ଭୁବନେଶ୍ବର/ବାରିପଦା: ରାଜ୍ୟସଭା ସାଂସଦ ପଦରୁ ମମତା ମହାନ୍ତଙ୍କ ଅତର୍କିତ ଇସ୍ତଫା ପରେ ବିଜେଡିରେ ଛନ୍କା ପଶିଯାଇଛି। ଏପରି ଢଙ୍ଗରେ ବିଜେଡି ଉପରେ ହମ୍ଲା ହେବ ବୋଲି କେହି ସାମାନ୍ୟ ସୁରାକ୍ ବି ପାଇ ନଥିଲେ। ଏବେ ଦଳକୁ ଏକଜୁଟ୍ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ନିୟମିତ ବ୍ୟବଧାନରେ ବିଭିନ୍ନ ଜିଲ୍ଲା ସଂଗଠନର ନେତାମାନଙ୍କୁ ଶଙ୍ଖ ଭବନ ଡାକି ଆଲୋଚନା କରିବାକୁ ସ୍ଥିର ହୋଇଛି। ଆଜି ପ୍ରଥମ ଦିନରେ ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ନେତାମାନଙ୍କୁ ଡକାଯାଇଥିଲା। ମୟୂରଭଞ୍ଜ ଜିଲ୍ଲାର ବୈଠକକୁ ଦଳୀୟ ମହଲରେ ଅଧିକ ଗୁରୁତ୍ବ ଦିଆଯାଉଛି। କାରଣ ଏହି ଜିଲ୍ଲାର ନେତ୍ରୀ ମମତା ମହାନ୍ତ ଇସ୍ତଫା ଦେଇ ବିଜେପିରେ ଯୋଗ ଦେବା ପରେ ଜିଲ୍ଲା ବିଜେଡିରେ କମ୍ପନ ସୃଷ୍ଟି ହୋଇଛି। ମମତାଙ୍କ ପଦାଙ୍କ ଅନୁସରଣ କରି ଦଳର ଆଉ କିଛି ଛାମୁଆ ନେତା ପଦ୍ମ ପୋଖରୀରେ ପଶିବାକୁ ଗୋଡ଼ଟେକି ବସିଥିବା ରାଜନୖତିକ ମହଲରେ ଚର୍ଚ୍ଚା ହେଉଛି।
ଏଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ ଜିଲ୍ଲାର ବରିଷ୍ଠ ନେତାମାନଙ୍କୁ ଭୁବନେଶ୍ବର ଶଙ୍ଖଭବନ ଡକାଯାଇଥିଲା। ବାରିପଦା, ବଡ଼ସାହି, ଉଦଳା, ସାରସକଣା, ରାଇରଙ୍ଗପୁର, କରଞ୍ଜିଆ, ବଡ଼ସାହି ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ମୟୂରଭଞ୍ଜ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ସୁବ୍ରମଣ୍ୟମ ମହାନ୍ତି, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି, ପୂର୍ବତନ କୃଷି ନିଗମ ରାଜ୍ୟ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ପ୍ରମୁଖ ଡକରା ପାଇ ଶଙ୍ଖଭବନରେ ପହଞ୍ଚିଥିଲେ। ସେଠାରେ ଦଳର ନେତା ପ୍ରଣବ ପ୍ରକାଶ ଦାସ ସେମାନଙ୍କ ସହ ଆଲୋଚନା କରିଥିଲେ। ବୈଠକ ପରେ ନେତାମାନେ ନବୀନ ନିବାସ ଯାଇ ସଭାପତିଙ୍କୁ ଭେଟିଥିଲେ। ଲୋକଙ୍କ ସହ ସମ୍ପର୍କକୁ ଆହୁରି ମଜଭୂତ କରିବା ସହ ସଂଗଠନକୁ ଦୃଢ଼ କରିବା ପାଇଁ ଶ୍ରୀ ପଟ୍ଟନାୟକ ସେମାନଙ୍କୁ ପରାମର୍ଶ ଦେଇଥିଲେ। ତେବେ ଜିଲ୍ଲା ସଭାପତି ତଥା ବିଜେଡିର ହେଭିୱେଟ ନେତା ସୁଦାମ ମାରାଣ୍ଡି ଏହି ବୈଠକରେ ସାମିଲ ନହେବା ଘଟଣା ରାଜନୀତିକୁ ସରଗରମ କରିଦେଇଛି। ସୁଦାମଙ୍କୁ ଶଙ୍ଖଭବନକୁ ଡକାଯାଇନି ବୋଲି କିଛି ଦଳୀୟ ନେତା କହୁଥିଲା ବେଳେ ଏନେଇ ସୁଦାମଙ୍କ ପ୍ରତିକ୍ରିୟା ମିଳିପାରିନି। ସେହିପରି ବାଙ୍ଗିରିପୋଷି ଓ ଯଶିପୁର ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ମଧ୍ୟ ଶଙ୍ଖଭବନ ବୈଠକକୁ ଯାଇନଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ୪ ଦିନ ପୂର୍ବେ ସୁଦାମ ଡାକିଥିବା ବୈଠକକୁ ବିଜେଡିର ବହୁ ଟାଣୁଆ ନେତା ଆସି ନଥିଲେ। ଏମିତିକି ଗତ ବିଧାନସଭା ନିର୍ବାଚନ ଲଢ଼ିଥିବା ୮ ଜଣ ପ୍ରାର୍ଥୀ ସୁଦାମଙ୍କ ବୈଠକକୁ ଏଡ଼ାଇ ଯାଇଥିଲେ।
ଆଜି ଅପରାହ୍ନରେ ଶଙ୍ଖ ଭବନରେ ଗଞ୍ଜାମ ଜିଲ୍ଲାର ନେତାମାନଙ୍କ ବୈଠକ ହୋଇଥିଲା। ଏଥିରେ ବରିଷ୍ଠ ଦେବୀ ପ୍ରସାଦ ମିଶ୍ର ଦଳର ସାଂଗଠନିକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ ଖୁବ୍ ଶୀଘ୍ର କରିବାକୁ ନିଷ୍ପତ୍ତି ହୋଇଥିଲା। ବୈଠକରେ ପରେ ସବୁ ନେତା ନବୀନ ନିବାସ ଯାଇଥିଲେ। ଦଳର ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, ବିଜେଡି ସରକାର ଗଞ୍ଜାମ ଜିଲ୍ଲାର ବିକାଶ ପାଇଁ ଅନେକ କାମ କରିଥିଲେ। ତେଣୁ ଲୋକଙ୍କ ସହ ସମ୍ପର୍କକୁ ମଜଭୂତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ବିକ୍ରମ କେଶରୀ ଆରୁଖ, ଲତିକା ପ୍ରଧାନ ଓ ରମେଶ ଚାଉପଟ୍ଟନାୟକଙ୍କ ସମେତ ପୂର୍ବତନ ବିଧାୟକ, ବିଧାୟକ ପ୍ରାର୍ଥୀ, ବ୍ରହ୍ମପୁର ମେୟର ଏବଂ ଜିଲ୍ଲା ଛାତ୍ର, ଯୁବ ଓ ମହିଳା ଶାଖା ସଭାପତିମାନେ ଉପସ୍ଥିତ ଥିଲେ।