ଯାଜପୁରଟାଉନ/ସଦର : କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରିଦେବା ପରେ ବିଜେଡି ଏହାର ତୀବ୍ର ପ୍ରତିବାଦ କରିଛି। ଯାଜପୁର ଜିଲ୍ଲା ସଦରମହକୁମାଠାରେ ଆଜି ବଡ଼ଧରଣର ପ୍ରତିବାଦ ସଭା କରାଯାଇଛି। ବିଜେଡି ଜିଲ୍ଲା ସଭାପତି ସରୋଜ କୁମାର ମହାପାତ୍ରଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ଜିଲ୍ଲାପରିଷଦ ସଭାପତି ନଳିନୀପ୍ରଭା ଜେନା, ବିଧାୟକ ପ୍ରତିନିଧି ଭବ ପ୍ରସାଦ ଦାସ, ପୌରାଧ୍ୟକ୍ଷା ରଂଜୁଲତା ହୋତା, ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ, ଯାଜପୁର ବ୍ଲକ ଅଧ୍ୟକ୍ଷ ସ୍ବର୍ଣ୍ଣଲତା ପରିଡ଼ା ଯୋଗଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଥିଲେ।
ଯାଜପୁର ଜିଲ୍ଲାରେ ୧୦ଟି ବ୍ଲକ ଓ ଦୁଇଟି ପୌରାଞ୍ଚଳରେ ହାରାହାରି ୩ ଲକ୍ଷ ୮୦ ହଜାର ଲୋକଙ୍କୁ ରାଜ୍ୟ ସରକାର ଟଙ୍କିକିଆ ଚାଉଳ ଯୋଗାଇ ଦେଇ ଆସୁଛନ୍ତି। କେନ୍ଦ୍ର ସରକାର ୧୮ ମାସ କାଳ ମାଗଣାରେ ୫ କିଲୋ ଚାଉଳ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ପ୍ରଦାନ କରୁଥିଲେ। ୨୦୨୩ ଜାନୁଆରିରୁ କେନ୍ଦ୍ର ସରକାର ଏହି ଯୋଜନାକୁ ବନ୍ଦ କରି ଗରିବ ଜନ ସାଧାରଣଙ୍କ ପେଟକୁ ନାତ ମାରିଛନ୍ତି ବୋଲି ଶ୍ରୀମତୀ ସେଠୀ ଅଭିଯୋଗ କରିଛନ୍ତି। ବିଧାୟକ ପ୍ରତିନିଧି ଭବ ପ୍ରସାଦ ଦାସ ଯାଜପୁର ଜିଲ୍ଲାରେ ୧୪ଲକ୍ଷ ହିତାଧିକାରୀଙ୍କ ପେଟରୁ ମାସକୁ ୭୦ ହଜାର କ୍ବିଣ୍ଟାଲ ଚାଉଳ କେନ୍ଦ୍ର ସରକାର କାଟିଥିବା ଅଭିଯୋଗ କରିଥିଲେ। ତୁରନ୍ତ କେନ୍ଦ୍ର ସରକାର ଏହାର ପୁନଃ ପ୍ରଚଳନ ପାଇଁ ଦାବି କରିଛନ୍ତି।
କେନ୍ଦ୍ର ସରକାରଙ୍କ ଜନବିରୋଧୀ ନିଷ୍ପତ୍ତି ପାଇଁ ଓଡ଼ିଶାର ୩ କୋଟି ୨୫ ଲକ୍ଷ ଲୋକ ପ୍ରଭାବିତ ହେବେ ବୋଲି ଅଭିଯୋଗ କରିଛନ୍ତି। ଗରିବ ଲୋକଙ୍କୁ ଭୋକରେ ରଖିବାକୁ ବିଜେପିର ଏହା ଏକ ଷଡ଼ଯନ୍ତ୍ର ବୋଲି ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ ଅଭିଯୋଗ କରି ବିଜେଡି ମାନେ ବିଶ୍ବାସ, ବିଜେପି ମାନେ ଉପାସ ବୋଲି ମତ ରଖିଛନ୍ତି। ଶେଷରେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସମାଜସେବୀ ତୁଷାରକାନ୍ତ ପରିଡ଼ା, ମନୋଜ ସାହୁ, ଧର୍ମେନ୍ଦ୍ର ନାୟକ, ପ୍ରକାଶ ତ୍ରିପାଠୀ, ଗଣେଶ ମହାକୁଡ଼, ପ୍ରଦୀପ ନାୟକ, ସଂଜୀବ ନାୟକ, ସ୍ୱଦେଶ ପଟ୍ଟନାୟକ, କେଶବ ରାଉତ, ଦେବାଶିଷ ପଣ୍ଡା, ଦିଲୀପ ଜେନା, ଏସକେ ସାହାଉଦ୍ଦିନଙ୍କ ସମେତ ସମସ୍ତ କାଉନସିଲର ଓ ଶତାଧିକ ବିଜେଡି କର୍ମୀ ସାମିଲ ହୋଇଥିଲେ।