କଟକ: ବିଜେଡିର ‘ମିସନ୍‌ କେନ୍ଦ୍ରାପଡ଼ା’ ଆଗକୁ ଉପକୂଳ ରାଜନୀତିରେ ବଡ଼ ଧରଣର ହଲଚଲ୍ ସୃଷ୍ଟି କରିପାରେ। କେନ୍ଦ୍ରାପଡ଼ା ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୭ଟି ବିଧାନସଭା ଆସନ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରି ଦଳ ଗୋଟି ଚାଳନା ଆରମ୍ଭ କରିଛି। ଏହାର ପରିଣାମ ସ୍ବରୂପ ଆଗକୁ ରାଜ୍ୟ ରାଜନୀତିକୁ ଚକିତ କରିବା ଭଳି କିଛି ଖବର ସାମ୍ନାକୁ ଆସିବା ବିଚିତ୍ର ନୁହେଁ।

Advertisment

କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଥିବା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି କଂଗ୍ରେସରୁ ନିଜର ସମର୍ଥକଙ୍କ ସହ ଇସ୍ତଫା ଦେଇଛନ୍ତି। ଆସନ୍ତାକାଲି ବିଜେଡିରେ ସେ ତାଙ୍କ ସମର୍ଥକଙ୍କ ସହିତ ବିଧିବଦ୍ଧ ଯୋଗଦେବେ। ହେଲେ ଏତିକିରେ ବିଜେଡିର ‘ମିସନ୍ କେନ୍ଦ୍ରାପଡ଼ା’ ସୀମିତ ନାହିଁ। ବରଂ କେନ୍ଦ୍ରାପଡ଼ା ଲୋକସଭା ଅନ୍ତର୍ଗତ ବିଭିନ୍ନ ବିଧାନସଭା କ୍ଷେତ୍ରରେ ରହିଥିବା ବିରୋଧୀ ଦଳର ଆଉ କିଛି ବରିଷ୍ଠ ତଥା ପ୍ରଭାବଶାଳୀ ନେତାଙ୍କ ଉପରେ ଦଳ ନଜର ପକାଇଥିବା ଚର୍ଚ୍ଚା ହେଲାଣି। ଏପରି ପରିସ୍ଥିତିରେ କେନ୍ଦ୍ରାପଡ଼ା ବିଧାନସଭା ଆସନରେ ନିଜର ପ୍ରଭାବ ରଖିଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା ଓ କଟକ ଜିଲ୍ଲା ବିଜେପି ସଭାପତି ତଥା ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରାଙ୍କ ଗତି ଆଗକୁ କେଉଁ ଦିଗକୁ ଯିବ, ତାହାକୁ ନେଇ ଆକଳନ ଆରମ୍ଭ ହୋଇଯାଇଛି। ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ଆସନ ଓ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ଆସନ ହାତେଇବାରେ ବିଜେଡି ସଫଳ ହୋଇଥିଲା। କିନ୍ତୁ ଅନ୍ୟ ଅଞ୍ଚଳରେ ‌ବିଜେଡି ଯେଭଳି ଅତ୍ୟନ୍ତ ସହଜ ସ୍ଥିତିରେ ରହିଛି, ସେଭଳି ସ୍ଥିତି ଯେ ଆଉ କେନ୍ଦ୍ରାପଡ଼ାରେ ନାହିଁ, ତାହା ଦଳର ନେତୃବୃନ୍ଦ ଅନୁଭବ କଲେଣି। ଆଉ ପାଦେ ଆଗକୁ ଯାଇ କହିଲେ, କେନ୍ଦ୍ରାପଡ଼ାକୁ ଏକ ସମ୍ମାନର ପ୍ରଶ୍ନ ଭାବେ ବିଜେଡି ଗ୍ରହଣ କରିଛି। କେନ୍ଦ୍ରାପଡ଼ା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଗଣେଶ୍ବର ବେହେରା ୩ଟି ନିର୍ବାଚନରେ ପରାସ୍ତ ହେଲେଣି ସତ, କିନ୍ତୁ ତାଙ୍କର ପରାଜୟ ବ୍ୟବଧାନ ୭ରୁ ୧୦ ହଜାର ଭିତରେ ସୀମିତ ରହିଛି। ସେପଟେ ରାଜନଗରରେ ବିଜେଡି ପାଇଁ ଅଂଶୁମାନ ବଡ଼ କଣ୍ଟା ଭାବେ ଉଭା ହୋଇଥିଲେ। ଏଣେ ପାଟକୁରା ଓ ମହାକାଳପଡ଼ାରେ ବିଜେଡି ପାଇଁ ଚାଲେଞ୍ଜ ବଢୁଛି। ସେଠି ବିଜୟ ମହାପାତ୍ରଙ୍କ ପ୍ରଭାବ ଏବେ ମଧ୍ୟ ବଜ‌ାୟ ରହିଛି। ଆଳିରେ କଂଗ୍ରେସ ବିଜେଡିର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହୋଇଛି। ସାଲେପୁର ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ବିଜେପି ନେତା ପ୍ରକାଶ ବେହେରା ବିଜେଡି ପାଇଁ ଚାଲେଞ୍ଜ ହୋଇ ରହିଛନ୍ତି।

ଏସବୁକୁ ମିଶାଇ ଦେଖିଲେ, ଏବେ ବିଜେଡି ପାଇଁ କେନ୍ଦ୍ରାପଡ଼ା ଲୋକସଭା ଅଞ୍ଚଳରେ ଅଂଶୁମାନଙ୍କ ପରେ ଗଣେଶ୍ବର ଓ ପ୍ରକାଶଙ୍କର ସ୍ବତନ୍ତ୍ର ଗୁରୁତ୍ବ ରହିଛି। ଅଂଶୁମାନଙ୍କ ଜରିଆରେ ରାଜନଗର, ମହାକାଳପଡ଼ା ଅଞ୍ଚଳର କଂଗ୍ରେସ ଭୋଟ ନିଜ ପଟକୁ ଆଣିବାରେ ବିଜେଡି ସଫଳ ହେବ ବୋଲି ଆଶା ରଖିଛି। ସେହିଭଳି ଗଣେଶ୍ବରଙ୍କୁ ଯଦି ଦଳ ସାମିଲ କରିବାରେ ସଫଳ ହୁଏ, ତେବେ କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ଅଞ୍ଚଳର କଂଗ୍ରେସ ଭୋଟ ହୁଏତ ବିଜେଡି ପଟକୁ ଚାଲି ଆସିବା ବିଚିତ୍ର ନୁହେଁ। ସାଲେପୁର ଅଞ୍ଚଳର ଉଭୟ କଂଗ୍ରେସ ଓ ବିଜେପି ଭୋଟ ଉପରେ ପ୍ରକାଶ ବେହେରାଙ୍କ ପ୍ରଭାବ ରହିଛି। ସାଲେପୁର ଅଞ୍ଚଳର ସଂଖ୍ୟାଲଘୁ ଭୋଟରଙ୍କ ଉପରେ ବି। କିନ୍ତୁ ସେ ୨୦୧୯ ନିର୍ବାଚନ ବିଜେପି ଟିକେଟରେ ଲଢିବା ପରେ ସେହି ସଂଖ୍ୟାଲଘୁ ଭୋଟ ବିଜେପିକୁ ସଂପୂର୍ଣ୍ଣ ଆସି ପାରି ନଥିଲା। ପରିବର୍ତ୍ତିତ ପରିସ୍ଥିତିରେ ପ୍ରକାଶ ଯଦି ବିଜେଡିକୁ ଆସନ୍ତି, ତେବେ ବଳକା ଭୋଟ ପୁଣି ଫେରିଆସିପାରେ। ଏହି ଚର୍ଚ୍ଚା ଜୋର ଧରିବାର କାରଣ ହେଉଛି, ଦୁଇ ଦିନ ତଳେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ କଟକ ଗସ୍ତରେ ଆସିଥିବା ବେଳେ ତାଙ୍କ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଥାଇ ବି ପ୍ରକାଶଙ୍କ ଅନୁପସ୍ଥିତ ରହିଥିଲେ। ଏଭଳି ରଣନୀତିରେ କେନ୍ଦ୍ରାପଡ଼ା ଲୋକସଭା ଆସନରେ ଅଂଶୁମାନଙ୍କୁ ଥଇଥାନ କରି ଗଣେଶ୍ବରଙ୍କୁ କେନ୍ଦ୍ରାପଡ଼ା ବିଧାନସଭା, ପ୍ରକାଶଙ୍କୁ ସାଲେପୁର ଅଥବା କଟକ ସଦରରେ ଥଇଥାନ କରି ବିଜେଡି ନିଜର ବିଜୟ ସୁନିଶ୍ଚିତ କରିବା ଦିଗରେ ଗୋଟି ଚାଳନା କରୁଥିବା ଆକଳନ କରାଯାଉଛି।