ଭୁବନେଶ୍ବର/ ହିନ୍ଦୋଳ/ ଅତାବିରା : ପାଖାପାଖି ବର୍ଷେ ପରେ ପୌର ନିର୍ବାଚନ ସଫଳତା ଦୋହରାଇଛି ବିଜେଡି। ଉଭୟ ଅତାବିରା ଓ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ନିର୍ବାଚନ ଏକତରଫା ଭାବେ ବିଜୁ ଜନତା ଦଳ ଖାତାକୁ ଯାଇଛି। ଅଧ୍ୟକ୍ଷ ପଦ ବିଜେଡି ହାତରେ। ଅତାବିରାରେ ୧୨ଟି ୱାର୍ଡରୁ ୧୧ଟି ୱାର୍ଡରେ ବିଜେଡି ବିଜୟୀ ହୋଇଥିବା ବେଳେ ହିନ୍ଦୋଳରେ ୧୬ଟି ୱାର୍ଡରୁ ୧୧ଟିରେ ବିଜେଡିକୁ ସଫଳତା ମିଳିଛି।
ଅନ୍ୟପକ୍ଷରେ ପଶ୍ଟିମ ଓଡ଼ିଶାରେ ବିଜେପି ନିଜର ଦବ୍ଦବା ଜାହିର କରୁଥିଲେ ହେଁ, ଆଶ୍ଚର୍ଯ୍ୟଜନକ ଭାବେ ଅତାବିରାରେ ଦଳ ଜଣେ ବି ପ୍ରାର୍ଥୀଙ୍କୁ ଜିତାଇ ପାରିନାହିଁ। ସେପଟେ କଂଗ୍ରେସକୁ ମାତ୍ର ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେହିପରି ହିନ୍ଦୋଳରେ ୧୬ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ବିଜେପି ହାତକୁ ବାକି ପାଞ୍ଚଟି ଆସନ ଯାଇଛି। ଏଠାରେ କଂଗ୍ରେସ ଖାତା ଖୋଲିପାରିନାହିଁ।
ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ତଥା ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଏନ୍ଏସି ନିର୍ବାଚନ ଗୋଟିଏ ସଙ୍କେତ ଦେଉଛି ଯେ ବିରୋଧୀ ରାଜନୈତିକ ଦଳ ଲଢ଼େଇ କରି ବିଜେଡିକୁ କ୍ଷମତାରୁ ହଟାଇବା ତ ଦୂରର କଥା, ସର୍ବନିମ୍ନ କ୍ଷତି ପହଞ୍ଚାଇ ପାରୁନାହାନ୍ତି। ଆଉ ପାଦେ ଆଗକୁ ଯାଇ କହିଲେ, ପଶ୍ଚିମ ଓଡ଼ିଶାରେ ଶରତ ପଟ୍ଟନାୟକ କଂଗ୍ରେସ ସଭାପତି। ହେଲେ ଦଳ ଏଠାରେ ଗୋଟିଏ ପରେ ଗୋଟିଏ ନିର୍ବାଚନରେ ମାଟି କାମୁଡ଼ୁଛି। ସେହିପରି ଅବିଭକ୍ତ ଢେଙ୍କାନାଳ ଜିଲ୍ଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୈତିକ କର୍ମସ୍ଥଳୀ। ଏଠାରେ ବିଜେପି ପ୍ରଭାବ ବିସ୍ତାର କରିପାରୁନି। ନୂଆ କରି ସଭାପତି ହୋଇଥିବା ମନମୋହନ ସାମଲ ଏହି ବିଫଳତାରୁ ହିଁ ତାଙ୍କର ଇଂନିସ୍ ଆରମ୍ଭ କରିଛନ୍ତି।
ଏହି ବିଜୟକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଉଭୟ ଅତାବିରା ଓ ହିନ୍ଦୋଳରେ ବିଜେଡିକୁ ଅଭୂତପୂର୍ବ ସଫଳତା ମିଳିଛି। ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଦର୍ଶାଉଛି । ଆଗାମୀ ସାଧାରଣ ନିର୍ବାଚନରେ ମଧ୍ୟ ଏଭଳି ଫଳାଫଳ ପ୍ରତିଫଳିତ ହେବ। ଶ୍ରୀ ମଙ୍ଗରାଜ ଆହୁରି କହିଛନ୍ତି ଯେ କେବଳ ଏହି ଏନ୍ଏସିରେ ନୁହେଁ, ଝାରସୁଗୁଡାରେ ମଧ୍ୟ ବିଜେଡି ଏକତରଫା ଭାବେ ବିଜୟ ହାସଲ କରିବ। ଆଗୁଆ ପ୍ରାର୍ଥୀ ଘୋଷଣା ସହ ପର୍ଯ୍ୟବେକ୍ଷକ ଟିମ୍କୁ ନେଇ ଦଳ କାର୍ଯ୍ୟ ଆରମ୍ଭ କରିସାରିଲାଣି। ବିରୋଧୀ ଯାହା କହିଲେ ବି କିଛି ପ୍ରଭାବ ପଡିବନି ବୋଲି ଦୃଢ଼ୋକ୍ତି ପ୍ରକାଶ କହିଛନ୍ତି ଶ୍ରୀ ମଙ୍ଗରାଜ।
ଉଲ୍ଲେଖଥାଉକି, ଅତାବିରା ଏନ୍ଏସି ନିର୍ବାଚନରେ ଅଧ୍ୟକ୍ଷ ଦୌଡ଼ରେ ବିଜେଡିର ବନମାଳି ବରିହା ଏକତରଫା ଭାବେ ନିକଟତମ କଂଗ୍ରେସ ପ୍ରାର୍ଥୀ ସବିତା ଭୁଏଙ୍କଠାରୁ ୩୨୮୨ ଭୋଟ ବ୍ୟବଧାନରେ ରେକର୍ଡ ବିଜୟ ହାସଲ କରିଛନ୍ତି। ୱାର୍ଡ ନଂ-୧ର କଂଗ୍ରେସ ପ୍ରାର୍ଥୀ ଦୀପକ ରାୟ ନିକଟତମ ବିଜେଡିର ସତ୍ୟନାରାୟଣ ମିଶ୍ରଙ୍କଠାରୁ ମାତ୍ର ୧୮ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ। ଏହା ପରେ ବିଜେଡି ସବୁ ଆସନରେ ବିଜୟ ଯାତ୍ରା ଜାରି ରଖିଥିଲା। ଅଧ୍ୟକ୍ଷ ନିର୍ବାଚନରେ ବିଜେପିଠାରୁ କଂଗ୍ରେସ ଅଧିକ ୨୦୫ଟି ଭୋଟ ପାଇଛି। ଫଳାଫଳ ପରେ ବିଜେଡି ପକ୍ଷରୁ ଶୋଭାଯାତ୍ରା କରାଯାଇଥିଲା। ବନମାଳି ବରିହା (ବିଜେଡି) ମୋଟ ୬୫୬୫ ଖଣ୍ଡ ଭୋଟ ପାଇଥିବା ବେଳେ ସବିତା ଭୁଏ (କଂଗ୍ରେସ) ୧୭୩୭ଟି, ଲକ୍ଷ୍ମୀ ବେହେରା (ବିଜେପି) ୧୫୩୨ଟି ଏବଂ ସାମନ୍ତ ଭୁଏ (ସ୍ବାଧୀନ) ୧୧୪ଟି ପାଇଥିଲେ। ନୋଟାରେ ୧୦୧ ଭୋଟ ପଡ଼ିଥିଲା।
ସେହିଭଳି ହିନ୍ଦୋଳରେ ବିଜେଡିର କେଶବ ପ୍ରଧାନ ମୋଟ୍ ୪୩୪୭ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଭାବେ ବିଜେପିର ସୌଭାଗିନୀ ପ୍ରଧାନ ୩୯୨୩ ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସର ରୀତା ପଲେଇ ମାତ୍ର ୨୯୧ ଖଣ୍ଡ ଭୋଟ୍ ପାଇଛନ୍ତି। ଉଲ୍ଲେଖଥାଉକି, ୨୦୧୩ରେ ନିରଞ୍ଜନ ପଟ୍ଟନାୟକ ସଭାପତି ଥିବା ବେଳେ ହିନ୍ଦୋଳ ଏନଏସିକୁ କଂଗ୍ରେସ କରାୟତ କରିନେଇଥିଲା ଏବଂ ୨୦୧୮ରେ ବିଜେଡି ଏହି ଏନ୍ଏସିକୁ କବ୍ଜା କରିଥିଲା। ଅତାବିରାରେ ଗତ ୨୦୧୮ ଏନ୍ଏସି ନିର୍ବାଚନରେ ୧୨ଟି ୱାର୍ଡରୁ ବିଜେଡି ୧୨ଟି ଆସନ ପୋଛି ନେଇଥିଲା।