ଭୁବନେଶ୍ୱର: ମାର୍ଚ୍ଚ ୫ ପରିବର୍ତ୍ତେ ଏପ୍ରିଲ୍ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ କରିବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିର ତୀବ୍ର ପ୍ରତିବାଦ କରିଛି ବିଜେଡି। ଏପରି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଓ ରାଜ୍ୟ ସରକାରଙ୍କ ସଂକୀର୍ଣ୍ଣ ମନୋଭାବର ପରିଚୟ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏହାର ପ୍ରତିବାଦରେ ଆଜି ବିମାନବନ୍ଦର ଛକ ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ବିଜେଡି ପକ୍ଷରୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା। ମାର୍ଚ୍ଚ ୬ ତାରିଖରେ ରାଜ୍ୟବ୍ୟାପୀ ପ୍ରତିବାଦ ସଭା ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।
ତୀବ୍ର ବିରୋଧ କଲା ବିଜେଡି
ରାଜଧାନୀରେ ବିଜେଡିର ଶାନ୍ତିପୂର୍ଣ୍ଣ ବିକ୍ଷୋଭ
ମାର୍ଚ୍ଚ ୬ରେ ରାଜ୍ୟବ୍ୟାପୀ ପ୍ରତିବାଦ ସଭା
ଆଜି ଶଙ୍ଖ ଭବନରେ ଚାରି ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚ୍ଚୀ ନାୟକ ଓ ପ୍ରତାପ ଜେନା ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ସେମାନେ କହିଥିଲେ, ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଲାଗୁ କରିବାରେ ଓଡ଼ିଶା ଅଗ୍ରଣୀ ରାଜ୍ୟର ଭୂମିକା ନିର୍ବାହ କରିଛି। ୧୯୯୧ ମସିହାରେ ବିଜୁ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରିବା ଲକ୍ଷ୍ୟରେ ଜିଲ୍ଲା ପରିଷଦ, ପଞ୍ଚାୟତିରାଜ ଓ ପଞ୍ଚାୟତ ସମିତି ଗଠନ ପାଇଁ ଓଡ଼ିଶା ବିଧାନସଭାରେ ବିଲ୍ ପାରିତ ହୋଇଥିଲା। ଏହାର ପର ବର୍ଷ ଅର୍ଥାତ ୧୯୯୨ ମସିହାରେ ଦେଶର ସମ୍ୱିଧାନର ୭୩ତମ ଓ ୭୪ତମ ସଂଶୋଧନ ଆଣି ଏହି ବ୍ୟବସ୍ଥାକୁ ପ୍ରାବଧାନ କରାଯାଇଥିଲା। ସେହିପରି ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଏକ ତୃତୀୟାଂଶ ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଥିଲା।
ଏହି କ୍ଷେତ୍ରରେ ମଧ୍ୟ ଓଡ଼ିଶା ସାରା ଦେଶ ପାଇଁ ମାର୍ଗଦର୍ଶକ ସାଜିଥିଲା। ଏଥି ପାଇଁ ବିଜୁ ବାବୁଙ୍କ ଜନ୍ମ ଦିବସରେ ପଞ୍ଚାୟତିରାଜ ଦିବସ ପାଳନ ପାଇଁ ତତ୍କାଳୀନ ରାଜ୍ୟସରକାର ନିଷ୍ପତ୍ତି ନେଇଥିଲେ। କେନ୍ଦ୍ର ସରକାର ଏପ୍ରିଲ୍ ୨୪ରେ ପଞ୍ଚାୟତିରାଜ ଦିବସ ପାଳିବାର ଯଥେଷ୍ଟ ପୂର୍ବରୁ ଓଡ଼ିଶା ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତିରାଜ ଦିବସ ପାଳିଆସୁଛି। ବର୍ତ୍ତମାନର ବିଜେପି ସରକାର ଏହି ନିଷ୍ପତ୍ତିକୁ ବଦଳେଇ ଦେଇ ଓଡ଼ିଶାର ଗୌରବକୁ କ୍ଷୁଣ୍ଣ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ। ଏହି ନିଷ୍ପତ୍ତି ପଛରେ ରାଜ୍ୟ ସରକାରଙ୍କ ଅସୂୟା ଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି। ଆହୁରି ମଧ୍ୟ ରାଜ୍ୟ ସରକାର କ୍ଷମତାକୁ ଆସିବା ଦିନ ଠାରୁ ବିଜୁ ପଟ୍ଟନାୟକଙ୍କ କୃତୀକୁ ସୁଚିନ୍ତିତ ଉପାୟରେ ମଳିନ କରିବାକୁ ଅପଚେଷ୍ଟା କରୁଛନ୍ତି। ଏହାର ବିଚାର ଓଡ଼ିଶାର ଜନସାଧାରଣ କରିବେ।