ବଲାଙ୍ଗୀର: ବଲାଙ୍ଗୀର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ସହ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏନେଇ ସହରରେ ଏକ ବିଶାଳ ଶୋଭାଯାତ୍ରା କରାଯାଇ କୋଶଲ କଳାମଣ୍ଡଳ ପଡ଼ିଆରେ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମ ରାଜପରିବାରର ଶକ୍ତି ପ୍ରଦର୍ଶନ ବୋଲି କୁହାଯାଉଛି। ବିଜେଡିର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ଯୋଗଦେଇ ନବୀନ ପଟ୍ଟନାୟକ ଅମଳରେ ହୋଇଥିବା ବିକାଶ ପ୍ରକଳ୍ପ ଉପରେ କହି ବିରୋଧୀ ଏଥିରୁ କେବଳ ଶ୍ରେୟ ନେବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ। ଗତ ୯ବର୍ଷରେ ବଲାଙ୍ଗୀରକୁ ବିହାର ଭଳି ଅପରାଧୀପ୍ରବଣ ଅଞ୍ଚଳ କିଏ କରୁଛି ଓ ଜମି ମାଫିଆଙ୍କୁ ସହାୟତା କିଏ କରୁଛି, ଜନସାଧାରଣ ଅବଗତ ହେବା କଥା ବୋଲି କହି ବିରୋଧୀଙ୍କୁ ଟାର୍ଗେଟ କରିଥିଲେ। ପଦଯାତ୍ରାରେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ଓ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଅର୍କେଶ ନାରାୟଣ ସିଂହଦେଓ ସାମିଲ ହୋଇଥିଲେ। ଆଗାମୀ ୨୦୨୪ ନିର୍ବାଚନରେ କଳିକେଶଙ୍କୁ ସାଂସଦ ଓ ଅର୍କେଶଙ୍କୁ ବିଧାୟକ ଭାବରେ ବିଜୟୀ କରିବାକୁ ବକ୍ତାମାନେ କର୍ମୀଙ୍କୁ ଅନୁରୋଧ କରିଥିଲେ। କୋଶଳ କଳାମଣ୍ଡଳ ପଡ଼ିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି ସଭାପତିତ୍ୱ କରିଥିଲେ ଓ ପୂର୍ବତନ କାର୍ଯ୍ୟକାରୀ ସଭାପତି ଭବାନୀଶଙ୍କର ହୋତା ସଂଯୋଜନା କରିଥିଲେ। ବିଜେଡି ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

Advertisment

ବଲାଙ୍ଗୀରକୁ ପର୍ଯ୍ୟଟନ କ୍ଷେତ୍ର କରିଛନ୍ତି ରାଜ ପରିବାର ସଦସ୍ୟ
ବଲାଙ୍ଗୀରକୁ ରାଜ ପରିବାର ସଦସ୍ୟମାନେ ଏକ ପର୍ଯ୍ୟଟନ କ୍ଷେତ୍ର କରିଛନ୍ତି। ପର୍ଯ୍ୟଟନ କ୍ଷେତ୍ରକୁ ଯେମିତି ଋତୁ ଅନୁଯାୟୀ ପର୍ଯ୍ୟଟକମାନେ ଯାଇଥାନ୍ତି, ରାଜପରିବାର ସଦସ୍ୟମାନେ ମଧ୍ୟ ଠିକ୍‌ ନିର୍ବାଚନ ଆସିଲେ ବଲାଙ୍ଗୀର ଆସନ୍ତି। ନିର୍ବାଚନ ପରେ କର୍ମୀ ତାଙ୍କର ଦେଖା ପାଆନ୍ତି ‌ନାହିଁ। ଗତ ୪ବର୍ଷ ଧରି ଏହି ପରିବାର କୁଆଡ଼େ ଥିଲେ ବୋଲି ପ୍ରଶ୍ନ କରିଛନ୍ତି ବାସୁଦେବ ପତି। ଗତ ୨୦୦୯ ଓ ୨୦୧୪ ମସିହାରେ ବଲାଙ୍ଗୀର ନିର୍ବାଚନମଣ୍ଡଳୀର ବିଜେପିରୁ ବିଧାୟକ ପାର୍ଥୀ ହୋଇଥିବା ଡ. ପତି ୨୦୧୯ ମସିହା ନିର୍ବାଚନରେ ପରିସ୍ଥିତିରେ ପଡ଼ି ବିଜେଡି ପ୍ରାର୍ଥୀ ଅର୍କେଶ ନାରାୟଣ ସିଂହଦେଓଙ୍କୁ ସମର୍ଥନ କରିଥିଲେ। ଡ. ପତି ଆଜି ବିଜେଡି ଦ୍ବାରା ଆୟୋଜିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ଯାଇନଥିବାରୁ ଏନେଇ ତାଙ୍କର ମତାମତ ନିଆଯିବାରୁ ସେ ରାଜ ପରିବାର ପ୍ରତି ତୀବ୍ର ଅସନ୍ତୋଷ ପ୍ରକଟ କରି ଏହା କହିଥିଲେ। ରାଜପରିବାର ସଦସ୍ୟମାନେ ବଲାଙ୍ଗୀର ଜନସାଧାରଣ, ବିଜେଡି ଓ ଭୋଟରଙ୍କ ପ୍ରତି ଅନ୍ୟାୟ କରୁଥିବା ଡ. ପତି କହିଛନ୍ତି।