେଡିର ଗତି କୁଆଡ଼େ, ତାହା ଏବେ ଶୀର୍ଷ ନେତାମାନେ ବି ଜାଣିପାରୁ ନାହାନ୍ତି। ଦଳ ଭିତରେ ଏକପ୍ରକାର ଅଜଣା ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।
କ୍ଷମତାରେ ଥିଲା ବେଳେ ହାତମୋଡ଼ି ଓ ନାଲି ଆଖି ଦେଖାଇ ନିଜ ପଟକୁ ନେବାରେ ମାହିର୍ ଥିଲା ବିଜେଡି। କେତେବେଳେ ମାମ୍ଲତିକାର ସାଜିଥିବା ନେତା ଧମକାଉଥିଲେ ତ କେତେବେଳେ ବରିଷ୍ଠ ପୁଲିସ ଅଧିକାରୀ ବି ରାଜନୈତିକ କାମରେ ବ୍ୟବହାର ହେଉଥିଲେ। କିନ୍ତୁ କ୍ଷମତାଚ୍ୟୁତ ହେଲା ପରେ ଆଉ ସେ ଫଁ ନାହିଁ। ନବୀନ ଡାକି ପଦେ କଥା ହୋଇଗଲେ କେହି ତରଳିଯିବା ପରି ସ୍ଥିତି ବି ନାହିଁ। ନୂଆପଡ଼ା ହେଉ କି ଭଦ୍ରକ, କୌଣସି ଘଟଣାରେ ଦଳର ରଣନୀତି ପ୍ରଭାବୀ ସାବ୍ୟସ୍ତ ହୋଇପାରୁନି। ଦଳ ଏବେ ଏମିତି ଦିଶାହୀନ ହୋଇ ଚାଲିଛି ଯେ କାହାରି ଭରସା ପାଉନି। ଭଦ୍ରକ ଜିଲ୍ଲାରେ ଏକାଥରେ ଚାରିଟି ବ୍ଲକ୍ ଅଧ୍ୟକ୍ଷ ଦଳ ଛାଡ଼ିଦେଲେ। ସେମାନଙ୍କୁ ମନାଇ କିପରି ରଖାଯିବ, ସେଥି ପାଇଁ ଠୋସ୍ ଉଦ୍ୟମ ହେଲା ନାହିଁ। ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ ଓ ଜିଲ୍ଲାର କିଛି ବରିଷ୍ଠ ନେତାଙ୍କୁ ଡାକି ନବୀନ ଆଲୋଚନା କଲେ। ସମସ୍ତଙ୍କ ସହ ବସି ଫଟୋ ଉଠାଇଲେ। କିନ୍ତୁ ଭଦ୍ରକ ପାଇଁ କିଛି ରଣନୀତି ସେଠି ହେଲା ନାହିଁ। ନବୀନ ବି ସେମିତି ତଥାକଥିତ ଗୁରୁମନ୍ତ୍ର ଦେଲେ ନାହିଁ।
Bhadrak Politics: ଭାଙ୍ଗିଯାଉଛି ‘ବିଜେଡି’ର ଗଡ଼, ହଜିଗଲଲାଣି ସଂଜୀବଙ୍କ ଆଖିରୁ ନିଦ!
ସବୁଠାରୁ ଆଶ୍ଚର୍ଯ୍ୟର ଘଟଣା ହେଲା ଯେ ଜିଲ୍ଲାର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କୁ ସଂଗଠନ ସଜାଡ଼ିବାକୁ ଦାୟିତ୍ବ ଦିଆଗଲା। ଯେତେବେଳେ ପ୍ରଫୁଲ୍ଲଙ୍କ ଦୁଇ ପୁଅ ଜିଲ୍ଲାରେ ବିଜେଡି ସଂଗଠନକୁ ଭାଙ୍ଗିବାକୁ ଜୋର୍ ଲଗାଇ କାମ କରୁଛନ୍ତି, ସେତେବେଳେ ବାପା କିଛି କରି ନପାରିବା ସ୍ପଷ୍ଟ ଥିଲା। କିନ୍ତୁ ଗଣମାଧ୍ୟମରେ ଦଳ ପକ୍ଷରୁ କୁହାଗଲା ଯେ ପ୍ରଫୁଲ୍ଲ ସାମଲଙ୍କୁ ଜିଲ୍ଲା ଦାୟିତ୍ବ ଦିଆଯାଇଛି। ପ୍ରଫୁଲ୍ଲ ଭଦ୍ରକର କିଛି ବିଜେଡି ନେତାଙ୍କୁ ନେଇ ବୈଠକ କଲେ ସତ। କିନ୍ତୁ ସେସବୁ କେବଳ ଧର୍ମକୁ ଆଖିଠାର ଥିଲା ବୋଲି ଅନୁଭବ ହେଉଥିଲା। ଯେହେତୁ ପ୍ରଫୁଲ୍ଲଙ୍କ ଘରୁ ହିଁ ବିଜେଡି ଭାଙ୍ଗିବାର ସ୍ବର ଉଠୁଥିଲା, ତେଣୁ ତାଙ୍କୁ କିପରି ଦାୟିତ୍ବ ଦିଆଗଲା ତାହା ବୁଝାପଡ଼ୁ ନାହିଁ। ଫଳରେ ଯିଏ ଦଳ ଛାଡ଼ିବା କଥା ଛାଡ଼ିଲେ। ଏହି ଘଟଣା ପରେ ବିଜେଡି ନେତାମାନଙ୍କ ଭିତରେ ନୈତିକ ମନୋବଳ ହ୍ରାସ ପାଉଛି। ନୂଆପଡ଼ା ଉପନିର୍ବାଚନରେ ପ୍ରାର୍ଥୀ ଚୟନ ଯେମିତି ଏକ ଅପରିଣାମଦର୍ଶୀ ନିଷ୍ପତ୍ତି ଥିଲା, ସେମିତି ଭଦ୍ରକରେ ପ୍ରଫୁଲ୍ଲଙ୍କୁ ସଂଗଠନକୁ ଏକାଠି କରିବାର ଦାୟିତ୍ବ ଦେବା ଦଳର ଆଉ ଏକ ଗୁରୁଚଣ୍ଡାଳ ତ୍ରୁଟି ଥିଲା ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।
ନୂଆପଡ଼ା ପରେ ଭଦ୍ରକ ଝଟକା
କ୍ଷମତାରୁ ଗଲା ପରେ ନବୀନଙ୍କ ପ୍ରଭାବ କମୁଛି
ନବୀନଙ୍କ ସହ ବସି କେବଳ ଦୁଇ ପଦ କଥା ହୋଇ ଫଟୋ ଉଠାଇଦେଲେ ଯେ ସବୁ ଠିକ୍ଠାକ୍ ଚାଲିବ, ତାହା ବାରମ୍ବାର ଭୁଲ୍ ପ୍ରମାଣିତ ହେଉଛି। ତାହା ସତ୍ତ୍ବେ ଦଳର ମାମ୍ଲତିକାର ସାଜିଥିବା ନେତାମାନେ ଭ୍ରମରେ ରହି ‘ଫଟୋ ଉଠା’କୁ ହିଁ ରଣନୀତି ଓ ସବୁ ସମସ୍ୟାର ସମାଧାନ ବୋଲି ଭାବିଚାଲିଛନ୍ତି। ମହାକାଳପଡ଼ା ପଞ୍ଚାୟତ ସମିତିରେ ଅଧିକାଂଶ ସଭ୍ୟ ନବୀନ ନିବାସ ଆସି ନବୀନଙ୍କ ସହ ଫଟୋ ଉଠାଇ ଯାଇଥିଲେ। କିନ୍ତୁ କିଛି ଦିନ ପରେ ସମସ୍ତେ ବିଜେଡି ଅଧ୍ୟକ୍ଷଙ୍କ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଲେ। ସେମିତି ଭଦ୍ରକରେ ବିଧାୟକ, ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ ସମସ୍ତେ ଆସି ନବୀନ ନିବାସରେ ଫଟୋ ଉଠାଇ ଗଲେ। କିନ୍ତୁ ସଂଗଠନ ସଜାଡ଼ିବାକୁ କେହି ଉଦ୍ୟମ କଲେ ନାହିଁ। ମୁଖ୍ୟ କଥା ହେଲା ଭଦ୍ରକରେ ଦଳର ସଂଗଠନକୁ ମଜଭୁତ କରିବାକୁ ନବୀନଙ୍କ ଠୋସ୍ ଯୋଜନା କିଛି ନଥିବା ସେମାନେ ଅନୁଭବ କଲେ। ତେଣୁ ସେଠାରୁ ବାହାରିଲା ପରେ ସମସ୍ତେ ନିଜ ନିଜ ବାଟରେ ଚାଲିଗଲେ।
Bhadrak Politics: ଭାଙ୍ଗିଯାଉଛି ‘ବିଜେଡି’ର ଗଡ଼, ହଜିଗଲଲାଣି ସଂଜୀବଙ୍କ ଆଖିରୁ ନିଦ!
ନୂଆପଡ଼ା ନିର୍ବାଚନ ପରେ ଦଳର ପିଏସି ବୈଠକ ବସିଥିଲା। କିନ୍ତୁ ସେହି ବୈଠକର କ’ଣ ନିର୍ଯାସ ବାହାରିଲା, ତାହାକୁ ନେଇ ଏ ପର୍ଯ୍ୟନ୍ତ ସମସ୍ତେ ଅନ୍ଧାରରେ। ଭଦ୍ରକରେ ସଂଗଠନକୁ ଏତେ ବଡ଼ ସଙ୍କଟ ହେଲା, କିନ୍ତୁ ପିଏସି ଡକାଯାଇ ତାହାର ପ୍ରତିକାର କରିବାକୁ ବ୍ୟବସ୍ଥା କରାଗଲା। ଅପେକ୍ଷାକୃତ ଅନଭିଜ୍ଞ ନେତାଙ୍କୁ ନେଇ ଗଠିତ ପିଏସି ଯେ କେବଳ ଏକ ସାଇନ୍ବୋର୍ଡ କମିଟି, ତାହା ବୁଝିବାକୁ ଆଉ ବାକି ନାହିଁ। ବିଧାନସଭାରେ ବିଜେଡିର ପ୍ରଦର୍ଶନ ମଧ୍ୟ ସେତିକି ପ୍ରଭାବୀ ହୋଇପାରୁନି। ହାତଗଣତି କିଛି ବିଧାୟକ ଭିନ୍ନ ଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରୁଛନ୍ତି ସତ, କିନ୍ତୁ ରାଜ୍ୟର କୌଣସି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ବିଜେଡି ସେଭଳି ଢଙ୍ଗରେ ଆକ୍ରମଣ କରିପାରୁନି। ବିରୋଧୀ ଦଳ ନେତା ତାଙ୍କ ଚିରାଚରିତ ଢଙ୍ଗରେ ଗୃହକୁ ଆସୁନାହାନ୍ତି। କୌଣସି ଏକ ପ୍ରସଙ୍ଗରେ ଦଳର ମିଳିତ ରଣନୀତି ଅଭାବ ଥିବା ଅନୁଭବ କରିହେଉଛି। ଶଙ୍ଖଭବନରେ ବି ଆଉ ଗହଳିଚହଳି ନାହିଁ। ଦଳରେ କିଏ ନିଷ୍ପତ୍ତି ନେଉଛନ୍ତି, ନବୀନ ନେତାଙ୍କ ଉପରେ ଭରସା କରୁଛନ୍ତି ନା ପୂର୍ବ ପରି ଭି କେ ପାଣ୍ଡିଆନ ପରଦା ପଛରେ ରହି ସବୁ କରୁଛନ୍ତି, ସେନେଇ ସମସ୍ତେ ଦ୍ବନ୍ଦ୍ବରେ। ଯେହେତୁ ଉପର ସ୍ତରରେ ଥିବା ନେତାମାନେ ନିଜର ଭବିଷ୍ୟତ ନେଇ ସନ୍ଦିହାନ, ତେଣୁ ସେମାନେ ତୃଣମୂଳ ସ୍ତରର ଛାମୁଆ ନେତା ଓ କର୍ମୀଙ୍କୁ କିଛି ଭରସା ଦେଇ ପାରୁନାହାନ୍ତି। ଆଗକୁ ଭଦ୍ରକ ନୁହେଁ, ଏମିତି ଅନେକ ପଞ୍ଚାୟତ ସମିତି ହାତରୁ ଖସିଯିବା ଜଳଜଳ ହୋଇ ଦେଖାଗଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/26/bjd-bjp-2025-09-26-01-31-09.jpg)